Unknown

 

 

 

 

 

 

 

 

 

 

ଧୂପକାଠି

ଶ୍ରୀ ଯୋଗୀନ୍ଦ୍ର ପଟ୍ଟନାୟକ

 

ପ୍ରାର୍ଥନା

 

ସ୍ୱାମୀ ବିବେକାନନ୍ଦଙ୍କ ବାଣୀରେ ମଣିଷ ନୂତନ ଜୀବନର ପଥ ଖୋଜି ପାଏ । ମରଣଜୟୀ ହୋଇ ଉଠେ । ଏହି କ୍ଷୁଦ୍ର ପୁସ୍ତକଟିରେ କଥା ଛଳରେ ଏବଂ କେତେକ ଏପରି ମରଣଜୟୀ ବାଣୀର ସାମାନ୍ୟ ଅଂଶ ସଂଗ୍ରହ କରି ପରିବେଷିତ ହେଲା । ଏ କଥାରେ ଭରି ରହିଛି ତେଜ ଓ ଆନ୍ତରିକତା । ସୂର୍ଯ୍ୟର ଆଲୋକ ପରି ଏସବୁ କଥା ମନର କାଳିମା, ଗ୍ଳାନି, ଦୁର୍ବଳତାକୁ ଦୂର କରିବାକୁ ସକ୍ଷମ ।

 

ଏହି ବାଣୀଗୁଡ଼ିକ ଆମ ପ୍ରାଣରେ ନୂତନ ଉଦ୍ଦୀପନା ସୃଷ୍ଟି କରୁ । ନୂତନ ଦୀପ ଜାଳୁ ଯେଉଁଥିରେ ନୂତନ ଆଶାରେ ନୂତନ ଉତ୍ସାହରେ ଆମେ ଜୀବନ-ସଂଗ୍ରାମରେ ରତ ହେଉ ।

 

ଏ ମରଣଜୟୀ ଅମର ବାଣୀ ଆମ ଭିତରେ କାର୍ଯ୍ୟ କରୁ । ସଫଳତାରେ ଏହାହିଁ କାମନା, ବାସନା ଓ ପ୍ରାର୍ଥନା ।

Image

 

ସୂଚୀପତ୍ର

 

୧.

ଈଶ୍ୱର ଏକ, ଅନନ୍ତ ତାର ନାମ

୨.

ଦେହ, ମନ, କଥା ଏକ କର

୩.

କିପରି କାମ କରିବ ?

୪.

ସତ୍ୟ ଓ ସଂକଳ୍ପ

୫.

ନିଜ କ୍ଷେତ୍ରରେ କେହି ଛୋଟ ନୁହେଁ

୬.

କୃତଜ୍ଞ ହୁଅ

୭.

ସାଙ୍ଗ ଦୋଷରେ ସବୁ ହୁଏ

୮.

ଅହଙ୍କାର କର ନାହିଁ

୯.

ମନୁଷ୍ୟର ଇଚ୍ଛା ଓ ଭାଗ୍ୟ

୧୦.

ମନହିଁ ଅସଲ ପଦାର୍ଥ

୧୧.

ଟଙ୍କା ମଣିଷ ତିଆରି କରେ ନାହିଁ

୧୨.

ପରସେବା କଲେ ସାହାଯ୍ୟର ଅଭାବ ହୁଏ ନାହିଁ

୧୩.

ଲକ୍ଷ୍ୟ ଠିକ୍‌ ଥିଲେ ସାହସ ଆସିବ

୧୪.

କଷଟି ପଥର

୧୫.

ଦୁଃଖକୁ ଜୟ କରିବ କିପରି ?

୧୬.

କାହା କଥାରେ ଚଳିବ ?

୧୭.

କଥା ନୁହେଁ, କାମ

୧୮.

କ୍ୟା ସତ୍‌ ହୈ, କ୍ୟା ଝୁଟା ହୈ

୧୯.

ବିପଦରେ ଅଧିର ହୁଅ ନାହିଁ

୨୦.

ଈଶ୍ୱରଙ୍କ ଉପରେ କିପରି ନିର୍ଭର କରିବ ?

୨୧.

ଭଲକାମରେ ଛଳନା ମଧ୍ୟ ଭଲ

୨୨.

ଅଶାନ୍ତି ଦୂର ହେବ କିପରି ?

୨୩.

ସଂସାରରେ ବାଘର ଭୟ ବେଶୀ

୨୪.

ଛୁଆଁ ଅଛୁଆଁ

୨୫.

କିଏ ମାରିଛି ?

୨୬.

ସଂସାରରୁ ମଧ୍ୟ ଜ୍ଞାନଲାଭ କରାଯାଏ

୨୭.

ଧର୍ମବ୍ୟାଧ

୨୮.

ଖରାପଲୋକଙ୍କ ଦାଉରୁ ରକ୍ଷା ପାଇବ କିପରି ?

୨୯.

କାହାରି ଦୋଷ ଦେଖ ନାହିଁ

୩୦.

ସେବାହିଁ ଧର୍ମ

୩୧.

ଅନୁକରଣ କରନାହିଁ

୩୨.

ବିପଦ ଆସିଲେ କ’ଣ କରିବ ?

୩୩.

ସ୍ୱରୂପକୁ ଜାଣିରଖ

୩୪.

‘ଭିକାରୀ ଠାରୁ ଦାନ ନେବି !’

୩୫.

ଜ୍ଞାନର ପ୍ରତିବନ୍ଧକ ଅଜ୍ଞାନ

୩୬.

ଜ୍ଞାନୀର ସ୍ୱଭାବ

୩୭.

ମଣିଷର ପ୍ରୟୋଜନ

୩୮.

ଦୋଷ ଦେଖନାହିଁ, ଗୁଣ ଦେଖ

୩୯.

ଭଗବାନହିଁ ଭରସାସ୍ଥଳ

୪୦.

ଭାରତର ପ୍ରାଣ—ତ୍ୟାଗ ଓ ସେବା

୪୧.

ସାହସର ସହିତ ମୁକାବିଲା କର

୪୨.

ତିନୋଟି ପ୍ରଶ୍ନ

୪୩.

ଭଲକୁ ଭଲ କହିବାକୁ ଶିକ୍ଷାକର

୪୪.

ସତ୍ୟକଥାହିଁ ତପସ୍ୟା

୪୫.

ଧର୍ମ କଅଣ ?

୪୬.

ଜୀବନରେ କେବେ ରାଗିବି ନାହିଁ

୪୭.

ଭକ୍ତପାଇଁ ଭଗବାନ ବ୍ୟାକୁଳ

୪୮.

ଈଶ୍ୱରହିଁ ରକ୍ଷାକର୍ତ୍ତା

୪୯.

ଜନକ ଓ ଶୁକଦେବ

୫୦.

ଧର୍ମ ମଧ୍ୟ ଏକ ବିଜ୍ଞାନ

୫୧.

ପରପାଇଁ ଏ ଜୀବନ

୫୨.

ଡକାଏତରୁ ସାଧକ ମହାପୁରୁଷ—ନାମଦେବ

୫୩.

ଏଇ ମଣିଷ ଭିତରେ ଅମୃତ ଅଛି

୫୪.

ସାଧୁପୁରୁଷ ଆଗରେ ସମସ୍ତେ ସମାନ

୫୫.

ଆତ୍ମବିଶ୍ୱାସ ହିଁ ମୂଳ

୫୬.

ନିସ୍ୱାର୍ଥ ସାଧନା

୫୭.

ଆଗେଇଗଲେ ବାଟ ଫିଟିଯାଏ

୫୮.

ଅହଂକାରକୁ ଦମନ କର

୫୯.

ଅହଂଭାବକୁ ଦୂର କର

୬୦.

ସାଧୁଲୋକର ଆଦର୍ଶ

୬୧.

ମୁକ୍ତି ନା ଭକ୍ତି

୬୨.

କଥା ଓ କାମ ନ ଦେଖିଲେ ବିଶ୍ୱାସ କରନାହିଁ

୬୩.

ଏକ ନା ଅନେକ ?

୬୪.

ରାମାୟଣର ଉପଦେଶ

୬୫.

କର୍ତ୍ତବ୍ୟ କଣ ?

୬୬.

ମହାଭାରତର ଉପଦେଶ

୬୭.

କିପରି କାମ କରିବ ?

୬୮.

ଈଶ୍ୱରଙ୍କୁ ଜାଣିବ କିପରି ?

୬୯.

ଚରିତ୍ର ଲୋଡ଼ା

୭୦.

ତମ ମନର ପ୍ରଶ୍ନ

Image

 

ଈଶ୍ୱର ଏକ, ଅନନ୍ତ ତାର ନାମ

 

କଲିକତାରେ ବିଶ୍ୱନାଥ ଦତ୍ତ ବଡ଼ ଓକିଲ । ତାଙ୍କ ଓକିଲଖାନାରୁ ଭାରତର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ଲୋକ ମକଦ୍ଦମା ସଂକ୍ରାନ୍ତରେ ଆସନ୍ତି । ସେମାନେ ହିନ୍ଦୁ, ମୁସଲମାନ, ପାର୍ସୀ, ଖ୍ରୀଷ୍ଟାନ, ବୌଦ୍ଧ ଇମିତି କେତେ । ବହୁ ବର୍ଷ ତଳର କଥା; ସେତେବେଳେ ଭାରତରେ ଜାତିପ୍ରଥା ଭୀଷଣ ଥିଲା । ତାଙ୍କ ବୈଠକଖାନାରେ ଆଗନ୍ତୁକ ଭଦ୍ରବ୍ୟକ୍ତିମାନଙ୍କ ପାଇଁ ‘ହୁକା’ର ବ୍ୟବସ୍ଥା ଥିଲା-। ସେତେବେଳେ ହୁକାର ପ୍ରଚଳନ ଥିଲା । ବିଭିନ୍ନ ଧରଣର ହୁକା ବିଭିନ୍ନ ଜାତି ମଧ୍ୟରେ ପ୍ରଚଳିତ ଥିଲା । ହିନ୍ଦୁମାନଙ୍କର ହୁକା ମୁସଲମାନ ହୁକାଠାରୁ ଥିଲା ଭିନ୍ନ ।

 

ଥରେ ବିଶ୍ୱନାଥବାବୁ ପଦାକୁ ବାହାରିଯିବା ପରେ ତାଙ୍କ ପୁଅ ନରେନ୍ଦ୍ର ଘର-ଭିତରକୁ ପଶିଆସି ସବୁ ହୁକାକୁ ଥରେ ଥରେ ଟାଣିଲେ । ସେତେବେଳେ ନରେନ୍ଦ୍ର ପିଲା । ବାପା ଘରକୁ ଆସି ଦେଖି ନରେନ୍ଦ୍ରକୁ ପଚାରିଲେ—ଇଏ କଣ କରୁଚୁ ? ନରେନ୍ଦ୍ର କହିଲେ—ବାପା, ମୁଁ ତ ସବୁ ହୁକା ଟାଣିଲି, ମୋତେ ସବୁ ସମାନ ଲାଗିଲା । ଜାତି ତ ଗଲା ନାହିଁ । ଏତେ ହୁକା କରି ଲାଭ କ’ଣ-? ସବୁ ତ ଏକା ।

 

ବିଶ୍ୱନାଥବାବୁ ହସି ହସି କହିଲେ—ହଁ ରେ, ସବୁ ସମାନ, କେବଳ ରୀତିନୀତିରେ ତଫାତ୍ ।

 

ଏ ନରେନ୍ଦ୍ରଟି କିଏ ଜାଣ ? ସ୍ୱାମୀ ବିବେକାନନ୍ଦ । ସେ ସବୁ ଧର୍ମର ସାର କାଢ଼ି ପ୍ରଚାର କରିଥିଲେ । ସବୁ ଧର୍ମର ସାର କଥା ହେଲା—ପରୋପକାର କର, ସେବା କର, ପରକୁ କ୍ଳେଶ ଦିଅ ନାହିଁ । ଏହାହିଁ ଧର୍ମ । ଧର୍ମର ଅସଲ ଉଦ୍ଦେଶ୍ୟ ହେଲା ନିଜର ଦେବତ୍ୱ—ଭଲ ଗୁଣକୁ ପ୍ରକାଶ କରିବା । ସେ ତାଙ୍କର ଗୁରୁଦେବ ପରମହଂସ ଶ୍ରୀ ରାମକୃଷ୍ଣ ଦେବଙ୍କ ବାଣୀ ପ୍ରଚାର କରି କହିଛନ୍ତି–ଯେପରି ତମକୁ କିଏ ଟୁନା ଡାକୁଛି । ତମ ମା ତମକୁ ପୁଅ ବୋଲି ଭାବେ । ତମ ବଡ଼ ଭଉଣୀ ସାନ ଭାଇ ବୋଲି ଭାବେ । ତମର କକେଇ ତମକୁ ‘ପୁତୁରା’ କହେ । ତମକୁ ତମର ମାମୁଁ ‘ଭଣଜା’ ବୋଲି କହନ୍ତି । ତମ ଶିକ୍ଷକ ତମକୁ ‘ଛାତ୍ର’ ବୋଲି କହନ୍ତି । ଅସଲରେ ତମେ କିନ୍ତୁ ସେଇ ‘ଟୁନା’ । ନୁହଁ କି ? ସିମିତି ଇଶ୍ୱରଙ୍କୁ କିଏ ‘ଆଲ୍ଲା’ ଡାକୁଛି, କିଏ ଡାକୁଛି ‘ଯୀଶୁ’, କିଏ କହୁଛି ‘ବୁଦ୍ଧ’, କିଏ କହୁଛି ‘ଯିହୋବା’ ଇମିତି କିଏ କେତେ । ଅସଲରେ କିନ୍ତୁ ସେଇ ଏକ ଇଶ୍ୱର–ତାଙ୍କୁ କିଏ କେତେଭଳି ଡାକୁଛି ।

Image

 

ଦେହ, ମନ, କଥା ଏକ କର

 

ଏବେ ପିଲାଏ ତମେ କହିବ—ମନରେ ପ୍ରଶ୍ନ ଉଠୁଥିବ ଦୁନିଆଯାକ ସବୁ ମିଛ । ମିଛ ନ କହିଲେ, ମିଛ ରାସ୍ତାରେ ନ ଚଳିଲେ ଯେମିତି ବାଟ ଚାଲିହେବ ନାହିଁ ? ନୁହଁ କି ? କାରଣ,ସବୁବେଳେ ସବୁଠି ଠକେଇ । ପେଟରେ ଗୋଟାଏ କଥା । ମନରେ ଗୋଟାଏ କଥା । ମନରେ ଗୋଟାଏ କଥା ପୂରାଇ ଅନ୍ୟକୁ ଅନ୍ୟ କୌଣସି କଥା କହିବା ଯିମିତି ଅଭ୍ୟାସ ହୋଇଯାଇଛି ।

 

ଆଚ୍ଛା ପିଲାଏ, ମିଛ କଥା କହିଲେ କ’ଣ ଫଳ ମିଳେ ତମକୁ ସବୁ ଜଣାତ । ଯେମିତି ଆଖିକୁ ସୁନ୍ଦର, ଜିଭକୁ ଭଲ ଦେଖି ଟାଉ ଟାଉ ଖାଇଦେଲେ ପେଟ ଭିତରେ ବ୍ୟଥା, ଝାଡ଼ା ଅଜୀର୍ଣ୍ଣ ହୁଏ, ଏକଥା ତମେ ତ ଜାଣ । ତଥାପି ଲୋଭ ଲାଗେ, ମିଛ କହୁଁ, ବିପଦରେ ପଡ଼ୁ । ମିଛୁଆ ରାଧୁଆ କଥା ତ ଜାଣିଛ ? ଏତେ ଦିନଯାଏ ତ ଏଇଆ କଲ, ଥରେ ଦେହ, ମନ ଓ କଥା ଏକ କରିବାକୁ ଉଦ୍ୟମ କର । ସୂର୍ଯ୍ୟଙ୍କ କିରଣ, ବର୍ଷାପାଣି, ପବନରେ କଣ ଭେଜାଲ ଅଛି ?

 

ଗୋଟିଏ ଗପ ଶୁଣ । ଗୋଟିଏ ରାଇଜରେ ଦୁଇଜଣ ବଣିକ ଥିଲେ । ଗୋଟିଏ ବଣିକ ମିଛ ସତ କହି ଏପଟ ସେପଟ କରି ବଡ଼ ଧନୀ ପାଲଟିଗଲା । ଆର ବଣିକଟି କିନ୍ତୁ କାମିକା ଲୋକ, ଅଳ୍ପ ଲାଭରେ ତାର ବ୍ୟବସାୟ ବୃଦ୍ଧି କଲା । ଆଗରେ ମରଣ ଆସିଲେ ବି ସେ ମୁହଁ ଗୁଞ୍ଜି ସମସ୍ତଙ୍କୁ ସାହାଯ୍ୟ କରେ । ଲକ୍ଷ ଲକ୍ଷ ଲୋକ ତାକୁ ଠକନ୍ତି, କିନ୍ତୁ ସେ ପଦେ କଥା କହେ ନାହିଁ । ସେ ଯେ ତା’ ଲାଭରୁ କିଛି ଅଂଶ ଦାନ କରି ଭଲ କାମ କରୁଛି ଏ କଥା ଭାବେ ନାହିଁ । ସେ ଯେ ଗରିବମାନଙ୍କୁ ସାହାଯ୍ୟ କରୁଛି, ଦାନ କରୁଛି, ଏଥିପାଇଁ ସେ ପ୍ରଶଂସା ଆଶା କରୁ ନ ଥିଲା କି କେହି ପ୍ରଶଂସା କଲେ ତାକୁ ସେ ମନା କରୁଥିଲା ଏବଂ କୃତଜ୍ଞତାର ଆଶା ରଖୁ ନ ଥିଲା । ଯାହାକୁ ଦାନ କରେ ସେ କହୁଥିଲା—ଭାଇ, ମୋ ପ୍ରତି ଯେଉଁ ଦୟା ପ୍ରକାଶ କରୁଛ, ସୁଯୋଗ ଦେଇଛ, ଏଥିପାଇଁ ତମ ପ୍ରତି ମୁଁ କୃତଜ୍ଞ । ସେ ବିଶେଷ ଧନୀ ହୋଇ ନ ଥିଲେ ମଧ୍ୟ ବେଶ ସୁଖରେ ଦେହ, ମନ, କଥାକୁ ଏକ କରି ଚଳି ଶାନ୍ତିରେ ଥିଲା ।

 

ଦିନ ଆସିଲା, ଠକ ବଣିକଟି ତା’ର ଠକାମି ଯୋଗୁଁ ଜେଲଦଣ୍ତ ଭୋଗିଲା ଏବଂ କଠିନ ରୋଗରେ ପଡ଼ି ପଡ଼ି ରାତିଦିନ ଅଶାନ୍ତିରେ କାଟିଲା ।

 

ପିଲାଏ, କଣ ବୁଝିଲ କୁହ ତ ? କଣ ଇମିତି କାମ କରି ପାରିବ ନାହିଁ ? ପାରିବ, ତମ ଭିତରେ ବି ଈଶ୍ୱର ଅଛନ୍ତି ।

Image

 

କିପରି କାମ କରିବ ?

 

ମହାଭାରତ ଯୁଦ୍ଧ ଶେଷ ହେଲା । ଯୁଦ୍ଧ ଶେଷରେ ପଞ୍ଚପାଣ୍ତବ ଯଜ୍ଞ କଲେ । ଯଜ୍ଞରେ ଗୋଟିଏ ନେଉଳ ପହଞ୍ଚିଲା । ନେଉଳଟିର ଅଧକ ସୁନା । ନେଉଳଟି ଯଜ୍ଞରେ ଗଡ଼ିବାକୁ ଲାଗିଲା । ସେ ଯଜ୍ଞରେ ଦୁଃଖୀ-ଦରିଦ୍ର ପାଇଁ ବହୁ ଅନ୍ନ ବସ୍ତ୍ର ଦିଆଯାଇଥିଲା । ସମସ୍ତେ କହିଲେ—ଆହା ଏପରି ଦରିଦ୍ର-ଦୁଃଖୀମାନଙ୍କ ପାଇଁ କେହି ଦାନ କରନ୍ତି ନାହିଁ । ନେଉଳଟି କହିଲା—ନା’ ନା, ପ୍ରକୃତରେ ଏ ଦାନଯଜ୍ଞ ଠିକ୍‍ ହେଲା ନାହିଁ । ଏଥିରେ କିଛି ଗୋଟାଏ ଦୋଷ ରହି ଯାଇଛି । ତମେ ଗୋଟିଏ ଗଳ୍ପ ଶୁଣ । ଗୋଟିଏ ଦେଶରେ ଜଣେ ଶାସ୍ତ୍ର ଜାଣିଥିବା ପଣ୍ତିତ, ଧାର୍ମିକ ବ୍ରାହ୍ମଣ ଥିଲେ । ତାଙ୍କ ପରିବାରରେ ଥିଲେ ସେ, ସ୍ତ୍ରୀ, ପୁତ୍ର, ଓ ପୁତ୍ରବଧୂ । ଶାସ୍ତ୍ର ଓ ଧର୍ମୋପଦେଶ ଦାନ କରି ଯାହା ପାଉଥିଲେ ସେ ସେଇଥିରେ ଚଳୁଥିଲେ । ସେ ଦେଶରେ ତିନିବର୍ଷ ଦୁର୍ଭିକ୍ଷ ପଡ଼ିଲା । କୁଆଡ଼ୁ କିଛି ମିଳିଲା ନାହିଁ । ଥରେ ସେ ପରିବାର ପାଞ୍ଚଦିନ ଧରି ଉପବାସ ରହିଲେ । ଛଅଦିନ ଦିନ ସେ ଧାର୍ମିକ ବ୍ରାହ୍ମଣ କିଛି ଛତୁଆ ପାଇଲେ । ସେ ଛତୁଆତକ ଚାରି ଭାଗ କରି ଖାଇଲାବେଳକୁ ଜଣେ ଅତିଥି ଆସି ପହଞ୍ଚିଲେ । ଅତିଥିକୁ ତ ଅନାହାରରେ ଫେରାଇ ଦେବେନି । ଅତିଥିଙ୍କୁ ନାରାୟଣ ବୋଲି କୁହା ଯାଉଥିଲା । ପ୍ରଥମେ ଗୃହକର୍ତ୍ତା ତାଙ୍କ ଭାଗଟି ଦେଲେ । ଏତିକିରେ ଅତିଥିଙ୍କର ପେଟ ପୂରିଲା ନାହିଁ । ଗୃହିଣୀ କହିଲେ, ସ୍ୱାମୀଙ୍କର କାର୍ଯ୍ୟ ପୂରଣ ସ୍ତ୍ରୀର କର୍ତ୍ତବ୍ୟ; ତେଣୁ ସେ ତାଙ୍କ ଭାଗଟି ଦେଲେ । ସେଥିରେ ମଧ୍ୟ ଅତିଥିଙ୍କର ପେଟ ପୂରିଲା ନାହିଁ । ପୁଅ କହିଲା–ବାପାଙ୍କୁ ତାଙ୍କ କାମରେ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ । ତଥାପି ଅତିଥିଙ୍କର ପେଟ ପୂରିଲା ନାହିଁ । ପୁତ୍ରବଧୂ କହିଲା, ସ୍ୱାମୀଙ୍କର କାର୍ଯ୍ୟରେ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ; ସେ ମଧ୍ୟ ତାର ଭାଗ ଦାନ କଲା-। ସେହି ରାତିରେ ସେ ଚାରିଜଣ ଅନାହାରରେ ମରିଗଲେ । ପଡ଼ିଥିବା ଛତୁଆ ଉପରେ ମୁଁ ଗଡ଼ିଯିବାରୁ ମୋର ଅଧେ ସୁନା ହୋଇଗଲା । ଏଠାରେ ତ ଏତେ ଗଡ଼ିଲି, କାହିଁ ମୋର ଆର ଅଧକ ତ ସୁନା ପାଲଟିଲା ନାହିଁ । ତେଣୁ ଏ ଯଜ୍ଞ ଯଜ୍ଞ ନୁହେଁ ।

 

ସ୍ୱାର୍ଥତ୍ୟାଗ ଏବଂ ଦୟା ନ ଥିଲେ କ’ଣ ଭଲକାମ କରି ହୁଏ କି ?

Image

 

ସତ୍ୟ ଓ ସଂକଳ୍ପ

 

ସମୁଦ୍ରକୂଳରେ ଦିଓଟି ଛୋଟ ପକ୍ଷୀ ବସା କରି ରହିଥିଲେ । ସେମାନେ ଦିନେ ଚରିବାକୁ ଯାଇଥିଲେ । ଫେରିଆସି ଦେଖିଲେ ଯେ ସମୁଦ୍ର ଲହଡ଼ି ଆସି ତାଙ୍କର ବସା ଓ ସେଥିରେ ଥିବା ଡିମ୍ବଟିକୁ ଭସାଇ ନେଇଯାଇଛି । ସେମାନେ ବଡ଼ ଦୁଃଖ କଲେ । ତା’ପରେ ସମୁଦ୍ରଠାରୁ ଦୂରରେ ଗୋଟିଏ ଗାତ ଖୋଳି ସମୁଦ୍ରପାଣି ଥଣ୍ଟରେ ଆଣି ସେଥିରେ ବୁନ୍ଦା ବୁନ୍ଦା ପକାଇବାକୁ ଲାଗିଲେ । ଥରକୁ ଥର ଯା’ନ୍ତି ପୁଣି ସମୁଦ୍ରରୁ ପାଣି ଆଣି ଗାତରେ ରଖନ୍ତି । ଏଇମିତି ଚାଲିଥାଏ ।

 

ବରୁଣ ଦେବତା ଏହି ଛୋଟ ଚଢ଼େଇ ଦିଓଟିଙ୍କୁ ବହୁଦିନ ଅପେକ୍ଷା କରି ଦେଖିଲେ । ଚଢ଼େଇ ଦିଓଟି ଅବିଶ୍ରାନ୍ତ ଭାବରେ ଏ କାମ କରି ଚାଲିଥାନ୍ତି ।

 

ବରୁଣ ହେଲେ ଜଳ-ଦେବତା । ସେ ସମୁଦ୍ରର ଅଧିପତି । ଦିନେ ସେ ପକ୍ଷୀ ଦିଓଟିଙ୍କୁ ଡକାଇ ପଠାଇଲେ । ପକ୍ଷୀ ଦୁହେଁ କହିଲେ—ଆମର ସମୟ ନାହିଁ । ଆମକୁ ସମୁଦ୍ରଟିକୁ ଶୁଖାଇ ଦେବାକୁ ପଡ଼ିବ ।

 

ବରୁଣ ଦେବତା ଆଶ୍ଚର୍ଯ୍ୟ ହେଲେ । ଦୁଇଟି ସାମାନ୍ୟ ଛୋଟ ଚଢ଼େଇ ଏତେ ବଡ଼ ସମୁଦ୍ରଟିକୁ ପୁଣି ଶୁଖାଇ ଦେବେ ! ବଡ଼ ସାହସ ତାଙ୍କର !

 

ବରୁଣ ଦେବତା ସେ ସାନ ପକ୍ଷୀଦିଓଟିଙ୍କୁ ଡାକି କହିଲେ—‘ଏତେ: ବଡ଼ ସମୁଦ୍ରକୁ: ତୁମ ଟିକି ଟିକି ଥଣ୍ଟରେ ପାଣି ନେଇ ଶୁଖାଇ ଦେବ ? ଏତେ ବଡ଼ ସାହସ କରୁଛ କିପରି ?’ ସେମାନେ କହିଲେ—‘ଏହାହିଁ ଆମର ସଂକଳ୍ପ ।’ ବରୁଣ ଦେବତା କହିଲେ—‘ଆଚ୍ଛା, କେଉଁଥିପାଇଁ ଏହା କରୁଛ-?’ ସେମାନେ କହିଲେ—‘ସମୁଦ୍ର ଆମର ବସା ଓ ଡିମ୍ବକୁ ଭସାଇ ନେଇଛି । ସେଥିପାଇଁ ଆମର ଏ ସତ୍ୟ ସଂକଳ୍ପ ।’ ବରୁଣ ଦେବତା ଟିକି ଚଢ଼େଇ ଦିଓଟିଙ୍କର ସଂକଳ୍ପ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କୁ ପୁରସ୍କାର ଦେବା ପାଇଁ ବରୁଣଙ୍କର ଇଚ୍ଛା ହେଲା । ସେ ସମୁଦ୍ରରୁ ତାଙ୍କର ଡିମ୍ବ ଓ ବସାଟିକୁ ଉଦ୍ଧାର କରି ଆଣି ତାଙ୍କ ପାଖରେ ପହଞ୍ଚାଇ ଦେଲେ । ପକ୍ଷୀଙ୍କର ଆନନ୍ଦ ଦେଖେ କିଏ ?

 

ଏଇଥିରୁ ପିଲାଏ କ’ଣ ଶିଖିଲ କୁହତ ? ସତ୍ୟ ଓ ସଂକଳ୍ପ କରି ଏକାଗ୍ର ଚିତ୍ତରେ କୌଣସି କାର୍ଯ୍ୟ କଲେ ତା’ର ସୁଫଳ ନିଶ୍ଚୟ ମିଳିବ । ଭଗବାନ ତୁମର ସହାୟ ହେବେ । ସତ୍ୟ, ଏକାଗ୍ରତା ଓ ସଂକଳ୍ପ ଦ୍ୱାରା ପୃଥିବୀର ସମସ୍ତ ଶ୍ରେଷ୍ଠ କାର୍ଯ୍ୟ ସମ୍ଭବ ହୋଇପାରିଛି ।

Image

 

ନିଜ କ୍ଷେତ୍ରରେ କେହି ଛୋଟ ନୁହେଁ

 

ଗୋଟିଏ ଦେଶରେ ଜଣେ ରାଜା ଥିଲେ । ସେ ସମସ୍ତଙ୍କୁ ପଚାରନ୍ତି, ‘‘ସନ୍ନ୍ୟାସୀ ଶ୍ରେଷ୍ଠ ନା ଗୃହସ୍ଥ ଶ୍ରେଷ୍ଠ ?’’

 

ଏ ପ୍ରଶ୍ନର ସେ ଉତ୍ତର ପାଇ ନ ଥାନ୍ତି । ଦିନେ ଯୁବସନ୍ନ୍ୟାସୀ ଜଣେ ପହଞ୍ଚିଲେ । ରାଜାଙ୍କ ପ୍ରଶ୍ନର ଉତ୍ତରରେ କହିଲେ—‘‘ହେ ରାଜା, ନିଜ ନିଜ ଅଧିକାରରେ ଉଭୟ ଶ୍ରେଷ୍ଠ ।’’ ରାଜା କହିଲେ, ‘‘ପ୍ରମାଣ କରନ୍ତୁ ?’’ ସନ୍ନ୍ୟାସୀ କହିଲେ, ‘‘ପ୍ରମାଣ ଇଚ୍ଛା କଲେ ମୋ ସାଙ୍ଗରେ ଆସନ୍ତୁ ।’’ ତା’ପରେ ସନ୍ନ୍ୟାସୀ ରାଜାଙ୍କୁ ନେଇ ଦୂର ଜାଗାକୁ ଚାଲିଗଲେ । ଶେଷରେ ଗୋଟିଏ ରାଜ୍ୟର ରାଜଧାନୀରେ ପହଞ୍ଚି ଶୁଣିଲେ ଯେ ସେ ଦେଶର ରାଜଜେମାଙ୍କ ସ୍ୱୟଂବର ହେଉଛି । ସେ ଦୁହେଁ ସ୍ୱୟଂବର ଦେଖିବାକୁ ଗଲେ । ନାନା ଦେଶରୁ ରାଜାମାନେ ସୁନ୍ଦର ସୁନ୍ଦର ପୋଷାକ ପିନ୍ଧି ଆସିଛନ୍ତି-। ରାଜକୁମାରୀ ସ୍ୱୟଂବର ସଭାକୁ ଆସିଲେ । ସେ ସୁନ୍ଦର ପୋଷାକ ପରିହିତ ରାଜାମାନଙ୍କୁ ଦେଖିଲେ । ଗୋଟିଏ କଡ଼ରେ ଠିଆ ହୋଇଥିବା ଜଣେ ଅପୂର୍ବ ସୌମ୍ୟ ଦର୍ଶନ ଯୁବସନ୍ନ୍ୟାସୀଙ୍କୁ ଦେଖି ତାଙ୍କରି ବେକରେ ବରଣମାଳା ଦେଲେ । ସନ୍ନ୍ୟାସୀ କହିଲେ, ‘‘ମୁଁ ତ ସଂସାରଛଡ଼ା ଲୋକ; ମୋର ବିବାହ ସହିତ ସଂପର୍କ କଅଣ ?’’ ରାଜା ଭାବିଲେ, ବୋଧହୁଏ ଟଙ୍କା ପଇସା ନାହିଁ । ସେ କହିଲେ, ‘‘ଅଧକ ରାଜ୍ୟ ତମର । ମୁଁ ମଲେ ସବୁ ରାଜ୍ୟ ପାଇବ ।’’ ଏଥିରେ ସନ୍ନ୍ୟାସୀ ବିରକ୍ତ ହୋଇ ଜଙ୍ଗଲକୁ ପଳାଇଗଲେ । ପଛରେ ଥାଆନ୍ତି ରାଜକୁମାରୀ । ଏମାନଙ୍କର ଗତିବିଧି ଦେଖିବା ପାଇଁ ସେଇ ରାଜା ଓ ସନ୍ନ୍ୟାସୀ ଦିଜଣ ଚାଲିଲେ ।

 

ଗୋଟିଏ ଜଙ୍ଗଲରେ ଯୁବସନ୍ନ୍ୟାସୀ ଅଦୃଶ୍ୟ ହୋଇଗଲେ । ରାତି ଘୋଟି ଆସିଲା । ରାଜକୁମାରୀ ବାଟ ହରାଇ କାନ୍ଦୁଥାନ୍ତି । ରାଜା ଓ ସନ୍ନ୍ୟାସୀ ତାଙ୍କ ପାଖକୁ ଆସି ପ୍ରବୋଧ ଦେଲେ । ଗୋଟିଏ ଗଛତଳେ ତିନିଜଣ ଆଶ୍ରୟ ନେଲେ ।

 

ସେ ଗଛ ଉପରେ ତିନୋଟି ଛୋଟ ଚଢ଼େଇ ଥାନ୍ତି । ପୁରୁଷ ପକ୍ଷୀଟି କହିଲା, ‘ହଇହେ, ଆମର ଏଡ଼େ ଭାଗ୍ୟ ଯେ ଆମ ଗଛ ତଳେ ତିନିଜଣ ଅତିଥି ଅଛନ୍ତି । ସେମାନେ କ’ଣ ନ ଖାଇ ରାତିରେ ରହିବେ ? ଏ ଯେଉଁ ଶୀତ ପଡ଼ିଛି ?’’ ଏହା କହି ସେ ଥଣ୍ଟରେ ନିଆଁ ଆଣି ପକାଇଦେଲା-। ନିଆଁ ପୋଇଲେ ତିନିଜଣ । ଶୀତରୁ ରକ୍ଷା ମିଳିଲା ।

 

ପକ୍ଷୀଟି କହିଲା—‘‘ଅତିଥିମାନେ ଭୋକରେ ରହିଲେ, ଏ କ’ଣ ଭଲ ହେବ ? ଆମ ଖାଦ୍ୟ ତ ତିନିଜଣକୁ ଅଣ୍ଟିବ ନାହିଁ, ତେଣୁ ମୁଁ ଏ ଶରୀରଟି ତାଙ୍କୁ ଦେବି ।’’ ଚାହୁଁ ଚାହୁଁ ସେ ନିଆଁରେ ଝାସ ଦେଲା । ପକ୍ଷିଣୀ କହିଲା—‘‘ତିନି ଜଣଙ୍କର ପେଟ କ’ଣ ଏଇ ଗୋଟିଏ ଚଢ଼େଇରେ ପୂରିବ-? ମୁଁ ସ୍ତ୍ରୀର କର୍ତ୍ତବ୍ୟ କରିବି । ସ୍ୱାମୀର କୌଣସି ଉଦ୍ୟମକୁ ବିଫଳ ହେବାକୁ ନ ଦେବା ହିଁ ସ୍ତ୍ରୀର କର୍ତ୍ତବ୍ୟ ।’’ ଏହା କହୁଁ କହୁଁ ସେ ମଧ୍ୟ ନିଆଁରେ ଝାସ ଦେଲା ।

 

ପକ୍ଷୀ ଶାବକଟି କହିଲା—‘‘ମୋର ବାପ-ମାଆ ଯଥାସାଧ୍ୟ ଚେଷ୍ଟା କରିଛନ୍ତି, କିନ୍ତୁ ତାହା ଯଥେଷ୍ଟ ହେଲା ନାହିଁ । ବାପ-ମାଆଙ୍କର କାମ ପୂରଣ କରିବା ସନ୍ତାନର କର୍ତ୍ତବ୍ୟ । ତେଣୁ ଏ ଶରୀର ଯାଉ ।’’ ଏହା କହି ସେ ବି ସେଇ ନିଆଁରେ ଝାସ ଦେଲା ।

 

ତିନିଜଣ ଅତିଥି ଏସବୁ ଦେଖି ଅବାକ୍‍ ହେଲେ । ସକାଳ ହେଲା । ରାଜକୁମାରୀ ନଅରକୁ ଫେରିଗଲେ ।

 

ସନ୍ନ୍ୟାସୀ ରାଜାଙ୍କୁ କହିଲେ—‘‘ଦେଖିଲ ତ ନିଜ ନିଜ ଅଧିକାରରେ କେହି କାହାଠାରୁ କମ୍‍ ନୁହେଁ । ଯଦି ସଂସାରରେ ରହିବାକୁ ଇଚ୍ଛା କର, ତେବେ ଏହି ପକ୍ଷୀମାନଙ୍କ ପରି ପ୍ରତି ମୁହୂର୍ତ୍ତରେ ଅନ୍ୟମାନଙ୍କ ପାଇଁ ପ୍ରାଣ ଦେବାକୁ ପ୍ରସ୍ତୁତ ହୁଅ । ସଂସାର ତ୍ୟାଗ କରିବାକୁ ହେଲେ ଯୁବସନ୍ନ୍ୟାସୀଙ୍କ ପରି ପରମା ସୁନ୍ଦରୀ ଯୁବତୀ ରାଜକନ୍ୟା, ରାଜ୍ୟ, ଧନ ସବୁକୁ ତୁଚ୍ଛ ମନେକରି ଯିବାକୁ ହେବ । ଯଦି ଗୃହସ୍ଥ ହେବ, ତେବେ ଜୀବନକୁ ଅନ୍ୟର ହିତ ପାଇଁ ଉତ୍ସର୍ଗ କରିବାକୁ ସର୍ବଦା ତିଆର ହୁଅ । ସମସ୍ତେ ନିଜ ନିଜ ଅଧିକାରରେ ବଡ଼ କିନ୍ତୁ ଜଣଙ୍କର କର୍ତ୍ତବ୍ୟ ଅନ୍ୟର କର୍ତ୍ତବ୍ୟ ନୁହେଁ ।’’

Image

 

କୃତଜ୍ଞ ହୁଅ

 

ବହୁଦିନ ପୂର୍ବେ ୟୁରୋପ ଦେଶରେ କ୍ରୀତଦାସ ପ୍ରଥା ପ୍ରଚଳିତ ଥିଲା । ମଣିଷ ଶାଗ, ମୁଗ, ମାଛ ଭଳି କିଣାବିକା ହେଉଥିଲେ । ‘ଅଙ୍କଲ ଟମସ୍‍ କେବିନ’ ନାମକ ଏକ ପ୍ରସିଦ୍ଧ ଇଂରାଜୀ ପୁସ୍ତକ ଏ ସମ୍ପର୍କରେ ଅଛି । ତୁମେ ବହିଟି ପଢ଼ିବ । ମିସେସ୍‍ ହାରିଏଟ୍‍ ବିଚର ଏହି ବହିଟି ୧୮୫୧ ସାଲରେ ଲେଖିଥିଲେ । ଟମ୍‍ ବିଚରା ଗୋଟିଏ କ୍ରୀତଦାସ ଥିଲା । ତାକୁ ସମସନ୍‍ ନାମକ ତୂଳା ବଗିଚାର ମାଲିକ କିଣିଥିଲା । ସମସନ୍‍ର କୌଣସି କାମ ଟମ୍‍ ଖିଲାପ କରୁ ନ ଥିଲା । ଦୋଷ ଭିତରେ ତା’ର ଥିଲା ଯେ ସେ ସମସନ୍‍କୁ ଇଶ୍ୱର ବୋଲି ମାନୁ ନ ଥିଲା । ଜୀବନର ଶେଷ ପର୍ଯ୍ୟାୟରେ ସମସନ୍‍ ଚାବୁକ ମାରି ତାକୁ ବାଧ୍ୟ କରାଇବାକୁ ଚେଷ୍ଟା କଲା ଯେ—‘‘ମାନି ଯା ମୁହିଁ ତୋର ଈଶ୍ୱର ।’’ ଟମ୍‌ କହିଲା—‘‘ନା, ମୁଁ ମାନିବାକୁ ତିଆର ନୁହେଁ । ତମେ ଏହି ମର ଜଗତର ପ୍ରଭୁ-। ତମକୁ ମୁଁ ମୋର ସବୁ ପ୍ରକାର ପରିଶ୍ରମ ଦେବାକୁ ପ୍ରସ୍ତୁତ, କିନ୍ତୁ ମୁଁ ଈଶ୍ୱର ବୋଲି ମାନି ପାରେନା; କାରଣ, ଏହା କହିଲେ ଈଶ୍ୱରଙ୍କଠାରେ ଅକୃତଜ୍ଞ ହେବି ।’’ ଶେଷରେ ମାଲିକର ଚାବୁକରେ କ୍ରୀତବାସ ଟମ୍‌ର ପ୍ରାଣ ଗଲା ପଛକେ, ସେ ଈଶ୍ୱରଙ୍କଠାରେ ଅକୃତଜ୍ଞ ହେଲା ନାହିଁ ।

 

ଟମ୍‌ ଆମକୁ ଏକ ମହାନ୍‌ ସତ୍ୟ ଶିଖାଇ ଯାଇଛି । ଏହି ଯେଉଁ ଆକାଶ, ବାୟୁ, ସୂର୍ଯ୍ୟ, ପୃଥିବୀ, ସେ ଭିତରେ ଆଖିକୁ ସୁନ୍ଦର କେତେ ଛବି, ତୁଣ୍ତସୁଆଦ କେତେ ଫଳ, ଶସ୍ୟ, ସବୁ ସେହି ଜଗତର ନାଥ ସୃଷ୍ଟି କରିଛନ୍ତି । ତାଙ୍କ ଛଡ଼ା କିଏ ଆଉ କରି ପାରିବ ? ତମେ କହିବ ଏହି ମଣିଷ ସବୁ କରି ପାରୁଛି । ସବୁ ମଣିଷ କରୁଛି, କିନ୍ତୁ ମଣିଷର ସୃଷ୍ଟି କର୍ତ୍ତା କିଏ ? ମଣିଷକୁ ବୁଦ୍ଧି ଦେଲା କିଏ କୁହତ ? ମଣିଷ ତିଆରି ବୁଦ୍ଧିଜାତ ଜିନିଷ ଏବଂ ପ୍ରକୃତିକୋଳର ଫଳ ଫୁଲ ଗଛପତ୍ର କ’ଣ ଏକାଭଳି ଦେଖୁଛ ? ସବୁ ଭିତରେ ସର୍ବଦା ଭଗବାନ ବିରାଜମାନ କରୁଛନ୍ତି । ସବୁ ସୌନ୍ଦର୍ଯ୍ୟ ଭିତରେ ତାଙ୍କୁ ଦର୍ଶନ କର । ସେହି ଜଗତପିତା, ଯାହାର, ସୃଷ୍ଟିରେ ତମେ, ତାଙ୍କରି ଗୁଣଗାନ କର-। ଅକୃତଜ୍ଞ ହୁଅନା । ଏହା ବଡ଼ ପାପ ।

Image

 

ସାଙ୍ଗ ଦୋଷରେ ସବୁ ହୁଏ

 

ଗୋଟିଏ ଗାଁରେ ଦି’ଜଣ ପିଲା ଥିଲେ । ସେମାନେ ପିଲାଟି ବେଳୁ ସାଙ୍ଗ । ଗାଁରେ ଥିଲାବେଳେ ସେମାନେ ଏଡ଼େ ସୁନ୍ଦର ବ୍ୟବହାର ଦେଖାଉଥିଲେ ଯେ ଗାଁ ଲୋକେ ସେମାନଙ୍କୁ ପ୍ରଶଂସା କରୁଥିଲେ । ସେମାନେ କଟକ ପଢ଼ିବାକୁ ଗଲେ । କଟକରେ ତାଙ୍କର ବନ୍ଧୁତା ରହିଲା ନାହିଁ । ଦିଜଣ ଅଲଗା ଜାଗାରେ ରହି ପାଠ ପଢ଼ିଲେ । ଜଣେ ଭଲ ପାଠ ପଢ଼ିଲା । ସେ ସବୁବେଳେ ବହିପତ୍ର ନେଇଥାଏ ଏବଂ ସମୟ ପଡ଼ିଲେ ଅଧ୍ୟାପକମାନଙ୍କ ପାଖକୁ ବୁଝିବାକୁ ଯାଏ-। ଅନ୍ୟ ପିଲାଟି ସାଙ୍ଗ ମେଳରେ ମାତି ରାଜନୀତି କଲା । ପାଠପଢ଼ା ଛାଡ଼ି ଧର୍ମଘଟରେ ଯୋଗଦେଲା । ସଭା ସମିତିରେ ବ୍ୟସ୍ତ ରହିଲା । ପରୀକ୍ଷା ସମୟ, ସେ ଥରେ କ’ଣ ସଭା କରିବାକୁ ଗଲାବେଳେ ତା’ ବନ୍ଧୁଟି ଆସି କହିଲା—‘‘ଭାଇ ଯାଉଛୁ କୁଆଡ଼େ ? ପରୀକ୍ଷା ପରା ଆଉ ଦି ଦିନ ? ଆମେ ପାଠ ପଢ଼ିବାକୁ ଆସିଛୁ । କହ ତ ଆମ ବାପା ମା ଭାଇମାନେ କେତେ କଷ୍ଟ କରି ଟଙ୍କା ପଠାଉଛନ୍ତି ଆମ ପଢ଼ିବା ପାଇଁ । ତୁ କାହିଁକି ସେହି ଅସାଧୁ, ଭଣ୍ତଗୁଡ଼ାଙ୍କ ସାଙ୍ଗରେ ସାଙ୍ଗ ହେଉଚୁ-? ପାଠ ପଢ଼ିବା ଆମର କାମ ?

 

ରାଜନୀତି କରୁଥିବା ସାଙ୍ଗଟି କହିଲା—‘‘ବାଜେ କଥା ସବୁ ବକନା । ମୁଁ ଯାହା କରୁଛି ଠିକ୍‌ କରୁଛି ।’’ ଶେଷରେ କ’ଣ ହେଲା ଜାଣିଛ ? ସେ ପିଲାଟି ପରୀକ୍ଷାରେ ଫେଲ୍‍ ହେଲା । ପଢ଼ିଲେ ସିନା ପରୀକ୍ଷାରେ ପାସ୍‍ କରିବ । ବୁଲି ବୁଲି ଜୀବନଟା ମାଟି କରିଦେଲା ।

 

ଭଲମନ୍ଦ ବେଳେ ଗୋଟିଏ ଉପଦେଶ ମନେ ରଖିବ । ଏଇଟି ଶ୍ରୀରାମକୃଷ୍ଣ ଦେବ କହିଛନ୍ତି—ଈଶ୍ୱର ସର୍ବଭୂତରେ ଅଛନ୍ତି । ସାଧୁ, ଅସାଧୁ, ଭକ୍ତ, ଅଭକ୍ତ ସମସ୍ତଙ୍କ ହୃଦୟରେ ସେ ଅଛନ୍ତି । କାହା ସହିତ ମୁହଁର ଆଳାପ ଚାଲେ, ପୁଣି କାହା ସାଙ୍ଗରେ ତାହା ମଧ୍ୟ ଚଳେନା । ମନ୍ଦ ଲୋକଙ୍କ ଠାରୁ ସର୍ବଦା ଦୂରରେ ରହିବ । ସବୁବେଳେ ଭାବିବ, ତୁମେ କୌଣସି କାର୍ଯ୍ୟ କରିବା ପାଇଁ ଆସିଛ । ବାଘ ଭିତରେ ଈଶ୍ୱର ଅଛନ୍ତି, କିନ୍ତୁ ୟା ବୋଲି ବାଘକୁ ଆଲିଙ୍ଗନ କରିବ କି ?

 

ଶାସ୍ତ୍ରରେ ଅଛି—ଜଳ ନାରାୟଣ, କିନ୍ତୁ କୌଣସି ପାଣି ଠାକୁର ସେବାରେ ଚଳେ, ପୁଣି କୌଣସି ପାଣିରେ ଗୋଡ଼ଧୂଆ, ଲୁଗାକଚା, ବାସନ ମଜା ହୁଏ କିନ୍ତୁ ମୁହଁ ଧୁଆ, ଖାଇବା ବା ଠାକୁର ସେବା ହୁଏ ନାହିଁ । ଏପରିକି କୌଣସି ପାଣି ଛୁଆଁ ମଧ୍ୟ ଯାଏନା ।

 

ସବୁବେଳେ ବିଚାର କରି ମନକୁ କହିବ—ରେ ମନ, ତୁ ଯେଉଁ ଜିନିଷ ଖାଇବୁ ପିନ୍ଧିବୁ ବୋଲି ଭାବୁଚୁ, ସେସବୁ ପଞ୍ଚଭୂତରେ ତିଆରି ।

 

ମନକୁ ବୁଝାଇ ଦେଲେ ସବୁ ବାସନା ଚାଲିଯିବ । ତୁମ ଭିତରୁ ନୂଆ ମଣିଷ ଚେଇଁ ଉଠିବ । ଥରେ ଇମିତି ବିଚାର କର ତ । ଅସଲ କଥା ଆମ ଭିତରେ ଶୁଦ୍ଧ ଆତ୍ମା, ଶୁଦ୍ଧ ଭାବ, ଅମର ଅମୃତ ରହିଛି । ତା’ କଥା ଶୁଣିଲେ ଯାଇ ତମେ ହେବ ସବୁଠାରୁ ଭଲ ମଣିଷ । ଏ ଦୁନିଆଁରେ ଭଲ ମଣିଷର ଦରକାର ।

Image

 

ଅହଙ୍କାର କର ନାହିଁ

 

ବଡ଼ ପଡ଼ିଆଟାଏ । ପଡ଼ିଆ ଭିତରେ ଗୋଟିଏ ପ୍ରକାଣ୍ତ ବରଗଛ । ଓହଳ ସବୁ ଲମ୍ବିଛି ଚାରିପଟେ । ଗଛ ଉପରେ ନାନା ଜାତିର ପକ୍ଷୀ ବସା ବାନ୍ଧିଥାନ୍ତି ।

 

ବରଗଛଟିର ବଡ଼ ଗର୍ବ । ଅହଙ୍କାରରେ ବୁଡ଼ି ରହିଥାଏ । ସେ ନିଜକୁ ଖୁବ୍‌ ବଡ଼ ବୋଲି ଭାବେ । ଆଉ କାହାକୁ ଖାତିର କରେ ନାହିଁ । ତା’ ପାଖରେ ପାଖରେ ଗୋଟିଏ ଦୁବଘାସ କଅଁଳି ଥାଏ । ବରଗଛ ତାକୁ ଥଟ୍ଟା କରି କହିଲା—‘‘ତୁ ଏଡ଼ିକି ଟିକିଏ କ’ଣ ହୋଇଛୁ ।’’

 

ଦୁବଘାସ କହିଲା—‘‘ମୁଁ ଯେତିକି ହେବାର ହୋଇଛି । ମୋର ଆଉ ଅଧିକ ଲୋଡ଼ା ନାହିଁ-।’’

 

ବରଗଛ ଶୁଣି ଥଟ୍ଟା କରି କହିଲା—‘‘ଆରେ ମୂର୍ଖ, ତୁ କ’ଣ ମୋ ଭଳି ହୋଇ ପାରିବୁ ଯେ ।’’

 

ଦୁବଘାସ କହିଲା—‘‘ତା’ ସତ, କିନ୍ତୁ ତମେ ଏତେ ଗର୍ବ କର ନାହିଁ । ମୁଁ ଥରେ ଟଳି ପଡ଼ିଲେ ପୁଣି ଠିଆ ହୋଇପାରିବି, କିନ୍ତୁ ତମେ ତ ପାରିବ ନାହିଁ ।’’

 

ବରଗଛ କହିଲା—‘‘ମୋତେ ପୁଣି ଟଳାଇବ କିଏ ? ନିଜେ ଭଗବାନ ଆସିଲେ ମଧ୍ୟ ଓପାଡ଼ି ପାରିବେ ନାହିଁ, ବୁଝିଲୁ !’’

 

ଦୁବଘାସ ହସି କହିଲା—‘‘ଏଡ଼େ ଗର୍ବ କରନା ।’’

 

ସେଦିନ ରାତିରେ ପ୍ରବଳ ଝଡ଼ ଆସି ବରଗଛଟିକୁ ଓପାଡ଼ି ଦେଲା । ସକାଳ ହେଲା । ଦୁବଘାସ ବରଗଛକୁ ହସି କହିଲା—‘‘ବରଗଛ ଭାଇ, ମୁଁ ଝଡ଼ ବେଳେ ଶୋଇ ଯାଇଥିଲି, ଏବେ ଉଠିଲି । ତମେ ତ ଆଉ କ’ଣ ଉଠି ପାରୁନାହଁ ?’’

 

ପୋକମାଛିଟିକୁ ମଧ୍ୟ ନିନ୍ଦା କରିବା ଉଚିତ ନୁହେଁ । ଅହଙ୍କାର କରିବ ନାହିଁ । ଗର୍ବ ନିଶ୍ଚୟ ଖର୍ବ ହେବ । ସବୁବେଳେ ଜାଣିବ, ସବୁ ପରମେଶ୍ୱରଙ୍କ ସୃଷ୍ଟି । ସେ ସବୁ ଭିତରେ ବିରାଜମାନ ।

Image

 

ମନୁଷ୍ୟର ଇଚ୍ଛା ଓ ଭାଗ୍ୟ

 

ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ କହନ୍ତି ଯେ ମଣିଷ ଇଚ୍ଛା କଲେ ସବୁ କରିପାରିବ । ଏହିପରି ସ୍ୱ ଅଭିମାନୀ ବ୍ୟକ୍ତି ଅନେକ ଅଛନ୍ତି । ଶ୍ରୀ ଭାସ୍କରାନନ୍ଦ ସରସ୍ୱତୀ ନାମକ ଜଣେ ପ୍ରସିଦ୍ଧ ସାଧୁଙ୍କ କଥା ଶୁଣିଥିବ । ଅମେରିକାର ବିଖ୍ୟାତ ଲେଖକ ମାର୍କଟୋଏନ ତାଙ୍କର ‘ମୋର ଟ୍ରାୟାମ ଏବ୍ରଡ଼’ ପୁସ୍ତକରେ ଏହି ପ୍ରସିଦ୍ଧ ଯୋଗୀଙ୍କ କଥା ଉଲ୍ଲେଖ କରିଛନ୍ତି । ସେତେବେଳର ଭାରତର ପ୍ରଧାନ ସେନାଧ୍ୟକ୍ଷ ଯୁରୋପୀୟ ତାଙ୍କ ସହିତ ଥରେ ଦେଖା କରିବାକୁ ଆସିଥିଲେ । ସେନାଧ୍ୟକ୍ଷ ନିଜର ପ୍ରଶଂସା କରିବାକୁ ଲାଗିଲେ ଏବଂ ଜଣାଇ ଦେବାକୁ ଚାହିଁଲେ ଯେ ତାଙ୍କଠାରୁ ବଳି ବୀର ଏ ଧରାତଳେ ଯେପରି କେହି ନାହାନ୍ତି । ଭାସ୍କରାନନ୍ଦ ସରସ୍ୱତୀ ସେନାଧ୍ୟକ୍ଷଙ୍କ ଆଗରେ ଗୋଟିଏ ପେନ୍‌ସିଲ ରଖି ସେଇଟିକୁ ଉଠାଇବାକୁ ଅନୁରୋଧ କଲେ । ଏଡ଼େ ବିରାଟ ଯୁଦ୍ଧରେ ଜୟଲାଭ କରି ଯେ ଶ୍ରେଷ୍ଠ ଗୌରବ କରିଛନ୍ତି; ତାଙ୍କ ପକ୍ଷରେ ସାମାନ୍ୟ ଗୋଟିଏ ପେନ୍‌ସିଲ ଉଠାଇବା ତୁଚ୍ଛ ବ୍ୟାପାର କିନ୍ତୁ ସେନାଧ୍ୟକ୍ଷ ସମସ୍ତ ଶକ୍ତି ପ୍ରୟୋଗ କରି ମଧ୍ୟ ପେନ୍‌ସିଲଟି ଉଠାଇ ପାରିଲେ ନାହିଁ । ଗର୍ବ ଖର୍ବ ହେଲା, ସାଧୁ ଭାସ୍କରାନନ୍ଦ ତାଙ୍କୁ ବୁଝାଇ କହିଲେ–ଭଗବାନଙ୍କ ଇଚ୍ଛାରେ ଯୁଦ୍ଧ ହୋଇଛି । ପ୍ରଧାନ ସେନାପତିଙ୍କର ଶକ୍ତିରେ ତାହା ହୋଇ ନାହିଁ-। ତାଙ୍କରି ଇଚ୍ଛାରେ ଜଗତ ଚଳେ—ମଣିଷର ଇଚ୍ଛାରେ ନୁହେଁ । ଆଷାଢ଼ ୨୫, ୧୮୯୯ ସାଲରେ ଭାସ୍କରାନନ୍ଦ ମହାସମାଧିରେ ଲୀନ ହୁଅନ୍ତି । ଏ ଘଟଣା ବେଶୀ ଦିନର ନୁହେଁ ।

 

ଆଉ ଅନେକ ଅଛନ୍ତି, ସେମାନେ ‘ଭାଗ୍ୟ’ ବୋଲି କହି ଚୁପ୍‌ କରି ବସିଥାନ୍ତି । ସେମାନେ ଭାବନ୍ତି, ଚୁପ୍‌ କରି ବସିଗଲେ ଆପେ ଆପେ ସବୁ ହୋଇ ଯାଇପାରିବ, କାରଣ ଭଗବାନ ତାଙ୍କ ପ୍ରାକୃତିକ ନିୟମରେ କରିବେ । ମୁହଁରେ ତୁଣ୍ତରେ ‘ଧର୍ମ’ ‘ଧର୍ମ’ ବୋଲି କହନ୍ତି । ଅଥଚ ଧର୍ମର ଉଦ୍ଦେଶ୍ୟ ଯେ ସଦ୍‌ଗୁଣରେ ଭୂଷିତ ହୋଇ ଭଲ କାର୍ଯ୍ୟ କରିବା, ତାହା ଭୁଲିଯାନ୍ତି । ତମେ ତେବେ ପଚାରିବ; ଭାଗ୍ୟ କ’ଣ ? ଯୋଗବାଶିଷ୍ଠ ରାମାୟଣ ଗ୍ରନ୍ଥର ନାମ ଶୁଣିଛ ? ପାଇଲେ ବହିଟି ପଢ଼ିବ । ଶ୍ରୀରାମଚନ୍ଦ୍ର ମହାପ୍ରଭୁ ପିଲା ବୟସରେ ସବୁ ତୀର୍ଥ ପର୍ଯ୍ୟଟନରୁ ଫେରି ଆସିଲେ । ତାଙ୍କ ମନରେ ବୈରାଗ୍ୟର ଉଦୟ ଦେଲା । ହରଦ୍ୱାର, ରାଜଭୋଗ, ରାଜପ୍ରାସାଦ କିଛି ଭଲ ଲାଗିଲା ନାହିଁ ।

 

ଏଣେ ବିଶ୍ୱାମିତ୍ର ମୁନି ତାଙ୍କୁ ନେବାକୁ ଆସିଲେ ନିଶାଚର ଅସୁରମାନଙ୍କୁ ଧ୍ୱଂସ କରିବା ପାଇଁ । ରାମଚନ୍ଦ୍ରଙ୍କର ବିମର୍ଷଭାବକୁ କଟାଇବାପାଇଁ ବଶିଷ୍ଠ ଏବଂ ବିଶ୍ୱାମିତ୍ରମୁନି ଉପଦେଶ ଦେଇଛନ୍ତି । ସେ କହିଛନ୍ତି ହତଭାଗ୍ୟ କହି ନିଜକୁ ନିନ୍ଦା କରନାହିଁ । କର୍ମ କର । କାମ କରିବାପାଇଁ ଏ ହାତ ହୋଇଛି । ଏଇ ମନରେ ଶୁଭ ଅଶୁଭ ଭାବ ଅଛି । ଶୁଭ ଘଟଣାରେ, ଶୁଭ କର୍ମରେ ନିଜକୁ ନିୟୋଜିତ କର । ଭାଗ୍ୟ ବୋଲି କିଛି ନାହିଁ । ଏହା ପୂର୍ବ କର୍ମଦ୍ୱାରା ନିର୍ଦ୍ଧାରିତ ହୁଏ । ପୁରୁଷକାର କର୍ମ ଲୋଡ଼ା । ବୀର ଭଳି ଝାମ୍ପ ମାର ଭଗବାନଙ୍କୁ ସ୍ମରଣ କର । ଅସତ୍‌କାମରେ ନୁହେଁ—ସତ୍‌କର୍ମରେ । ପ୍ରଥମେ ଶ୍ରଦ୍ଧା କରି ସଜ୍ଞାନ, ତା’ପରେ ଆଖିବୁଜି କାମ କରିଯାଅ । ତମର ପରାଜୟ ନାହିଁ । ତମେ ତମପାଇଁ କିଛି କରୁନ ତ । ଈଶ୍ୱରଙ୍କ ତୁଷ୍ଟିରେ କାର୍ଯ୍ୟ କର । ସତ୍କର୍ମ କର ସମସ୍ତ କର୍ମ ସମ୍ପୂର୍ଣ୍ଣ, ଅଖଣ୍ତ । କର୍ମଦ୍ୱାରା ସବୁ ଖଣ୍ତନ ହୁଏ । ସତ୍‍କର୍ମ ପାଇଁ ଏ ଜୀବନ ଉଦ୍ଦିଷ୍ଟ । ଈଶ୍ୱର ହିଁ ସର୍ବ ନିୟନ୍ତା । ସେ କର୍ମଫଳକୁ ଖଣ୍ତନ କରି ପାରନ୍ତି ତେଣୁ ଭାଗ୍ୟକୁ ଅପେକ୍ଷା ନ କରି ଈଶ୍ୱରଙ୍କଠାରେ ମନ ରଖ । କାର୍ଯ୍ୟ କରିଯାଅ । ସତ୍କାର୍ଯ୍ୟ ସତ୍‍ ଚିନ୍ତାହିଁ କର୍ତ୍ତବ୍ୟ କର୍ମ । ରାମଚନ୍ଦ୍ରଙ୍କର ବିଷାଦଖଣ୍ତନ ହେଲା । ସେ ବିଶ୍ୱାମିତ୍ରଙ୍କ ପାଇଁ ଯୁଦ୍ଧ କରିବାକୁ ଆଗଭର ହେଲେ ।

Image

 

ମନ ହିଁ ଅସଲ ପଦାର୍ଥ

 

ଜଣେ ଧନୀ ଘରେ ଗୋଟିଏ ଚାକର ପିଲା ଥିଲା । ଧନୀ ଲୋକଟି ଚାକରକୁ ଅବିଶ୍ୱାସ କରେ ନାହିଁ । ଟଙ୍କା ପଇସା ସେମିତି ତକିଆ ତଳେ, ଆଲମାରିରେ ଥାଏ । ଚାକର ପିଲାଟି ସେ ଆଡ଼କୁ ମନ ନ ଦେଇ ତା’ କାମ କରି ଯାଉଥାଏ । ଦିନେ ସେ ବିଛଣା ଝାଡ଼ୁଛି, ଦେଖିଲା ତକିଆତଳେ ଶହ ଶହ ଟଙ୍କା । ସେ ମନକୁ ମନ କହିଲା, ‘ଏ ଟଙ୍କାତକ ମୁଁ ତ ଅକ୍ଳେଶରେ ନେଇ, ରେଳ ଚଢ଼ି ବମ୍ବେ ପଳାଇଯାନ୍ତି । ମୋ ଖବର କିଏ ରଖନ୍ତା ?’ ମନଟା ସେଇଆଡ଼କୁ ଝୁଙ୍କିଗଲା । ସେ ଟଙ୍କାଗୁଡ଼ିକୁ ହାତରେ ଧରିଲା । ଟଙ୍କାଗୁଡ଼ାକୁ ଅନାଇଲା । ସେମାନେ କ’ଣ ଏହାକୁ କଥା କହନ୍ତେ ?

 

ତା’ପରେ ମନଟାକୁ ସେ କହିଲା—ଏ ଟଙ୍କାଗୁଡ଼ାକ ତ ଦିନେ ନିଶ୍ଚୟ ସରିଯିବ । ତା’ପରେ ଚାରିଆଡ଼େ ସେ ‘ଚୋର’ ବୋଲି ପରିଚିତ ହେବ । ପୁଲିସ ଧରିବ । ଆଜି କାମ କରି ଯେଉଁ ଦି’ପଇସା ପାଉଛି, ବାପମାକୁ ସାହାଯ୍ୟ କରି ପାରୁଛି, ତାହା ତ ଆଉ ପାରିବ ନାହିଁ । ଚୋର ବୋଲି ତାକୁ କେହି ଚାକିରି ଦେବେ ନାହିଁ । ସେ ଟଙ୍କାତକ ଥୋଇ ନିଜ କାମ କଲା ।

 

ଆମେ କୌଣସି କାମ କଲାବେଳେ ଆମ ମନ ଭିତରେ ଇମିତି ପ୍ରଶ୍ନ ଆସେ—ଶୁଭ ଓ ଅଶୁଭ । ଅଶୁଭ ଆଡ଼କୁ ମନ ଦେଲେ ମନଟା ସେ ଆଡ଼କୁ ଚାଲିଯାଏ, ତେବେ ତାର ପରିଣତିଟି ଦେଖିଲେ ମନଟା ସେ ଆଡ଼କୁ ଝୁଙ୍କିଯାଏ ନାହିଁ ।

 

ଏଇ ମନଟି ଯେପରି ସ୍ପ୍ରିଂର ଗଦି । ବସିଲେ ଚପିଯାଏ, ଉଠିପଡ଼ିଲେ ସେମିତି ସମାନ । ସାଧୁ ସଙ୍ଗ କଲେ ଦବିଯାଏ, ପୁଣି ସେମିତି ସମାନ ହୋଇଯାଏ । ସାଧୁସଙ୍ଗ ଦରକାର । ଏଇ ଯେଉଁ ମନ୍ଦିର ଦେଖୁଚ, ସେଠାରେ ଠାକୁର ଅଛନ୍ତି । ସେ ସବୁ ଆମକୁ କଣ ଜଣାନ୍ତି ? ପ୍ରଥମେ ଈଶ୍ୱର, ତା’ପରେ ଏ ଜଗତ–ସଂସାର–ପୃଥିବୀ । ଥରେ ଏଇଭଳି ଚିନ୍ତା କରି ଦେଖତ ?

Image

 

ଟଙ୍କା ମଣିଷ ତିଆରି କରିନାହିଁ

 

ଗୋଟିଏ ସହରରେ ଦୁଇଜଣ ମୂଲ ଲାଗି ପେଟ ପୋଷୁଥିଲେ । ଥରେ ତାଙ୍କ ଭିତରୁ ଜଣେ ଲଟେରୀରୁ ବହୁ ଟଙ୍କା ପାଇଲା । ବଡ଼ଲୋକ ହେଲା । କୋଠା ଘରେ ରହିଲା, ମୋଟର ଚଢ଼ିଲା, ତା’ ପିଲାଏ ଭଲ ଭଲ ଜିନିଷ ଖାଇଲେ, ପିନ୍ଧିଲେ । ଅନ୍ୟ ଜଣକ ଗୋଟିଏ କାରଖାନାରେ କାମ କଲା । ଧନୀ ହୋଇଥିବା ଲୋକଟି ଏହାକୁ ପଚାରିଲା ନାହିଁ । ଟଙ୍କାର ଅହଙ୍କାର । ଯୁଦ୍ଧ ଦେଶରେ ଲାଗିଲା, ଧନୀ ଲୋକଟି ତା’ ପୁଅକୁ ଯୁଦ୍ଧକୁ ପଠାଇଲା ନାହିଁ । କାରଖାନାର ଶ୍ରମିକଟି ତା’ର ପାଞ୍ଚ ପୁଅଙ୍କୁ ଯୁଦ୍ଧକୁ ପଠାଇଲା । ଯୁଦ୍ଧ କରି କରି ପାଞ୍ଚଜଣ ଦେଶପାଇଁ ମଲେ । ଦେଶସାରା ସୁଖ୍ୟାତି ବ୍ୟାପିଗଲା । କହିଲ କାହାର ଦାନ ବଡ଼ ? ଯେ ହସି ହସି ଦେଶ ପାଇଁ ପୁଅକୁ ପଠେଇଲା ସେ ନିଶ୍ଚୟ ବଡ଼ । ତେଣୁ ଟଙ୍କା ମଣିଷ ତିଆରି କରିଛି, କରୁଛି । ତମେ ଯଦି ସତ୍‌ ହୁଅ, ତାହାହିଁ ଯେକୌଣସି ଅର୍ଥର ମୂଲ୍ୟଠାରୁ ଅଧିକ ବୋଲି ଜାଣିବ । ଭଗବାନ ଧନ ଦେଇଛନ୍ତି ଗରିବ-ଆର୍ତ୍ତର ସେବା କରିବା ପାଇଁ । ଶ୍ରୀରାମକୃଷ୍ଣ ଦେବଙ୍କ ଉପଦେଶକୁ ମନେ ରଖିବ—ଈଶ୍ୱରଙ୍କଠାରେ ମନ ରଖି ସବୁ କାମ କରିବ । ବଡ଼ଘରମାନଙ୍କରେ ଦେଖିଥିବ ଚାକରାଣୀ ଥାଏ । ସେ ପିଲାକୁ ଯତ୍ନକରି ଖୁଆଏ, ପିଆଏ ନିଜ ପିଲାପରି, କିନ୍ତୁ ତା’ ମନରେ ଅଛି ଯେ ଏମାନେ କେହି ନୁହନ୍ତି ।

 

ସବୁଥିରେ ଭଲ ମନ୍ଦ ଅଛି, ବାଲିମିଶା ଚିନିରେ ଯେପରି ପିମ୍ପୁଡ଼ି ଚିନି ଟିକକ ନିଏ, ତମେ ସେଇଭଳି ଚିନି ଟିକକ ନେବ । ଦେଖିନ ହଂସ କିମିତି ଦୁଧମିଶା ପାଣିରୁ ଦୁଧ ଟିକକ ନେଇ ପାଣି ଟିକକ ରଖିଦିଏ ।

 

ଅସଲ କଥା ହେଲା ଅଭ୍ୟାସ, ଏଇଭଳି ଚିନ୍ତାକଲେ ହେଲା । ଉଦ୍ୟମକୁ ଧୈର୍ଯ୍ୟ ସହ ଚାଲୁ ରଖିଲେ ଫଳ ମିଳିବ । ଏଠାରେ ପରାଜୟ ନୈରାଶ୍ୟ, ପଛଘୁଞ୍ଚା ନାହିଁ । ତମ ଭିତରେ ଅମୃତ ଅଛି । ସେ ଅମୃତର ସନ୍ଧାନ ନିଅ ଥରେ ।

Image

 

ପରସେବା କଲେ ସାହାଯ୍ୟର ଅଭାବ ହୁଏ ନାହିଁ

 

ସ୍ୱାମୀ ବିବେକାନନ୍ଦ ହିନ୍ଦୁଧର୍ମର ଉପନିଷଦ୍‌, ବେଦବେଦାନ୍ତ ପ୍ରଚାରରେ ସେତେବେଳେ ୟୁରୋପ ଗ୍ରସ୍ତ କରୁଥାନ୍ତି । ଥରେ ଜଣେ ବୃଦ୍ଧା ଇଂରେଜ ମହିଳା ତାଙ୍କୁ ନିମନ୍ତ୍ରଣ କଲେ । ମହିଳାଙ୍କର ଘରଟି ଗୋଟିଏ ପାହାଡ଼ ଉପରେ ନିଛାଟିଆ ଜାଗାରେ ଥାଏ ।

 

ପ୍ରବଳ ତୁଷାରପାତ ହେଉଥାଏ । ଗଭୀର ରାତ୍ରି । ହଠାତ୍‌ ସ୍ୱାମୀଜୀ ଝରକା ଭିତର ଦେଇ ଗୋଟିଏ ଲଣ୍ଠନର ଆଲୋକ ଆସୁଥିବାର ଲକ୍ଷକଲେ । ଲଣ୍ଠନଟି ପାଖେଇ ଆସିବାରୁ ଦେଖିଲେ ଯେ ଗୋଟିଏ ବୃଦ୍ଧା ଲଣ୍ଠନ ଧରି ଆସୁ ଆସୁ ଗଡ଼ିପଡ଼ିଲେ । ସ୍ୱାମୀଜୀ ତତ୍‌କ୍ଷଣାତ୍‌ ପ୍ରବଳ ତୁଷାରପାତ ଭିତରେ ବାହାରକୁ ଯାଇ ସେ ବୃଦ୍ଧାଟିକୁ କୋଳରେ ଧରି ଆଣିଲେ । ବୃଦ୍ଧାଟି ପ୍ରବଳ ଥଣ୍ତାରେ ଜ୍ଞାନ ହରାଇଥାନ୍ତି । ବୃଦ୍ଧାଙ୍କୁ ସେବାଶୁଶ୍ରୂଷା କରିବାକୁ ସ୍ୱାମୀଜୀ ଲାଗିପଡ଼ିଲେ । ଘରର ମାଲିକାଣୀଙ୍କୁ କହିଲେ, ‘କପେ କଫି କ’ଣ ପ୍ରସ୍ତୁତ କରି ପାରିବ ?’ ଭଦ୍ରମହିଳା ରୋଷାଇଘର ପରୀକ୍ଷା କରି ଦେଖି ମନା କରିଦେଲେ । ତେଣୁ ସ୍ୱାମୀଜୀ କହିଲେ, ‘‘ପଡ଼ୋଶୀ ଘରେ ଚେଷ୍ଟା କର ।’’ ଭଦ୍ରମହିଳା କହିଲେ,‘‘ମୋର ପଡ଼ୋଶୀ ଭଲଲୋକ ନୁହନ୍ତି ।’’ ତାଙ୍କ ଘରେ ବଡ଼ ବଡ଼ ହିଂସ୍ର କୁକୁର ଅଛନ୍ତି । ତା’ ଛଡ଼ା ପଡ଼ୋଶୀ ଜଣକ ଅସତ୍‌ ଚରିତ୍ରର ଏବଂ ବଡ଼ ଉଗ୍ର ସ୍ୱଭାବର ଲୋକ । ତାଙ୍କୁ ସାହାଯ୍ୟ ମାଗିବା ବୃଥା ।

 

ସ୍ୱାମୀଜୀ କହିଲେ—‘‘ତୁମେ ତ ତୁମ ପାଇଁ ମାଗୁନାହଁ । ଏ ବୃଦ୍ଧାର ପ୍ରାଣ ବଞ୍ଚାଇବାକୁ ହେବ । ତୁମେ ଯାଅ, ନିଶ୍ଚୟ ପାଇବ ।’’

 

ଭଦ୍ରମହିଳା ଡରି ଡରି ପଡ଼ୋଶୀଙ୍କର ଫାଟକ ପାଖକୁ ଯାଇ ଦେଖନ୍ତି ତ କୁକୁରଗୁଡ଼ିକ ଉଗ୍ର ହୋଇ କାମୁଡ଼ିବାକୁ ଧାଇଁ ଆସୁନାହାନ୍ତି । ପଡ଼ୋଶୀଟି ଫାଟକ ପାଖକୁ ଆସି ନମ୍ର କଣ୍ଠରେ ପଚାରିଲେ—‘‘କ’ଣ ଦରକାର, ମହାଶୟ ! ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିବି ?’’ ଭଦ୍ରମହିଳା ଭାବି ପାରୁ ନଥିଲେ, ତଥାପି କହିଲେ—‘‘କପେ କଫି ଦେବେକି ?’’

 

ପଡ଼ୋଶୀ ତାଙ୍କୁ ଫାଟକ ଭିତରକୁ ଡାକିଆଣି ସସ୍ନେହରେ କହିଲେ,‘‘ମିନିଟିଏ ବସନ୍ତୁ, ମୁଁ କରି ଦେଉଛି । ଦେଖନ୍ତୁ, ଖାଲି କପେ କଫି ନେବେ କାହିଁକି, ମୁଁ ଦୁଧ ମିଶାଇ ଆଠ ଦଶ କପ୍‌ ଦେଉଛି ।’’

 

ୟୁରୋପୀୟ ମହିଳା ଗୋଟିଏ ଥର୍ମୋଫ୍ଳାସ୍କରେ କଫି ଆଣି ସ୍ୱାମୀଜୀଙ୍କୁ ଦେଲେ । ସ୍ୱାମୀଜୀ ଗରମ କଫି ବୃଦ୍ଧାଟିକୁ ଥରକୁ ଥର ଯତ୍ନ ସହକାରେ ପିଆଇବାରେ ତାର ଜ୍ଞାନ ଫେରିଆସିଲା । ସେ କହିଲା—‘‘ତମେ କଣ ସେହି ଭାରତୀୟ ସାଧୁ ?’’

 

ଭଦ୍ର ମହିଳାଟି କହିଲେ—‘‘ସ୍ୱାମୀ ବିବେକାନନ୍ଦ, ଆପଣ କଣ ମନ୍ତ୍ର ଜାଣନ୍ତି ? ପଡ଼ୋଶୀର ବ୍ୟବହାର ଏଡ଼େ ମୃଦୁ ଯେ ମୋତେ ଅଭିଭୂତ କଲା । ମୁଁ କଫି ମାଗିଲି, ସେ ଦୁଧମିଶା କଫି ଦେଲେ । ଏହାର ରହସ୍ୟ କଣ କୁହନ୍ତୁ ।’’

 

ସ୍ୱାମୀଜୀ ହସି ହସି କହିଲେ—

 

‘‘ଜାଣିରଖ, ତମର ଲକ୍ଷ୍ୟ ଯଦି ସତ୍, ପରାର୍ଥ ଓ ଉଚ୍ଚ ହୁଏ, ତେବେ ତମେ ଲକ୍ଷ୍ୟରେ ସଫଳ ହେବ ଏବଂ ଭଗବାନ ତୁମକୁ ସାହାଯ୍ୟ କରିବେ । ଏ ବିଶ୍ୱାସ ରହିବା ବାଞ୍ଛନୀୟ । ପରର ସେବାକଲେ ସାହାଯ୍ୟର ଅଭାବ ପଡ଼େ ନାହିଁ । ସାହାଯ୍ୟ ଆପେ ଆସେ, କିନ୍ତୁ ଟିକିଏ ସ୍ୱାର୍ଥର ଗନ୍ଧ ଥିଲେ ତମେ ନିଷ୍ଫଳ ହେବ । ଏହାହିଁ ରହସ୍ୟ ।’’

Image

 

ଲକ୍ଷ୍ୟ ଠିକ୍‌ ଥିଲେ ସାହସ ଆସିବ

 

ଥରେ କଲିକତାକୁ ଗୋଟିଏ ବଡ଼ ଜାହାଜ ଆସିଥିଲା । ମଝିରେ ମଝିରେ ଇମିତି ଜାହାଜ ଆସେ । ଜାହାଜ ଭିତରେ ପଶି ଜାହାଜ ଦେଖିବା ସମସ୍ତଙ୍କର ଇଚ୍ଛା, କିନ୍ତୁ ଏଠାରେ ଏକ ଅନୁମତିପତ୍ର ଦରକାର ହେଉଥିଲା ।

 

ଜଣେ ବଡ଼ ସାହେବ ଏହି ଅନୁମତି ଦେଉଥିଲେ । ସେତେବେଳେ ଦେଶରେ ବ୍ରିଟିଶ ରାଜତ୍ୱ । ଗୋଟିଏ ପିଲାର ଜାହାଜ ଦେଖିବାକୁ ଭାରି ଇଚ୍ଛା ହେଲା । ସେ ବଡ଼ ସାହେବଙ୍କ କୋଠି ଆଗରେ ଦେଖେତ ବହୁ ଲୋକ ଜମା ହୋଇଛନ୍ତି । ଭିତରକୁ ଯାଇ ପାରିଲେ ହୁଏତ ସାହେବ ଅନୁମତି ଦେବେ, କିନ୍ତୁ ଦରୁଆନଟି ନଛୋଡ଼ବନ୍ଦା । ଲୋକ ଦେଖି ଦେଖି ଛାଡ଼ନ୍ତୁ । ପିଲାଟି ଚାରିଆଡ଼େ ଦେଖିଲା । ଯେ ଶହ ଶହ ଲୋକ ଦେଖିବା ପାଇଁ ଅନୁମତିପତ୍ର ପାଇଁ ଆସିଛନ୍ତି ।

 

ଶେଷରେ ସେ ଲକ୍ଷକରି ଚପରାସୀମାନେ ଯେଉଁ ରାସ୍ତାରେ ଯା’ଆସ କରୁଥିଲେ, ସାହେବ ପାଖକୁ ସେହି ରାସ୍ତାରେ ଉପରକୁ ଉଠିଗଲା । କେହି ବାଧା ଦେଲେ ନାହିଁ । ବରଂ ଚପରାସୀମାନେ ସାହେବ କୋଠରୀକୁ ନେଇ ଛାଡ଼ିଦେଲେ । ପିଲାଟି ଦେଖିଲା ଯେ ସାହେବ ଜଣକ କେବଳ ଦସ୍ତଖତ କରି ଯାଉଛନ୍ତି । ପିଲାଟି ଛପା କାଗଜ ଧରିଲା ଆଗରେ । ସାହେବ ଦସ୍ତଖତ ଦେଇଦେଲେ । ଫେରି ଆସିଲାବେଳେ ଦରୁଆନକୁ ହସି ହସି ଅନୁମତି ପତ୍ର ଦେଇ ଚାଲିଗଲା । ଜାହାଜରେ ଚଢ଼ି ଚାରିଆଡ଼େ ବୁଲି ବୁଲି ବହୁ ଜ୍ଞାନ ଅର୍ଜନ କରି ଘରକୁ ଫେରିଲା । ଏ ପିଲାଟି କିଏ ଜାଣିଛ ? ସ୍ୱାମୀ ବିବେକାନନ୍ଦ । ଲକ୍ଷ୍ୟ ଯଦି ସତ୍‌ ଓ ଠିକ୍‌ ଥାଏ ତେବେ ତମେ ନିଶ୍ଚୟ ବିଜୟ ହାସଲ କରିବ ଏବଂ ଉଦ୍ଦୀପନା ଓ ସାହସ ଛାଏଁ ଛାଏଁ ଆସିବ ।

 

(୨)

 

ଥରେ ଗୋଟିଏ ଲୋକ ବିପଦରେ ପଡ଼ି ଜଣେ ତ୍ୟାଗୀଙ୍କ ପାଖକୁ ଯାଇ କହିଲା,‘‘ମୋତେ ଉପଦେଶ ଦିଅନ୍ତୁ । ମୁଁ ଘୋର ବିପଦରେ ପଡ଼ିଛି । ସବୁ ଆଶା ଭରସା ତୁଟି ଯାଇଛି, ମୋତେ ପଥ ଦେଖାନ୍ତୁ । ତ୍ୟାଗୀ କର୍ମୀ ଜଣକ ଲୋକଟିକୁ କହିଲେ, ‘‘ସଦ୍‌ଗୁଣ ବିକାଶ କର ଏବଂ ସତ୍‌ମାର୍ଗରେ ଜୀବନ ଅତିବାହିତ କର ।’’

 

ଲୋକଟି ତ୍ୟାଗୀଙ୍କଠାରୁ ଆଦେଶ ପାଇ ସତ୍‌ମାର୍ଗରେ ଜୀବନ ବିତାଇବାକୁ ଲାଗିଲା । ଦେଖୁଁ ଦେଖୁଁ ବିପଦ ଚାରିଆଡ଼ୁ ଘୋଟିଆସିଲା । ସେ ସତ କଥା କହିଲା । କିନ୍ତୁ ଅସତ୍‌ ଲୋକଙ୍କର ସାଙ୍ଗ ନ ଧରିଲେ ପଇସା ଦେବ କିଏ ?

 

ଲୋକଟି ଭୟବିହ୍ୱଳ ହୋଇ ସେଇ ତ୍ୟାଗୀଙ୍କ ପାଖରେ ପହଞ୍ଚିଲା । କହିଲା—‘‘ଆଜ୍ଞା, ସଂସାର ଭିତରେ ତ ମୁଁ ଦେଖୁଛି ସମସ୍ତେ ଖଳଲୋକ । ମୋ ସତ କଥାର ଆଦର କାହିଁ ? ସତକଥା କହିବାରୁ ମୋର ବଡ଼ ଅଭାବ ହେଉଛି । ମୁଁ କ’ଣ କରିବି କୁହନ୍ତୁ ।’’

 

ସାଧୁବ୍ୟକ୍ତି କହିଲେ—‘‘ଭାଇ, ଦୁନିଆ ଖଳ ହେଲେ ତମର କ’ଣ ଯାଏ ଆସେ କହିଲ-? ତମର ପୁଅ ଯଦି ପଣ୍ତିତ ହୁଏ ତମେ ପଣ୍ତିତ ହୋଇଯିବକି ? ତମ ଭାଇ ବଡ଼ଲୋକ ହେଲେ ତମର ଯାଏ ଆସେ କ’ଣ ? ତମ କକେଇ ଜିଲାପାଳ ହେଲେ ତମର ଯାଏ ଆସେ କେତେ-? ତମେ ତମରି କଥାଟି ଦେଖ । ସତ୍ୟ ପଥରେ ଚାଲିଲେ ଇମିତି ଟିକିଏ ବାଧା ଆସେ । ପ୍ରଥମେ ପ୍ରଥମେ ଇମିତି କାମ କଲାବେଳେ ଅଡ଼ୁଆ ଲାଗେ । କିଛି ଦୂର ଆଗେଇ ଯାଅ, ଦେଖିବ କିମିତି ଭଲରେ ରହିବ । ସ୍ତ୍ରୀଙ୍କୁ ବୁଝାଅ, ପିଲାଙ୍କୁ କହ—ସତ୍‌କର୍ମରେ ଯେଉଁ ଆୟ ହୁଏ ତାହା କେତେ ମିଠା, ରୁଚିକର ।’’ ଏହା କହି ସେ ଖଣ୍ତିଏ କାଗଜରେ ଲେଖିଦେଲେ—‘ଲକ୍ଷ୍ୟ ଠିକ୍‌ ଥିଲେ ନିର୍ଭୟ ହୁଅ’ ।

 

ଲୋକଟି ଘରକୁ ଫେରିଆସିଲା । ଝଡ଼ଝଞ୍ଜା ଭିତରେ ଆଗେଇଗଲା ସେ । ଶେଷରେ ସେ ଜଗତ୍‌ପୂଜ୍ୟ ହେଲା । ତେଣୁ ଆତ୍ମନିର୍ଭର ହୁଅ । ଜାଣିରଖ ଯେ ତମର ଲକ୍ଷ୍ୟ ଠିକ୍‌ ଥିଲେ ତୁମେ ନିଶ୍ଚୟ ଶେଷରେ ବିଜୟୀ ହେବ ।

Image

 

କଷଟି ପଥର

 

ଏ ବିରାଟ ଦୁନିଆରେ କେତେଭଳି ଲୋକ ଅଛନ୍ତି । ହେଲେ ଭଲ ଓ ମନ୍ଦ ଦିଓଟି ଜିନିଷ ଦିନରାତି ଭଳି ଲାଗି ରହିଛି । ସମସ୍ତେ ଚାହାନ୍ତି, ତମେ ବି ଚାହୁଁଥିବ, ଖାଲି ସୁଖ ମିଳନ୍ତା କି ? ପରୀକ୍ଷା ବନ୍ଦ ହୁଅନ୍ତା କି ? ମନ ଯାହା ପାଇବାକୁ ଇଚ୍ଛା କରୁଥାନ୍ତା, ସବୁ ମିଳନ୍ତା କି ? ନିଜ ଇଚ୍ଛା ଅନୁଯାୟୀ ଜିନିଷଟି ନ ମିଳିଲେ ଦୁଃଖ ଓ ଅଶାନ୍ତି । ପାଠ ପଢ଼ି ଘରକୁ ଫେରିଲେ ମାଆ ଜଳଖିଆ ନଦେଲେ କେତେ ରାଗ । ସିମିତି କୁଆଁର ପୁନେଇଁରେ ଜାମାପଟା ନହେଲେ କେତେ କାନ୍ଦୁଥାଅ, ନିଜ ଇଚ୍ଛାର ଜିନିଷ ନ ପାଇଲେ ମନରେ ବଡ଼ ଦୁଃଖ ହୁଏ । ସତ କଥା । ତେବେ ଏଇ ଦୁଃଖଟିକୁ ଦୂର କରିବାର ଉପାୟ ରହିଛି । କିମିତି ଜାଣିଛ ? ଥରେ ଦେଖିଲ, ତମ ସାଙ୍ଗରେ ଯେଉଁ ଗରିବ ପିଲାଟି ପଢ଼ୁଚି, ନ ହେଲେ ରାସ୍ତା ଧାରରେ ଯେଉଁ ଦୁଃଖୀ ରଙ୍କିଟି ଫୁଙ୍ଗା ଦେହରେ ପଡ଼ିଛି, ତା’କଥା ଭାବିଲ ଦେଖି । ବହୁବର୍ଷତଳେ ବୁଦ୍ଧଦେବ ଜନ୍ମଗ୍ରହଣ କରିଥିଲେ । ରଜାପୁଅ, ଘରଦ୍ୱାର, ସୁନ୍ଦରୀ ସ୍ତ୍ରୀ, ରାଜଗାଦି ଛାଡ଼ି ଏହି ଦୁଃଖ ଦାଉରୁ କିପରି ରକ୍ଷା ମିଳିବ, ସେ କଠିନ ତପସ୍ୟା କରି ଜଗତରେ ଏକ ଆଲୋକ ଦେଖାଇ କହିଛନ୍ତି—ବାସନା ନିବୃତ୍ତି କଲେ ଶାନ୍ତି, ସୁଖ, ମିଳିବ । ମନର ଇଚ୍ଛାକୁ ଯଦି ମନରୁ କାଢ଼ିଦିଅ, ମନକୁ ବୁଝାଇ ଦିଅ, ତେବେ ସବୁକାମ ଶେଷ । ଜାଣିରଖ ‘ମନ’ ହେଲା ଅସଲ ଜିନିଷ । ମନକୁ ଯଦି ଦଉଡ଼ାଇ ଦେବ ତେବେ ମନ ତୁମକୁ କୁଆଡ଼େ ପକାଇ ଦେବସେ ପାଗଳା ହାତୀ । ମନକୁ ଯଦି ଦୃଢ଼ କରିବ ତମେ ସବୁ କାମରେ ଜୟ କରି ପାରିବ ।

 

ହଉ ଗୋଟିଏ ଗପ ଶୁଣ । ଗୋଟିଏ ରାଇଜ ଥାଏ ଯେ ତହିଁରେ ପାଞ୍ଚଜଣ ପାତ୍ରମନ୍ତ୍ରୀ । ଧର ତାଙ୍କ ନାଁ କାନ, ନାକ, ଜିଭ, ଆଖି ଓ ହାତ । ଥରେ ଏମାନଙ୍କ ଭିତରେ ଝଗଡ଼ା ହେଲା । କାନ କ’ଣ କଲାକି ଏମାନଙ୍କ ଭିତରୁ ବର୍ଷକ ପାଇଁ ବାହାରକୁ ଚାଲିଯାଇ ଫେରିଆସି ପଚାରିଲା–‘‘ହଇହୋ, ତମେ ସବୁ କିପରି ଅଛ ? ମୁଁ ତ ଯାଇଥିଲି ।’’ ସେମାନେ କହିଲେ, ‘‘ଶୁଣିବା ଶକ୍ତି ନଥିବା ଅନେକ ଲୋକ ଅଛନ୍ତି, ତେଣୁ ଅସୁବିଧା କ’ଣ ?’’ ଆଖି ବର୍ଷକ ପାଇଁ ବାହାରକୁ ଯାଇ ଫେରିଆସି କହିଲା—‘‘ହଇ ହୋ, ମୁଁ ନଥିଲି, ତମେସବୁ ବଞ୍ଚିଲ କିପରି ?’’ ସେମାନେ କହିଲେ–‘‘ପାଗଳ ନା କ’ଣ ? ଆଖି ନଥିବା ଲୋକ ଅନେକ ଅଛନ୍ତି । କାହିଁ କିଛିତ ଅସୁବିଧା ହେଲା ନାହିଁ ।’’ ଜିଭ ସିମିତି ଗଲା, ଫେରିଆସି ପଚାରିବାରେ ଏମାନେ କହିଲେ, ‘‘ଜିଭ ନଥିବା ଅନେକ ଲୋକ ଅଛନ୍ତି, ତେଣୁ ଅସୁବିଧା କ’ଣ ?’’ ନାକ ଓ ହାତ ସେମିତି ବର୍ଷକ ପାଇଁ ବାହାରକୁ ଯାଇ ପଚାରିବାରେ ଅନ୍ୟମାନେ କହିଲେ—‘‘ତମେ ନ ଥିଲେ କ’ଣ ହେଲା, ଆମେସବୁ ସୁଖରେ ଅଛୁଁ-।’’ ତା’ପରେ ମନ-ପ୍ରାଣ କହିଲା ମୁଁ ଯାଏଁ । ମନ-ପ୍ରାଣ ଗଲାବେଳେ ସବୁ ମଉଳିଗଲେ । ସେଇଠୁ ଠିକ୍‌ ହେଲା ଯେ ପ୍ରାଣ ହିଁ ଦେହ ଉପରେ ରାଜା । ଏହି ପ୍ରାଣକୁ ମନ ବୋଲି କୁହାଯାଏ ।

 

ଏହି ମନକୁ ଦୃଢ଼ କଲେ ବହୁ ଅସମ୍ଭବ ସମ୍ଭବ ହୋଇପାରିବ । ତେବେ ମନକୁ ଟ୍ରେନିଂ ଦେବା ଦରକାର । ଯେମିତି ଘୋଡ଼ା ବା ବଳଦକୁ ମଣ କରାଯାଏ, ମନକୁ ସିମିତି ଭଲ ମାର୍ଗରେ ପରିଚାଳିତ କରିବା ଦରକାର । ଏଇ ମନଟି ଭଲ ଓ ମନ୍ଦ ପଥରେ ଚାଲେ । ମନ୍ଦ ରାସ୍ତାରେ ଚାଲିବାକୁ ଆଗଭର ହୁଏ । ହେଲେ ଝୁଣ୍ଟିପଡ଼ିବାର ଭୟ ବେଶି । ଦୁଃଖକୁ କିଣିବାକୁ ହେଲେ ଭଲ ରାସ୍ତାଧରି ଯିବାକୁ ପଡ଼େ । ଦୁଃଖ ହେଉଛି କଷଟି ପଥର ।

Image

 

ଦୁଃଖକୁ ଜୟ କରିବ କିପରି ?

 

ତମେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଯେତେ ଲୋକ ଦେଖୁଛ ତାଙ୍କୁ ପରୀକ୍ଷା କଲେ ଦେଖିବ, ସେମାନେ କହିବେ ଯେ ସମସ୍ତେ ଦୁଃଖରେ ଅଛନ୍ତି । କେହି କହିବ, ସେଇଟା ନ ମିଳିବାରୁ ଦୁଃଖ ହେଲା । ଆଉ କେହି କହିବ ସେଇଟା ନ ମିଳିବାରୁ ଦୁଃଖ ହେଉଛି । ଆଉ ତୁମ କଥା ବି ସେଇୟା-। ମା’ ପଇସା ଦେଲେନି ତେଣୁ ଖେଳ ସିନେମା ଦେଖିପାରିଲ ନାହିଁ କି ରସଗୋଲା ବରା ଖାଇ ପାରିଲନି । ଏଇଥିପାଇଁ ଦୁଃଖ । ଏ ଦୁଃଖକୁ ଏଡ଼ାଇବା ପାଇଁ ମଣିଷ ବହୁ ପୁରାକାଳରୁ ଉଦ୍ୟମ କରି ଆସୁଅଛି । ବୁଦ୍ଧଦେବ, ତୀର୍ଥଙ୍କର, ସନ୍ନ୍ୟାସୀ ଯୋଗୀମାନେ ଜଗତର ଏହି ଦୁଃଖ ପାଇଁ ବହୁ ସାଧନା କରି ଆମକୁ ବହୁମାର୍ଗ ଦେଖାଇଛନ୍ତି । ଏଥିପାଇଁ ବହୁ ଶାସ୍ତ୍ର ରହିଛି । ଅସଲ କଥା ହେଲା ଆମେ ଜାଣିଛୁ, ଅଥଚ ଅଭ୍ୟାସରେ ପକାଇ ନ ଥିବାରୁ, ସେଇଭଳି ଚିନ୍ତା କରୁ ନ ଥିବାରୁ ଆମେ ଦୁଃଖରେ ପଡ଼ି ଛଟପଟ ହେଉଛୁଁ ।

 

ଗୋଟିଏ କଥା ସବୁବେଳେ ମନେ ରଖିବ । ସେଇଟି ହେଲା ସବୁବେଳେ ଭାବିବ ଯେ ‘‘ଏହା ନ ଥିଲା, ତେଣୁ ଏହା ରହିବ ନାହିଁ ।’’ ଦୁଃଖତ ଆଗରୁ ନ ଥିଲା, ତେଣୁ ତାହା ରହିବ ନାହିଁ । ତମେ ଯେମିତି ପଞ୍ଚମରୁ ଷଷ୍ଠ, ଷଷ୍ଠରୁ ସପ୍ତମ, ସପ୍ତମରୁ ଅଷ୍ଟମକୁ ଉଠି ଯାଉଛ, ଠିକ୍‌ ସେମିତି ବର୍ଷକ ଭିତରେ ଶୀତ ଆସୁଛି, ବର୍ଷା ଆସୁଛି, ସବୁଜ ହେଉଛି, ପୁଣି ଖରା ଆସୁଛି, ସବୁ ଶୁଖି ଯାଉଛି । ଠିକ୍‌ ପ୍ରାକୃତିକ ନିୟମ ଯାହା, ତମର ଦୁଃଖ ମଧ୍ୟ ସେଇଆ । ବେଳେ ବେଳେ ଦିନ ଆଉ ରାତିକୁ ଆମେ ତଫାତ୍‌ ଦେଖି ବାର ବାର ଘଣ୍ଟା କହୁ । ଅସଲରେ ଦିନରାତି ମିଶି ଚବିଶ ଘଣ୍ଟା । ରାତିରେ ଆମେ ଅନ୍ଧକାରରେ ବାଟ ହଜାଇ କାନ୍ଦୁ, କିନ୍ତୁ ଟିକିଏ ଅପେକ୍ଷା କରିଗଲେ ରାତି କଟିଯାଏ, ଦିନ ଆସେ । ପୁଣି ଆଲୋକମୟ ହୋଇଉଠେ ପୃଥିବୀ । ତେଣୁ ସବୁବେଳେ ଦି’ଟାକୁ ମିଶାଇ ଦେଖିବ । ମନରେ ଦୁଃଖ ରହିବ ନାହିଁ । ଯେଉଁ ଦୁଃଖ କଥା କହୁଛ, ସେ ସବୁବେଳେ ନ ଥିଲା, ତେଣୁ ରହିବ ନାହିଁ ।

Image

 

କାହା କଥାରେ ଚଳିବ ?

 

ଗୋଟିଏ ଛୋଟ ପିଲା ଦିନେ ମନେକଲା ଯେ ସେ ଏକୁଟିଆ ଯାଇ ଗୋଟିଏ ଆମ୍ବଗଛରେ ଚଢ଼ି ଆମ୍ବ ଖାଇବ । ତା’ର ଆମ୍ବ ଖାଇବା ଲୋଭ ଖୁବ୍‌ ଥାଏ । ସାହସ ମଧ୍ୟ ଥାଏ । ତା’ ମା’ଙ୍କ କଥା ସର୍ବଦା ମନେ ରଖିଥାଏ । ମା ସବୁଦିନ କହନ୍ତି, ‘‘ବାବୁରେ, ଯେଉଁ ପଥ ଆଦର୍ଶର ପଥ, ସେ ପଥ ସତ୍ୟର ପଥ । ଭଗବାନଙ୍କୁ ଲାଭ କରିବାକୁ ହେଲେ ସରଳତା ଓ ପବିତ୍ରତା ପ୍ରୟୋଜନ । ସବୁ ଜିନିଷ ପରୀକ୍ଷା କରି ଗ୍ରହଣ କରିବୁ ।’’

ପିଲାଟି ଯାଉଁ ଯାଉଁ ଦେଖିଲା ଯେ ଗୋଟିଏ ସାଧାରଣ ଲୋକ ଯାଉଛି । ଲୋକଟି ଏକ ମନରେ ଯିବାବେଳେ ରାସ୍ତା ଉପରେ ମାଟି-ପଥର-ଇଟା ଯାହା ପଡ଼ିଛି, ତାକୁ ନିଜ ହାତରେ ଆଡ଼େଇ ଦେଇ ଦେଇ ଚାଲିଛି ।

ଆଉ ଜଣେ ଲୋକ ଗେରୁଆ ବସ୍ତ୍ର ପିନ୍ଧି, ମୁଣ୍ତରେ ଜଟା ଓହଳାଇ ସିନ୍ଦୂର-ଚନ୍ଦନ ମାରି, ଭଜନ-କୀର୍ତ୍ତନ କରି, ଖଡ଼ମ ମାଡ଼ି ଦୁଇଚାରିଜଣଙ୍କ ସାଙ୍ଗରେ ଚାଲିଛି । ରାସ୍ତାରେ ଯାଉ ଯାଉ ସେ ଇଟା-ପଥର ଦେଖି, ପକାଇଛି ତାକୁ ଗାଳି ଦେଉଛି ଏବଂ ରାସ୍ତାସାରା ପାଚିଲା କଦଳୀ ଖାଇ କଦଳୀ ଚୋପା ପକାଇ ଦେଇ ଯାଉଛି । ଗାଁ ପିଲାଏ ସେ ରାସ୍ତାରେ ଦଉଡ଼ି ଦଉଡ଼ି ଗଲାବେଳେ ତାଙ୍କର ଗୋଡ଼ ଖସିଯିବାରୁ ପଡ଼ି କାନ୍ଦିଲେ । ଗେରୁଆ ପିନ୍ଧା, ତିଳକଧାରୀ, କଣ୍ଠମାଳି ପିନ୍ଧା ଲୋକଟି ଉଠାଇବ କଣ, ଆହୁରି ଗାଳିଦେଲା । ଏହି ଗେରୁଆ ଠକ ବାବାଜୀ ପାଖରେ ଲୋକଙ୍କର ବେଶୀ ଭିଡ଼ । ସାଧାରଣ ଲୋକଟି ଏହା ଦେଖି ପିଲାଙ୍କୁ ଉଠାଇ କୋଳକୁ ନେଲା ଏବଂ ରାସ୍ତାଯାକର କଦଳୀ ଚୋପା ପରିଷ୍କାର କଲା ।

ଗାଁ ପିଲାଏ ଖୁସି ହେଲେ, ଗୀତ ଗାଇଲେ । ସାଧାରଣ ଲୋକଟି କହିଲା,‘‘ପ୍ରଭୁଙ୍କ ଗୀତ ଗାଅ, ଯେ ଏ ଆକାଶ, ପୃଥିବୀ, ପବନ, ଚନ୍ଦ୍ର, ସୂର୍ଯ୍ୟ, କରିଛନ୍ତି ।’’ ଗାଁ ପିଲାଙ୍କ ଭିତରୁ ଜଣେ କହିଲା—‘‘ଏହି ଚିତାକଟା ବାବାଜୀ ପରା କୁହେ ଯେ ଭଗବାନ କେବଳ ତା’ରି ପାଖରେ ଅଛନ୍ତି ।’’

ସାଧାରଣ ଲୋକଟି କହିଲା—‘‘କାହାରି ନିନ୍ଦା କରନା । ସମସ୍ତଙ୍କ ଭିତରେ ସେ ଅଛନ୍ତି-। ତମେ ତ ପିଲା । ତମ ଭିତରେ ସେ ବେଶୀ ଥାନ୍ତି ।’’

ସେଇ ଯେଉଁ ପିଲାଟି ଆମ୍ବ ଖାଇବାକୁ ଯାଉଥିଲା, କାହାକୁ ସେ ଆମ୍ବତୋଟାକୁ ବାଟ ପଚାରିଥିବ, କହିଲ । ସେଇ ଗେରୁଆପିନ୍ଧା ଲୋକଟିକୁ, ନା ସେଇ ସାଧାରଣ ଲୋକଟିକୁ ?

ପିଲାଟି ପଚାରିଲା ସେଇ ସାଧାରଣ ଲୋକଟିକୁ । ସେ ଲୋକ ଆମ୍ବତୋଟାକୁ ରାସ୍ତା ଦେଖାଇଦେଇ ପିଲାକୁ କହିଲା, ‘‘ଆମ୍ବ ବଗିଚାର ମାଲିକ ସାଙ୍ଗରେ ଦେଖାକରି ଅନୁମତି ନେଇ ଆମ୍ବ ତୋଳିବ ।’’

ଯେ ତ୍ୟାଗ କରିଛି ବା କରୁଛି ସେହି ହେଲା ତମର ଆଦର୍ଶ । ଯାହାଠାରେ ତ୍ୟାଗ ନାହିଁ, କେବଳ ଭୋଗ ଅଛି, ତାକୁ ବର୍ଜନ କରିବ । ତାହା ଆଦର୍ଶର ପଥ ନୁହେଁ ।

ଭଲ କାମ କରିବା ପାଇଁ ଭଗବାନ ହାତ-ଗୋଡ଼, ନାକ-କାନ, ଆଖି ଦେଇଛନ୍ତି । ସେଗୁଡ଼ିକର ସଦୁପଯୋଗ କର । ପର ଉପରେ ନିର୍ଭର କର ନାହିଁ କି ଅନ୍ୟର ଧନକୁ ଲୁଟିକର ନାହିଁ ।

Image

 

କଥା ନୁହେଁ, କାମ

 

ଗୋଟିଏ ଦେଶରେ ଦୁଇଜଣ ପିଲା ଥିଲେ । ଦୁହେଁ ଏକା ସାଙ୍ଗରେ ପାଠପଢ଼ା ଆରମ୍ଭ କରିଥିଲେ । ଗୋଟିଏ ପିଲା ଖାଲି ପଢ଼ିଲା । ଦିନରାତି ପଢ଼ି ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରୁଥାଏ; ପୁଣି ବଡ଼ ବଡ଼ ପଣ୍ତିତ ଯେପରି ଲୋକଙ୍କ ମନରେ ଚମକ ଦିଅନ୍ତି ସିମିତି ବକ୍ତୃତା ଦେବାକୁ ଲାଗିଲା । ହେଲେ ତା’ର କଥା ସହିତ କାମର ଅମେଳ ଥାଏ । ବକ୍ତୃତା ଦେଲାବେଳକୁ ବହୁ ନୀତି-ନିୟମ କଥା କହେ । ସିମିତି ବେଶ୍‌ ମଧ୍ୟ ସଜାଇଥାଏ ନିଜକୁ । ସମସ୍ତେ ଭାବନ୍ତି ଲୋକଟା ପ୍ରକୃତରେ ସତଲୋକ । କିନ୍ତୁ ସେ ଯେଉଁ ନୀତିର କଥା କହେ ତାହା ପାଳନ କରେନାହିଁ, ବରଂ ଚୋରି, ମିଛ, ବଦମାସି, ଜୁଆଚୋରି ଇତ୍ୟାଦି ଖରାପ କାର୍ଯ୍ୟରେ ଲିପ୍ତ ରହେ ।

 

ଆର ପିଲାଟି କିନ୍ତୁ ଅନ୍ୟ ପ୍ରକାର । ବାହାର ଓ ଭିତର ଥିଲା ତାର ସ୍ପଷ୍ଟ । ସେ ସବୁବେଳେ କିଛି ନା କିଛି କାମରେ ବ୍ୟସ୍ତ ରହୁଥାଏ । ପାଠପଢ଼ା, ଖେଳ ସାଙ୍ଗକୁ ଦରିଦ୍ର-ନାରାୟଣ ସେବା, ପଡ଼ୋଶୀମାନଙ୍କୁ ସାହାଯ୍ୟ କରିବାରେ ତାର ସମୟ କଟେ । ତାକୁ କେହି ପ୍ରଶଂସା କରୁ ବା ନିନ୍ଦା କରୁ, ସେ କାନ ଦିଏ ନାହିଁ । ସେ କହୁଥିଲା, ହଜାରେ ଟନ ବକ୍ତୃତା ଦେବା, ପଢ଼ିବା, ଶୁଣିବା ଅପେକ୍ଷା ଏକ ଗ୍ରାମ ସତ୍‌କାମ କରିବା ଉଚିତ ।

 

ଦିନେ ଗୋଟିଏ ଡଙ୍ଗାରେ ଚଢ଼ି ଦିଜଣ ଗୋଟିଏ ବଡ଼ ନଦୀ ପାରି ହେଉଥିଲେ । ବକ୍ତୃତା ଦେବା ବଂଧୁଟି କହିଲା, ‘‘ସାଙ୍ଗ, ତୁ ଏତେଦିନ କ’ଣ କଲୁ, ଜୀବନଟା ବିତିଗଲା ତୋର ଅକାରଣରେ-। ଦେଖ୍‍, ମୁଁ କେତେ ସୁନାମ ନେଲି, ନେତା ହେଲି । ଦେଶ ମୋତେ ନେତା କଲା, ମୁଁ ଜନତାଙ୍କ ପିଠିରେ ଚଢ଼ି ବେଶ୍ ଆରାମ କରୁଛି—ମୂର୍ଖ ମେଣ୍ଢାଗୁଡ଼ାକ କ’ଣ ମୋର ଏ ଛଳନା ବୁଝି ପାରୁଛନ୍ତି-?’’

 

ଏତିକିବେଳେ ଝଡ଼ ଉଠିଲା । ଡଙ୍ଗା ଟାଳଟୁଳ ହେଲା । ଆର ସାଙ୍ଗଟି କହିଲା—‘‘ହଇ ହୋ, ନେତା ବଂଧୁ ! ତମେ ତ ସବୁ ପଢ଼ିଲ, ସବୁ କହିଲ, ସମସ୍ତଙ୍କୁ ଅନ୍ଧ କଲ । ଏବେ ପରୀକ୍ଷା ବେଳ ଆସିଛି । ପହଁରି ଜାଣିଛ ତ ? ନ ହେଲେ ବୁଡ଼ି ମରିବ । ମୁଁ ସତ୍‌କର୍ମ କରି ପହଁରି ଶିଖିଛି ।’’ ନେତା ବନ୍ଧୁଟି କହିଲା—‘‘ସବୁ ଜାଣିଛି, ହେଲେ ପହଁରି ତ ଜାଣିନି । ଏ କଥା ତ କେବେ ଭାବି ନାହିଁ-।’’

 

ନେତା ବନ୍ଧୁଟି କାଳ-ସମୁଦ୍ରରେ ବୁଡ଼ି ମଲା, କିନ୍ତୁ ପହଁରା ଜାଣିଥିବା ବନ୍ଧୁଟି ପାରି ହୋଇଗଲା ।

Image

 

କ୍ୟା ସତ୍ ହୈ କ୍ୟା ଝୁଟା ହୈ

 

ଥରେ ଜଣେ ବିଷୟୀ ଲୋକ ସଂସାରଦୁଃଖରେ ଜଳିପୋଡ଼ି ଗୁରୁ ନାନକଙ୍କ ପାଖରେ ପହୁଞ୍ଚି କହିଲା—ହେ ଜଗତ୍‌ଗୁରୁ ନାନକ ! ମୁଁ ପୃଥିବୀରେ ଚତୁର୍ଦ୍ଦିଗ ଅନାଇଲି କିନ୍ତୁ ବୁଝିପାରିଲି ନାହିଁ ଯେ କେଉଁଟି ସତ୍ୟ ଓ କେଉଁଟି ଏ ଜଗତରେ ମିଥ୍ୟା । ଗୁରୁ ନାନକ କହିଲେ,‘‘କ’ଣ ସତ ମିଛ ଜାଣି ପାରୁନ ? ତମେ ଏ ସଂସାରର ସଂସାରୀମାନଙ୍କ ପାଖକୁ ଯାଇ ବୁଝିଆସ ।’’ ସଂସାରୀ ବିଷୟୀ ଲୋକଟି ଗାଁରୁ ଗାଁ, ସହରରୁ ସହର ବୁଲି କେତେ ପ୍ରକାର କଥା ଶୁଣିଲା । କେହି କହିଲା, ଏ ଜଗତ୍‌ଟା ସତ୍ୟ; କାରଣ ଆମେ ସେଇଥିରେ ବଞ୍ଚିରହିଛୁ । କେହି କହିଲା, ଭାଇ, ବନ୍ଧୁ, ପିତା, ମାତାଙ୍କ ପ୍ରତି ସ୍ନେହ-ମମତା-ପ୍ରୀତି ସବୁ ସତ୍ୟ । ମିଥ୍ୟା କେବଳ ମିଥ୍ୟାଚାର ଆଉ କେହି କହିଲା, ମିଥ୍ୟାଚାର ବୋଲି କିଛି ନାହିଁ, ସେ ମଧ୍ୟ ସତ୍ୟ, କାରଣ ମିଥ୍ୟା ଆଚରଣ କରି ତ ମଣିଷ ଏ ଜଗତରେ ବଞ୍ଚି ରହୁଛି । ସେ ମିଥ୍ୟା ହେଉ, ଦୁଃଖ ହେଉ, ତାକୁ ସହ୍ୟ କରି ଚଳିଯାଉଛି । ଶେଷରେ ମୀମାଂସା ନ ପାଇ ଲୋକଟି ଆସି ଗୁରୁ ନାନକଙ୍କୁ ପଚାରିଲା—ସତ୍ୟ କ’ଣ, ମିଥ୍ୟା କ’ଣ ? ଗୁରୁ ନାନକ ହସି କହିଲେ ‘‘ଏ ସଂସାରର ଲୋକ ମଇଳାଗାଡ଼ିର ବୋଝ ବୋହି ତାଙ୍କ ନାକରେ ଆଉ ଖରାପ ଗନ୍ଧ ବୋଲି କିଛି ନାହିଁ । ସଂସାରୀ ଲୋକ ପାପ କରି ସେହି ପାପର ଫଳରେ ଆବଦ୍ଧ ହୋଇ ଦୁଃଖରେ କଷ୍ଟ ପାଏ । ଯେ ଚଲାକ୍, ସେ ଏହି ଦୁଃଖ-ନରକରୁ ପରିତ୍ରାଣ ପାଇଁ ଅମୃତର ସନ୍ଧାନ କରେ ।’’

 

ସେ କହିଲେ—ଅମୁକ ଗଳିରେ ଅମୁକ ଜାଗାରେ ଭୋଳା ନାମକ ଜଣେ ସାଧୁ ଅଛନ୍ତି; ତମେ ତାଙ୍କ ପାଖକୁ ଯାଅ ଏବଂ ସେ ଯାହା ଲେଖିଦେବେ ମୋ ପାଖକୁ ନେଇଆସ । ତାଙ୍କୁ କିଛି ଦାନ କରିବ ।

 

ସଂସାରୀ ଲୋକଟି ସେଇ ଭୋଳା ପାଖକୁ ଗଲା । ସାଧୁ ଲୋକଟି ଦୁଇପଦ ଲେଖିଦେଲେ । ଲେଖାଟି ନେଇ ସେ ଗୁରୁ ନାନକଙ୍କ ପାଖରେ ଦେଖାଇଲା । ଗୁରୁ ନାନକ କହିଲେ, ‘‘ଏଇ ତ ଠିକ୍ କଥା—ସାର କଥା—ଏତକ ଜାଣିଲେ ହେଲା ।’’ ସେ ଲେଖିଥିଲେ ‘‘ମର୍‌ନା (ମୃତ୍ୟୁ) ସତ୍ (ସତ୍ୟ) ହୈ, ଜୀଁନା (ବଞ୍ଚିବା) ଝୁଟା (ମିଥ୍ୟା) ହୈ ।’’

Image

 

ବିପଦରେ ଅଧୀର ହୁଅନାହିଁ

 

କଲିକତାର ଏକ ଅଞ୍ଚଳରେ ପିଲାଏ କୁସ୍ତି କସରତ୍ କରିବା ପାଇଁ ଠିକ୍ କଲେ । ବହୁତ ଦିନ ତଳର କଥା କହୁଛି । ସବୁ ପୋତାପୋତି କାମ ସରିଲା । କିନ୍ତୁ ଗୋଟିଏ ଟ୍ରାପିଜିଅମ ପୋତି ପାରିଲେ ନାହିଁ । ଖେଳ କସରତ ପଡ଼ିଆ ପାଖରେ ବହୁ ଲୋକ ରୁଣ୍ତ ହେଲେ । ପିଲାଏ ଆପ୍ରାଣ ଚେଷ୍ଟା କରି ପାରିଲେ ନାହିଁ । ଦେଖଣାହାରୀ ଭିତରେ ଜଣେ ସୁସ୍ଥ ସବଳ ୟୁରୋପୀୟ ଥିଲେ । ପିଲାଏ ତାଙ୍କୁ ଟ୍ରାପିଜିୟମ ପୋତିବାରେ ସାହାଯ୍ୟ କରିବାକୁ ଡାକିଲେ । ୟୁରୋପୀୟ ଜଣକ ଆନନ୍ଦରେ ଯୋଗଦାନ କଲା । ଟ୍ରାପିଜିୟମଟି ବହୁ କଷ୍ଟରେ ଉପରକୁ ଉଠି ସେହି ୟୁରୋପୀୟଙ୍କ ମୁଣ୍ତ ଉପରେ ପଡ଼ିଗଲା । ଆଘାତ ପାଇ ୟୁରୋପୀୟ ଭଦ୍ରଲୋକଟି ତଳେ ପଡ଼ିଗଲେ । ଝର ଝର ରକ୍ତ ବୋହି ଯିବାକୁ ଲାଗିଲା । ସେ ଜ୍ଞାନଶୂନ୍ୟ ହେଲେ । ସେତେବେଳେ ବ୍ରିଟିଶ ରାଜତ୍ୱ ଥାଏ । ଗୋରାମାନଙ୍କର ଶାସନ । କେହି ଗୋରାବ୍ୟକ୍ତି ଏପରି ଆହତ ହେଲେ ବ୍ରିଟିଶ ଫଉଜ ଆସି ସମସ୍ତଙ୍କୁ ବାନ୍ଧି ନେଉଥିଲେ । ସେମାନେ କହୁଥିଲେ, ଆମେ ଶାସକ ଜାତି । ଗୋରା ସାହେବଟି ପଡ଼ିଯିବାର ଦେଖି ଯିଏ ଯୁଆଡ଼େ ଡରି ପଳାଇଗଲେ । ଗୋଟିଏ ପିଲା କିନ୍ତୁ ଗଲା ନାହିଁ । ସେ ପ୍ରାଥମିକ ଚିକିତ୍ସା କରି ଡାକ୍ତର ଡକାଇଲା । ଗୋରା ଲୋକଟିକୁ ସଙ୍ଗେ ସଙ୍ଗେ ବୋହି ନେଇ ତାର ସେବାଶୁଶ୍ରୂଷା କଲା । ସମସ୍ତେ ମନେକଲେ ଏଥର ସେହି ପିଲାଟିକୁ ବ୍ରିଟିଶ ଫଉଜ ବାନ୍ଧି ନେବେ । ଗୋରା ଲୋକଟି ପିଲାର ଅକ୍ଳାନ୍ତ ସେବା ଶୁଶ୍ରୂଷାରେ ଜ୍ଞାନ ଫେରି ପାଇଲା । ସେ ଭଲ ହୋଇ ପିଲାଟିକୁ ଆଶୀର୍ବାଦ କରି ଚାଲିଗଲା । ପିଲାଟି କହିଲା, ‘ପର ଉପକାର ପାଇଁତ ମଣିଷର ସୃଷ୍ଟି ।’ ତେଣୁ ସେ ଅଧୀର ହୋଇ ନଥିଲା । ସେ ପିଲାଟି ଭବିଷ୍ୟତରେ ହେଲା ସ୍ୱାମୀ ବିବେକାନନ୍ଦ ।

Image

 

ଈଶ୍ୱରଙ୍କ ଉପରେ କିପରି ନିର୍ଭର କରିବ ?

 

ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ କହନ୍ତି—ସବୁ ଭଗବାନ କାରଛନ୍ତି, ଆମେ କିଛି ଜାଣୁନା । ସତ ମିଛ ସବୁଥିରେ ସେ ଭଗବାନଙ୍କୁ ଦାୟୀ କରନ୍ତି । ଲୋକେ ଅଛନ୍ତି, ଉପରେ ଉପରେ ଠାକୁରଙ୍କ ନାମ ନିଅନ୍ତି, ଭିତରେ କିନ୍ତୁ ଛୁରୀ । ମନେ ରଖ, ଯେଉଁ ଲୋକ ଭଗବାନଙ୍କ ନିର୍ଦ୍ଦେଶକୁ ମାନି ଚାଲେ, ସେ କେବେ ଖରାପ କାମ କରେ ନାହିଁ—କରି ପାରିବ ନାହିଁ-। ଶ୍ରୀରାମକୃଷ୍ଣ ଦେବ ତାଙ୍କ ଶିଷ୍ୟମାନଙ୍କୁ ଏ ସମ୍ପର୍କରେ ଏକ ଗପ ଛଳରେ ଉପଦେଶ ଦେଇ ଯାଇଛନ୍ତି ।

ଜଣେ ବ୍ରାହ୍ମଣ ଥିଲା । ତାର ଗୋଟିଏ ବଡ଼ ସୁନ୍ଦର ବଗିଚା ଥିଲା । ସେ ବଗିଚାର ସୁନ୍ଦର ସୁନ୍ଦର ଗଛ ଲଗାଇଥାଏ । ଭଳିକି ଭଳି କେତେ ଫୁଲ ସେଥିରେ ଶୋଭା ପାଉଥାଏ । କୁଣ୍ତମାନଙ୍କରେ ନାଲି-ନେଳି-ହଳଦିଆ ଫୁଲ ପବନରେ ଦୋହଲୁଥାଏ । ବ୍ରାହ୍ମଣଟି ଶାସ୍ତ୍ର-ପୁରାଣ ପଢ଼ିଥାଏ । ଦିନେ ବଗିଚାର ଫାଟକଟି ଖୋଲାଯିବାରୁ ଗୋଟିଏ ବଡ଼ ଗାଈ ପଶିଯାଇ ଗଛତକ ଖାଇଗଲା ।

ବ୍ରାହ୍ମଣ ରାଗିଯାଇ ଗୋଟାଏ ଢେଲା ପକାଇଲା । ଢେଲାଟି ଗାଈ ଦେହରେ ବାଜିବାରୁ ସେ ମରିଗଲା । ଗାଈ ମରିଯିବାରୁ ବ୍ରହ୍ମରାକ୍ଷସମାନେ ବ୍ରାହ୍ମଣ ପାଖକୁ ଆସିଲେ । ବ୍ରାହ୍ମଣ ଉଚ୍ଚସ୍ୱରରେ କହିଲା—‘ତମେସବୁ ମୋ ପାଖକୁ କାହିଁକି ଆସିଛ ?’

ବ୍ରହ୍ମରାକ୍ଷସମାନେ କହିଲେ—‘ତମେ ପରା ଗୋରୁ ମାରିଛ ।’

ବ୍ରାହ୍ମଣ କହିଲା, ‘ମୁଁ ମାରିନାହିଁ, ଇନ୍ଦ୍ର ମାରିଛନ୍ତି । ମୁଁ କ’ଣ ଗୋବଧ କରିପାରେ ? ତାଙ୍କରି ଇଚ୍ଛାରେ ସବୁ ହୋଇଛି; ତେଣୁ ସେ ଏଥିପାଇଁ ଦାୟୀ । ତମେ ଯାଇ ତାଙ୍କୁ ଧର । ସେଇ ପାପୀ; ମୁଁ ତ କିଞ୍ଚିତ ମାତ୍ର ।’

ଏହା ଶୁଣି ବ୍ରହ୍ମରାକ୍ଷସ ଇନ୍ଦ୍ରଙ୍କ ପାଖରେ ଯାଇ ହାଜର ହେଲା । ଇନ୍ଦ୍ର ବଡ଼ ଅଡ଼ୁଆରେ ପଡ଼ିଲେ । ସେ କହିଲେ—‘‘ତମେ ସବୁ ମୋ ପଛେ ପଛେ ଆସ ।’’

 

ଏହା କହି ସେ ବେଶ ବଦଳାଇ ସେହି ବଗିଚା ପାଖ ଦେଇ ଯିବାକୁ ଲାଗିଲେ । ବ୍ରାହ୍ମଣଟି ସେତେବେଳେ ସେ ବଗିଚା ଭିତରେ ବୁଲୁଥାଏ ।

 

ଇନ୍ଦ୍ରଦେବ କହିଲେ—‘ଆହା, କି ସୁନ୍ଦର ଫୁଲଗଛମାନ କିଏ ଲଗାଇଛି ?’

 

ବ୍ରାହ୍ମଣ ବାହାରି ଆସି କହିଲା, ‘ମୁଁ ଲଗାଇଛି ।’

 

ଇନ୍ଦ୍ର ବଗିଚା ଭିତରେ ପଶି କହିଲେ—‘ଆହା ଏ ସୁନ୍ଦର ଫୁଲଗୁଡ଼ିକ କିଏ ଫୁଟାଇଛି ?’

 

ବ୍ରାହ୍ମଣ କହିଲା—‘ମୁଁ, ମୁଁ, ମୁଁ କରିଛି ।’

 

ଇନ୍ଦ୍ର ଯାହା ପଚାରିଲେ, ବ୍ରାହ୍ମଣ ‘ମୁଁ କରିଛି, ମୁଁ କରିଛି’ ବୋଲି ଗର୍ବ କରିବାକୁ ଲାଗିଲା-

 

ଶେଷରେ ଇନ୍ଦ୍ର ମରିଯାଇଥିବା ଗୋରୁ ପାଖକୁ ଯାଇ ପଚାରିଲେ—‘ଆହା, ଏ ଗୋରୁଟିକୁ କିଏ ମାରିଦେଇଛି ?’

 

ବ୍ରାହ୍ମଣ ବିଚରା ନିରୁତ୍ତର । କ’ଣ ବା କହିବ ? ଇନ୍ଦ୍ର ତାଙ୍କର ନିଜରୂପ ଧାରଣ କରି କହିଲେ—‘ରେ ମୂର୍ଖ ବ୍ରାହ୍ମଣ, ତୁ ଏତେ ଶାସ୍ତ୍ର-ପୁରାଣ ଜାଣିଛୁ ବୋଲି ଗର୍ବ କରୁଛୁ କିନ୍ତୁ ଯେତେକ ପାପକର୍ମ ସବୁ ଭଗବାନଙ୍କର ଏବଂ ଯେତେକ ଭଲ କର୍ମ ସବୁ ତୋର ବୋଲି କହୁଛୁ । ଜାଣିରଖ, ଖରାପ କାମ କରୁଥିବା ଲୋକ କେବେହେଲେ ଭଗବାନଙ୍କର ଲୋକ ନୁହନ୍ତି । ସେମାନେ ଭଣ୍ତ ପ୍ରତାରକ । ଭଗବାନଙ୍କ ପଥର ଲୋକ ଖରାପ କାମ କେବେ କରନ୍ତି ନାହିଁ ।’

 

ଏହା କହି ଇନ୍ଦ୍ର ଅଦୃଶ୍ୟ ହୋଇଗଲେ । ସଙ୍ଗେ ସଙ୍ଗେ ବ୍ରାହ୍ମଣକୁ ବ୍ରହ୍ମରାକ୍ଷସମାନେ ବାନ୍ଧି ଘେନିଗଲେ ।

Image

 

ଭଲ କାମରେ ଛଳନା ମଧ୍ୟ ଭଲ

 

ଦିନେ ଖୁବ୍ ରାତି ହୋଇଥାଏ । ଜଣେ କେଉଟ ଚୋରି କରିବା ପାଇଁ ଗୋଟିଏ ବଗିଚାର ପୋଖରୀ ଭିତରେ ମାଛ ଚୋରି କରିବାକୁ ପଶିଲା । ଲୋକମାନେ କିଏ ଗୋଟାଏ ପୋଖରୀ ଭିତରେ ପଶିଛି ବୋଲି ଜାଣିପାରି ଚାରିଆଡ଼େ ପାଟିତୁଣ୍ତ କଲେ । ଠେଙ୍ଗାବାଡ଼ି, ମଶାଲ ଧରି ପୋଖରୀ ଚାରିପଟ ଘେରିଗଲେ । କେଉଟ ବିଚରା ବିପଦ ଗଣିଲା । ସେ ପୋଖରୀ ଭିତରେ ଜାଲ ପକାଇ ଦେଇ, ଧୋବା ଖାରକୁ ବୋଳି ହୋଇ ଗୋଟିଏ ଗଛତଳେ ଧ୍ୟାନ କରିବାକୁ ବସିଗଲା ସାଧୁ ହୋଇ । ଲୋକେ ଆସି ଦେଖନ୍ତି ତ ଚୋର ନାହାନ୍ତି, ବସିଛନ୍ତି ଜଣେ ସାଧୁ । ଦୂର ଦୂରାନ୍ତରୁ ଲୋକ ଆସି ସାଧୁଙ୍କୁ ଦୁଧ କଦଳୀ-ଦେଇ ଫୁଲଚନ୍ଦନରେ ପୂଜା କରିବାକୁ ଲାଗିଲେ । ଭୋଗ ବାଢ଼ିଲେ ।

 

ଚୋର କେଉଟର ଚେତନା ହେଲା, କହିଲା—‘ମୁଁ ତ ପ୍ରକୃତରେ ସାଧୁ ନୁହେଁ; ତଥାପି ଲୋକମାନେ ମୋତେ ଏତେ ଭକ୍ତି କରୁଛନ୍ତି । ମୁଁ ଯଦି ପ୍ରକୃତରେ ସାଧୁ ହେବି, ତେବେ ମୋର ଆଦର ସମ୍ମାନ କେତେ ବଢ଼ି ନ ଯିବ ! ଏହା ଭାବି ତପସ୍ୟା କରିବାକୁ ସେ ହିମାଳୟ ଚାଲିଗଲା । କପଟ ସାଧନା କରୁ କରୁ ମଧ୍ୟ ତାର ଚୈତନ୍ୟ ହେଲା ।

 

ସତ୍‌କର୍ମର ଛଳନା ମଧ୍ୟ ଭଲ । ସେଥିରେ ଚୈତନ୍ୟ ହୁଏ । ଏହି ଉପଦେଶଟି ଶ୍ରୀରାମକୃଷ୍ଣ ଦେବ ଦେଇଛନ୍ତି ।

Image

 

ଅଶାନ୍ତି ଦୂର ହେବ କିପରି ?

 

ଗୋଟିଏ ଚିଲ ଥଣ୍ଟରେ ମାଛଟିଏ ଧରିଥାଏ । ତାକୁ ଘେରିଥାନ୍ତି ଅସଂଖ୍ୟ କାଉ । ଚିଲ ଯୁଆଡ଼େ ଯାଉଥାଏ, କାଉମାନେ ତାକୁ ଗୋଡ଼ାଉଥାନ୍ତି । ବିଚରା ଚିଲ ଚତୁର୍ଦ୍ଦିଗ ବୁଲିଲା, କିନ୍ତୁ ଶାନ୍ତିରେ ମାଛଟିକୁ ଆଉ ଖାଇପାରିଲା ନାହିଁ । ଗଛର ଅଗଡାଳକୁ ଗଲା, ସେଠାରେ ମଧ୍ୟ ଦଳ ଦଳ କାଉ । ପୋଖରୀ ହିଡ଼ରେ ବସିଲା, ସେଠାରେ ମଧ୍ୟ କାଉ । ସେ ବିରକ୍ତ ହୋଇଗଲା । ଶେଷରେ ମାଛଟାକୁ ତଳେ ପକାଇଦେଲା । କାଉମାନେ ଏଥର ଚିଲକୁ ଛାଡ଼ିଦେଇ ମାଛଟାକୁ ଘେରିଗଲେ ଏବଂ ଛଡ଼ା ଆମ୍ପୁଡ଼ା କରି ନେଇଗଲେ । ଚିଲଟିର ମନରେ ଶାନ୍ତି ଆସିଲା । ଏହି ମାଛଟି ପାଇଁ ଯେତେ କଳି ! ମାଛଟା ଗଲେ ତ ସବୁ ଗଲା ।

 

ଅର୍ଥହିଁ ଯେତେ ଅନର୍ଥର ମୂଳ । ଏ ଦୁନିଆରେ ଉପାଧି ଆକାଂକ୍ଷା ବଡ଼ ବେଶୀ । ଥରେ ନିର୍ଭୀକ ହୋଇ ଏ ଉପାଧି ପରିତ୍ୟାଗ କରିପାରିଲେ ଶାନ୍ତି ମିଳିବ ।

 

ଏ ଉପଦେଶଟି ଶ୍ରୀରାମକୃଷ୍ଣ ଦେବ ଦେଇଛନ୍ତି ।

Image

 

ସଂସାରରେ ବାଘର ଭୟ ବେଶୀ

 

ମଣିଷ ଭିତରେ ଭଲ ଓ ମନ୍ଦ ଅଛି । ମନ୍ଦ ବୋଇଲେ ହିଂସା, ଦ୍ୱେଷ, ରାଗ, ଘୃଣା କେତେ କ’ଣ ? ପରନିନ୍ଦା, ପରଚର୍ଚ୍ଚା ଇମିତି କେତେ । ଏଗୁଡ଼ିକ ହେଲେ ବାଘ । ଏ ସବୁର ଦାଉରୁ ରକ୍ଷା ପାଇବାକୁ ହେବ । ତା’ ନ ହେଲେ ମଣିଷ ବଞ୍ଚିବ କିପରି?

ଗୋଟିଏ ଗପ ଶୁଣ । ଶ୍ରୀରାମକୃଷ୍ଣ ଦେବ ଏ ଉପଦେଶଟି ଦେଇଥିଲେ । ଥରେ ଜଣେ ଲୋକ ଭଗବାନଙ୍କ ପାଖରେ କାକୁସ୍ଥ ହୋଇ ପ୍ରାର୍ଥନା କଲା । ‘ଏ ତ ଭଗବାନଙ୍କର ସୃଷ୍ଟି । ଦେବା ଲୋକ ସେ, ନେବାଲୋକ ସିଏ । ମିଛରେ ଆମେ ଅଢ଼େଇ ଦିନ ପାଇଁ ବଡ଼ପଣ କରିଥାଉଁ । ଭଗବାନ କଳ୍ପତରୁ ।’ ସେ ଭଗବାନଙ୍କୁ ମାଗିଲା, ‘ଆହା ସୁନ୍ଦର କିଛି ଗୋଟିଏ ହୁଅନ୍ତା କି ? ସୁନ୍ଦର ଘରଟିଏ ହୁଅନ୍ତା କି ?’ ଇମିତି କେତେ ? ସେ ଯାହା ମାଗିଲା, ଭଗବାନ ତାକୁ ଦେଲେ । ଘରଦ୍ୱାର, ଖାଇବା-ପିଇବା, ମଉଜ-ଜିନିଷ ସବୁ ପାଇଲା ସେ ।

ହଠାତ୍ ତାର ମନେ ହେଲା, ‘ବାଘଟାଏ ଯଦି ଆସିଯିବ, ଖାଇ ଯିବତ ।’ ଦେଖୁ ଦେଖୁ ଭଗବାନ ବାଘଟିଏ ପଠାଇ ଦେଲେ । ବାଘଟି ତାକୁ କାମୁଡ଼ି ମାରି ଦେଇ ଚାଲିଗଲା ।

ତେଣୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲାବେଳେ ମଗାଯାଏ, ଭଗବାନ ! ମୋତେ ଭକ୍ତି, ବିଶ୍ୱାସ ଦିଅ । ଭଲ ବୁଦ୍ଧି ଦିଅ, ଭଲ କାମରେ ମନ ରହୁ । ପରନିନ୍ଦା ପରଚର୍ଚ୍ଚାରେ ଯେମିତି ମୋ ମନ ବୁଡ଼ି ନ ରହୁ । ଧନ, ଯଶ, ମାନ ମାଗିଲେ ସେ ଦିଅନ୍ତି; କିନ୍ତୁ ବାଘ, ଚୋର ଭୟ ବେଶୀ-। ଚୋରି ହୋଇଗଲେ, ବାଘ ନେଇଗଲେ ମନରେ ଯାବତୀୟ ଦୁଃଖ ପହୁଞ୍ଚେ ।

Image

 

ଛୁଆଁ ଅଛୁଆଁ

 

୧୮୮୬ ଖ୍ରୀ: ରେ ଶ୍ରୀରାମକୃଷ୍ଣ ଦେବ ଦେହରକ୍ଷା କଲାପରେ ସ୍ୱାମୀ ବିବେକାନନ୍ଦ ପରିବ୍ରାଜକ ଭାବରେ ଭାରତ ଭ୍ରମଣ କରିଥିଲେ । ସେ ରାସ୍ତାରେ ଥରେ ଯାଉଁ ଯାଉଁ ଦେଖିଲେ ଯେ ଗୋଟିଏ ଲୋକ ଗୁଡ଼ାଖୁ ଖାଉଛି । ସେତେବେଳେ ହୁକା ନଳ ସାହାଯ୍ୟରେ ସେ ଗୁଡ଼ାଖୁ ଖାଉଥିଲେ । ତା’ ପାଖକୁ ଯାଇ ଗୁଡ଼ାଖୁ ଖାଇବାକୁ ତାଙ୍କର ଖୁବ୍ ଇଚ୍ଛା ହେଲା । ସେ ଲୋକଟି ପାଖକୁ ଯାଇ ଗୁଡ଼ାଖୁ ଖାଇବାକୁ ଇଚ୍ଛା କରିବାରେ ଲୋକଟି କହିଲା, ‘‘ମୁଁ ତ ଜାତିରେ ମେହେନ୍ତର-। ମୋର ହୁକାଟି ତମକୁ ଦେଇ ପାରିବିନି ।‘’

ବିବେକାନନ୍ଦ ଏ କଥା ଶୁଣି ଫେରି ଚାଲିଯିବାକୁ ଲାଗିଲେ । ପାଦେ ବାଟ ଯାଇ ତାଙ୍କର ଚମକ ଭାଙ୍ଗିଲା—‘‘ଜ୍ଞାନୀ ନିକଟରେ ଜାତିଭେଦର ସ୍ଥାନ କାହିଁ ? ଯେଉଁ ଚୈତନ୍ୟ ମେହେନ୍ତର ଭିତରେ, ମୋ ଭିତରେ ମଧ୍ୟ ସେହି ଚୈତନ୍ୟ ବିରାଜମାନ । ଜାତିଭେଦ ଥାଏ ଶରୀରକୁ ଅବଲମ୍ୱନ କରି, କିନ୍ତୁ ଆତ୍ମା ତ ଦେହରୁ ଅଲଗା । ମୁଁ ଯେଉଁ ଅତ୍ମା, ମେହେନ୍ତରଟି ମଧ୍ୟ ସେହି ଅତ୍ମା ।’’

ସେ ଫେରିଆସି, ମେହେନ୍ତର ପାଖରେ ବସି ତାର, କୌଣସି ଆପତ୍ତିକୁ ଗ୍ରାହ୍ୟ ନ କରି, ହୁକାଟି ଜୋର କରି ତା’ ହାତରୁ ନେଇ ଖାଇବାକୁ ଲାଗିଲେ ଏବଂ ପରସ୍ପର ଭିତରେ ଆତ୍ମୀୟତା ଜମି ଉଠିଲା ।

ହିନ୍ଦୁଧର୍ମର ବେଦାନ୍ତ ମତରେ ଜାତିଭେଦ ବୋଲି କିଛି ନାହିଁ । ସମସ୍ତଙ୍କ ଭିତରେ ଏକ ଆତ୍ମା-ଏକ ଈଶ୍ୱର ବିଦ୍ୟମାନ । ସମସ୍ତଙ୍କୁ ଈଶ୍ୱର ରୂପରେ ଶିବଜ୍ଞାନରେ ସେବା କରିବାହିଁ ପରମ ଧର୍ମ । ଜାତିଭେଦ ମଣିଷର ସୃଷ୍ଟି । ଏହା ଏକଜାତୀୟ କଳଙ୍କ । ସର୍ବଦା ଏଥିରୁ ଦୂରରେ ରହି ପ୍ରତ୍ୟେକ ମଣିଷ, ଜୀବଜନ୍ତୁ, ଗଛପତ୍ର ଭିତରେ ଭଗବାନ ବିରାଜମାନ କରୁଅଛନ୍ତି ବୋଲି ଭାବ ଏବଂ ମନକୁ ବୁଝାଅ ।

Image

 

କିଏ ମାରିଛି ?

 

ଗୋଟିଏ ଛୋଟ ଗାଁ । ଗାଁରେ ଲୋକଗୁଡ଼ିକ ବେଶ୍ ଆନନ୍ଦରେ ଦିନ କଟାଉଥିଲେ । ସେ ଗାଁରେ ଗୋଟିଏ ମଠ ଥାଏ । ସେଠାରେ ଜଣେ ସାଧୁ ଥା’ନ୍ତି । ସାଧୁଟି ସକାଳ ସଞ୍ଜ ଗାଁ ଲୋକଙ୍କୁ ହରିକଥା ଶୁଣାନ୍ତି ଏବଂ କହନ୍ତି, ‘‘ତମେ ଯଦି ତମର ସଦ୍‌ଗୁଣ ବିକାଶ କରିବ, ଭଗବାନ ତମ ହୃଦୟରେ ବିରାଜମାନ କରିବେ । ତାଙ୍କୁ ହୃଦୟରେ ଆସନ ପାତି ବସାଅ । ହୃଦୟ ହେଲା ଭଗବାନଙ୍କର ବୈଠକଖାନା ।’’

 

ଦିନେ ସେହି ସାଧୁ ପାଖ ଗାଁକୁ ଭିକ୍ଷା କରିବାକୁ ଯାଇ ଦେଖିଲେ ଯେ ସେ ଗାଁର ଜମିଦାର ଏକ ଚୋରକୁ ଖୁବ୍ ପ୍ରହାର କରୁଛନ୍ତି । ସାଧୁଟି ସହ୍ୟ କରି ନ ପାରି ଜମିଦାରଙ୍କୁ ମାଡ଼ ମାରିବାକୁ ମନା କଲେ । ଏଥିରେ ଫଳ ଓଲଟା ହେଲା । ଜମିଦାରବାବୁ ସାଧୁ ଉପରେ ପ୍ରହାର ବୃଷ୍ଟି କରିଦେଲେ । ସାଧୁ ଚେତନା ହରାଇ ପଡ଼ିଗଲେ । ଜମିଦାର ଚାଲିଗଲେ ।

 

ସାଧୁଙ୍କୁ ଏ ଅବସ୍ଥାରେ ଦେଖି ଗାଁ ଲୋକମାନେ ଧାଇଁ ଯାଇ ତାଙ୍କୁ ମଠକୁ ବୋହିଆଣି ତାଙ୍କ ମୁହଁରେ ପାଣି ଛିଞ୍ଚିଲେ । ସାଧୁଙ୍କର ଜ୍ଞାନ ଫେରି ଆସିଲା । ଆଉ ଜଣେ ଗରମ ଦୁଧ ଆଣି ଦୁଧ ପିଆଉ ଖୁଆଉ ପଚାରିଲା—‘‘କିଏ ତମକୁ ମାରିଛି ?’’

 

ସାଧୁ ହସି ହସି କହିଲେ—

 

‘‘ଯେ ମୋତେ ବର୍ତ୍ତମାନ ଦୁଧ ପିଆଉଛି, ସେ ମାରିଛି ।’’

 

ସାଧୁଙ୍କର ଆତ୍ମାଜ୍ଞାନ ହୋଇଥିଲା; ତେଣୁ ସେ ସବୁ ଭିତରେ ଏକ ଆତ୍ମା ଦେଖୁଥିଲେ–ତାଙ୍କର ଭେଦଦୃଷ୍ଟି ନ ଥିଲା ।

Image

 

ସଂସାରରୁ ମଧ୍ୟ ଜ୍ଞାନ ଲାଭ କରାଯାଏ–

 

ସମସ୍ତଙ୍କର ଧାରଣା ବାବାଜୀ ନ ହେଲେ, ଗେରୁଆ ବସ୍ତ୍ର କୌପୁନୀ ନ ପିନ୍ଧିଲେ, ଦାଢ଼ି-ଜଟା ନ ରଖିଲେ, କମଣ୍ତଳୁ ନ ଧଇଲେ, ମାଳା ନ ଗଡ଼ାଇଲେ ଭଗବାନଙ୍କ ଜପ ବା ତାଙ୍କ ସାନ୍ନିଧ୍ୟ ଲାଭ କରାଯାଇ ପାରେ ନାହିଁ ।

କଥାଟି କିନ୍ତୁ ଠିକ୍ ନୁହେଁ । ଏହି ସଂସାର ଭିତରେ ରହି ମଧ୍ୟ ଭଗବାନଙ୍କର ସାନ୍ନିଧ୍ୟ ଏବଂ ଜ୍ଞାନ ଲାଭ କରାଯାଏ ।

କୌଶିକ ନାମରେ ଜଣେ ବ୍ରାହ୍ମଣ ଯୁବକ ଗଭୀର ଅରଣ୍ୟରେ ରହି ବେଦ ପାଠ କରିବାକୁ ଲାଗିଲେ । ଗଛତଳେ ବସି ବେଦମନ୍ତ୍ର ଉଚ୍ଚାରଣ କରୁଥିଲାବେଳେ ସେ ଗଛ ଉପରେ ଗୋଟିଏ ବଗ ମଳତ୍ୟାଗ କଲା ଏବଂ ସେ ମଳ ପଡ଼ିଲା କୌଶିକଙ୍କ ମୁଣ୍ତ ଉପରେ । କୌଶିକ ତ ତପସ୍ୟାସିଦ୍ଧ ଥିଲେ । ସେ ଉପରକୁ ଅନାଇବା ମାତ୍ରକେ ବଗଟି ପୋଡ଼ି ମରିଗଲା । ଏଥିରେ କୌଶିକ ଦୁଃଖିତ ହେଲେ । ତା’ପରେ ସେ ଭିକ୍ଷା କରିବାକୁ ଯାଇ ଜଣେ ଗୃହସ୍ଥଙ୍କ ଘର ଆଗରେ ଭିକ୍ଷା ମାଗିଲେ ସେ ଘରର ରମଣୀଟି ପତିବ୍ରତା ଥିଲେ । ଦେବତାଙ୍କୁ ଯେଉଁଭଳି ସେବା କରାଯାଏ ସ୍ୱାମୀଙ୍କୁ ମଧ୍ୟ ସେମିତି ସେବା କରୁଥାନ୍ତି । ଏତିକିବେଳେ ତାଙ୍କ ସ୍ୱାମୀ ଆସିବାରେ ସେ କୌଶିକଙ୍କୁ ଭିକ୍ଷା ନ ଦେଇ ସ୍ୱାମୀଙ୍କର ସେବାରେ ଲାଗିଲେ । ହଠାତ୍ ମନେ ପଡ଼ିବାରୁ ସେ ଭିକ୍ଷା ନେଇ କୌଶିକଙ୍କୁ ଦେବାକୁ ଗଲେ । କୌଶିକ ରାଗିଯାଇ କହିଲେ, ‘‘ମୋତେ ତ ମନା କରିଦେଲେ ଚଳନ୍ତା ।’’ ପତିବ୍ରତା ରମଣୀ କହିଲେ—‘‘ବିଳମ୍ୱ ପାଇଁ କ୍ଷମା କରିବେ ।’’ କୌଶିକ କିନ୍ତୁ ରାଗିଯାଇ କହିଲେ—‘‘ତମେ ମୋତେ ଅପମାନିତ କରିଛ, ଜାଣନା ମୋର ଶକ୍ତି କେତେ ?’’

ରମଣୀଟି ହସି କହିଲେ—‘‘କ୍ରୋଧ ଜ୍ଞାନୀଙ୍କର ସ୍ୱଭାବ ନୁହେଁ । ତା’ ଛଡ଼ା ମୁଁ ତ ବଗ ନୁହେଁ ଯେ ମୋତେ ଧ୍ୱଂସ କରିଦେବେ । ଏତେ ବେଦପାଠ କରୁଛନ୍ତି, କିନ୍ତୁ ପ୍ରକୃତ ଧର୍ମ କାହାକୁ କୁହାଯାଏ ତାହା ଆପଣ ଜାଣି ନାହାନ୍ତି ।’’

କୌଶିକଙ୍କର ଚୈତନ୍ୟ ହେଲା । ଭାବିଲେ, ବଗକଥା ଘରେ ଥାଇ ଏ ରମଣୀ ଜାଣିଲେ କିପରି ? ତା’ ପରେ ସେ ରମଣୀ କୌଶିକଙ୍କୁ ଧର୍ମବ୍ୟାଧ ପାଖକୁ ଯିବାକୁ ଉପଦେଶ ଦେଲେ ।

Image

 

ଧର୍ମବ୍ୟାଧ

 

କୌଶିକ ଭାବିଲେ, ସେ ଜାତିରେ ବ୍ରାହ୍ମଣ—ବେଦଜ୍ଞ । ତାଙ୍କୁ ପୁଣି ଯିବାକୁ ହେବ ଜଣେ ମାଂସବିକାଳି ବ୍ୟାଧ ପାଖକୁ । କୌଶିକ ଅଗତ୍ୟା ମିଥିଳା ଆଡ଼କୁ ଚାଲିଲେ । ବ୍ରହ୍ମଜ୍ଞାନୀ ରାଜା ଜନକଙ୍କର ସୁଶାସନରେ ମିଥିଳାରେ ଶାନ୍ତି ଓ ଆନନ୍ଦ ବିରାଜମାନ କରିଥାଏ । ସେ ପଚାରି ପଚାରି ଧର୍ମବ୍ୟାଧ ପାଖକୁ ଚାଲିଲେ । ଦେଖିଲେ ଯେ ଗୋଟିଏ ଦୋକାନ ଭିତରେ ବସି ଜଣେ ଲୋକ ମାଂସ ବିକ୍ରି କରୁଛି । ସେଇ ବ୍ୟକ୍ତି ଧର୍ମବ୍ୟାଧ । କୌଶିକ ଅପେକ୍ଷା କଲେ । ଧର୍ମବ୍ୟାଧ ନିଜର ଶକ୍ତିରେ ସମସ୍ତ ଜାଣିପାରି କୌଶିକଙ୍କୁ ପ୍ରଣାମ ଜଣାଇ କହିଲେ—‘‘ଶବର ! ସବୁ ଭଲ ତ-? ମୋତେ କ’ଣ କରିବାକୁ ହେବ କୁହନ୍ତୁ । ପତିବ୍ରତା ରମଣୀ ଯେ ଆପଣଙ୍କୁ ପଠାଇଛନ୍ତି, ମୁଁ ତାହା ଜାଣିଛି ।’’ କୌଶିକ ବିସ୍ମିତ ହେଲେ । ଏ ପୁଣି କିପରି ଜାଣିଲେ । ସେ ଯୁଗରେ ଆଜିକାଲି ପରି ଟେଲିଗ୍ରାମ ବା ଟେଲିଫୋନ ତ ନ ଥିଲା ।

 

କୌଶିକ କହିଲେ—‘‘ଏ ମାଂସ ବିକ୍ରି କାର୍ଯ୍ୟଟା ମୁଁ ପସନ୍ଦ କରୁନି । ତମେ ଧାର୍ମିକ ଲୋକ ହୋଇ ଏ କାମ କରୁଛ ?’’

 

ବ୍ୟାଧ କହିଲା—‘‘ଏ ତ ମୋର କୌଳିକ କର୍ମ । ମୋ ବଂଶରେ ସମସ୍ତେ ଏ କାମ କରି ଆସୁଛନ୍ତି । ମୁଁ ଶାସ୍ତ୍ର ମାନି ଚଳେ । ମାତାପିତା ଗୁରୁଜନମାନଙ୍କର ସେବା କରେ । ସତ କଥା କହେ, କାହା ପ୍ରତି ବିଦ୍ୱେଷ କରେନା । ଦୀନଦୁଃଖୀଙ୍କୁ ଯଥାସାଧ୍ୟ ଦାନ ଦିଏ । ଅତିଥି ସେବା କରେ-। ଦେବସେବା ପରେ ଆତ୍ମୀୟମାନେ ଏପରିକି ଭୃତ୍ୟମାନେ ଖାଇବା ପରେ ଯାହା ବଳେ, ତାହା ଖାଏ । ଏମାନଙ୍କର ସେବା ହିଁ ମୋର କର୍ତ୍ତବ୍ୟ । ସେବା କରିବା ପାଇଁ ମାଂସ ବିକ୍ରିକରି ଅର୍ଥ ଉପାର୍ଜନ କରେ । ମୁଁ ମାଂସ ଖାଏ ନାହିଁ—ନିଜେ ପ୍ରାଣୀବଧ କରେନା ! ଶିକାରୀମାନଙ୍କ ନିକଟରୁ ନିହତ ପଶୁ ଆଣି ତାର ମାଂସ ବିକ୍ରି କରେ ।’’

 

କୌଶିକଙ୍କୁ ଉପଦେଶ ଦେଇ ଧର୍ମବ୍ୟାଧ କହିଥିଲେ, ‘‘ଆତ୍ମଜ୍ଞାନ ହିଁ ଶ୍ରେଷ୍ଠ ଜ୍ଞାନ । ସତ୍ୟହିଁ ପରମ ବ୍ରତ । ଯାହା ସାଧାରଣର ହିତ ତାହାହିଁ ସତ୍ୟ । ଇନ୍ଦ୍ରିୟ ସଂଯମ କରିବାହିଁ ତପସ୍ୟା-। ଜୀବ ନିତ୍ୟ, ଶରୀର ଅନିତ୍ୟ । ମୃତ୍ୟୁରେ କେବଳ ଶରୀର ନାଶ ହୁଏ । ବାପା ମାଆଙ୍କର ସେବାହିଁ ଅସଲ ସେବା ।’’ କୌଶିକ ଉପଦେଶ ନେଇ ନିଜ ଘରକୁ ଫେରି ବାପାମାଆଙ୍କୁ ଦେବତା ଜ୍ଞାନରେ ପୂଜା କରି ସୁଖ, ଶାନ୍ତି ଓ କଲ୍ୟାଣ ପାଇଲେ ।

Image

 

ଖରାପ ଲୋକଙ୍କ ଦାଉରୁ ରକ୍ଷା ପାଇବ କିପରି ?

 

ଥରେ ଗୋଟିଏ ପଡ଼ିଆରେ ଜଣେ ବ୍ରହ୍ମଚାରୀ ତପସ୍ୱୀ ଯାଉଥିଲେ । ଗାଈଆଳ ଟୋକାଏ କହିଲେ, ‘ବାବାଜୀ ମହାଶୟ, ଏ ବାଟରେ ଯାନ୍ତୁ ନାହିଁ । ଏ ରାସ୍ତାରେ ଗଲେ ଗୋଟିଏ ବିଷଧର ସର୍ପ ଆପଣଙ୍କୁ କାମୁଡ଼ି ଦେବ ।’ ବାବାଜୀ କିଛି ନ କହି ଆଗେଇ ଚାଲିଲେ । କିଛି ବାଟ ଆଗେଇ ଗଲା ପରେ ଦେଖିଲେ ସତକୁ ସତ ଗୋଟିଏ ସାପ ତାଙ୍କୁ କାମୁଡ଼ିବାକୁ ଧାଇଁ ଆସିଲା । ବାବାଜୀ ମନ୍ତ୍ରଧୂଳି ତା’ଉପରେ ପକାଇ ଦେବାରୁ ସେ କେଞ୍ଚୁଆ ଭଳି ହୋଇଗଲା । ବାବାଜୀ କହିଲେ—‘ରେ ସାପ, ତୁ ଯେଉଁ ହିଂସା-ଦ୍ୱେଷ କରୁଛୁ, ତାହାର ମୂଲ୍ୟ କ’ଣ ? ତୁ ଏସବୁ ଛାଡ଼ି ଭଲ ବୁଦ୍ଧି କର ।’

 

ସତକୁ ସତ, ସାପଟି ଆଉ କାହାରିକୁ କାମୁଡ଼ିଲା ନାହିଁ । ଏହା ଦେଖି ଗାଈଆଳ ଟୋକାଏ ତା’ଉପରେ ଟେକା-ପଥର ପକାଇ ତାକୁ ଖଣ୍ତିଆଖାବରା କଲେ । ତଥାପି ସାପଟି କାହାରି ଅନିଷ୍ଟ କଲା ନାହିଁ । ସେ ଏଥର କେବଳ ରାତିରେ ପଦାକୁ ବାହାରେ ।

 

ବହୁଦିନ ପରେ ସେ ସନ୍ନ୍ୟାସୀ ଫେରି ଗାଈଆଳ ପିଲାଙ୍କୁ ସାପଟି କଥା ପଚାରିଲେ । ପିଲାଏ କହିଲେ—‘‘ସାପକୁ ଆମେ ଟେକା ମାରି ମାରିଦେଲୁଣି । ସେ କ’ଣ ଆଉ ଅଛି କି ?’’

 

ତପସ୍ୱୀ ଏ କଥା ନ ଶୁଣି ଆଗେଇ ଯାଇ ଡାକ ଦେଲେ । ସାପଟି କୃଶ ଶରୀରରେ ପହୁଞ୍ଚିଲା । ସନ୍ନ୍ୟାସୀ ତାକୁ ପଚାରିଲେ—‘ତୋ ଦେହରେ ଏ ଘା’ କାହିଁକି ? ତୁ ଏତେ କୃଶ କାହିଁକି ହୋଇଯାଇଛୁ ?’ ସାପଟି ହସି କହିଲା, ‘‘ଗୁରୁଦେବ, ପିଲାଙ୍କର କିଛି ଦୋଷ ନାହିଁ । ମୁଁ ତାଙ୍କ ପ୍ରତି ପୂର୍ବେ ଯେପରି ଭାବ ଦେଖାଇଛି, ସେମାନେ ସେହିପରି କରିଛନ୍ତି । ମୁଁ ସୁଖ-ଶାନ୍ତିରେ ଅଛି ।’’

 

ସନ୍ନ୍ୟାସୀ କହିଲେ—‘ସଂସାରରେ ଭଲ ଓ ମନ୍ଦଲୋକ ଉଭୟ ଅଛନ୍ତି । ମନ୍ଦଲୋକଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଫଁ ଫଁ କରିବାକୁ ହୁଏ, କିନ୍ତୁ କାହା ଉପରେ ବିଷ ଢାଳିବ ନାହିଁ ।’

 

ଶ୍ରୀରାମକୃଷ୍ଣ ଦେବ ଏହି ଉପଦେଶଟି ଦେଇଛନ୍ତି ।

Image

 

କାହାରି ଦୋଷ ଦେଖ ନାହିଁ

 

ସ୍ୱାମୀ ବିବେକାନନ୍ଦ କହିଛନ୍ତି—କାହାରି ଦୋଷ ଦେଖ ନାହିଁ କିମ୍ୱା କାହାରି କୁତ୍ସାରଟନା କରି ନିଜର ଶକ୍ତିକ୍ଷୟ କର ନାହିଁ । ନିଜେ ଭଲ ହେବାକୁ ଯତ୍ନ କର । ଅପରର ଦୋଷ ଦେଖାଇବା ଦ୍ୱାରା ନିଜର କ୍ଷତି ହୁଏ ।

 

ଗୋଟିଏ ଗପ ଶୁଣ । ନିମଗଛ ତଳେ କେତୋଟି କୁଆ ବସି ସର୍ବଦା କଚର କଚର କରୁଥାନ୍ତି । ସକାଳ ସଞ୍ଜ ଆସନ ଜମାଇ ସର୍ବଦା କୁତ୍ସାରଟନାରେ ବ୍ୟସ୍ତ ଥାଆନ୍ତି । ଦିନେ ଗୋଟିଏ ପାରା ଉଡ଼ି ଆସି ସେଠାରେ ବସିଲା । ସେ କହିଲା, ‘‘ହଇହେ, ତମେ ଯେତିକି ସମୟ ପରନିନ୍ଦାରେ କଟାଉଛ, ସେତିକି ସମୟ ତମ ଶାଗ ପଟାଳିରେ ପାଣି ଦେଲେ ଶାଗ ପାଆନ୍ତ । ଆନନ୍ଦରେ ରହନ୍ତ ।’’

 

ଏହା ଶୁଣି କୁଆ ପଞ୍ଝାକ ବିଚରା ପାରା ଉପରେ ଝାମ୍ପି ପଡ଼ି ତାକୁ କ୍ଷତବିକ୍ଷତ କରି ପକାଇଲେ । ତାହା ଦେଖି ପାରାଟି ଏତେ ଉପରକୁ ଉଡ଼ିଗଲା ଯେ ସେମାନେ ତାର ପତ୍ତା ପାଇଲେ ନାହିଁ ।

 

କୁଆଗୁଡ଼ାକ ସବୁଦିନ ପରି ସିମିତି ପରନିନ୍ଦା-ପରଚର୍ଚ୍ଚାରେ ଲାଗିପଡ଼ିଲେ । ଇମିତି ସମୟ ଆସିଲା ଯେ ସେମାନେ ନିଷ୍କର୍ମା ହୋଇଗଲେ । ଏପରିକି ବିଷ୍ଠା ଖାଇବାକୁ ମଧ୍ୟ ପାଇଲେ ନାହିଁ ।

 

ଦିନେ ଝଡ଼ ଉଠିଲା । ସେ ଝଡ଼ରେ କୁଆମାନେ ଉଡ଼ି ପାରିଲେ ନାହିଁ । ତାଙ୍କ ଉପରେ ନିମଗଛଟି ଚାପିହୋଇ ପଡ଼ିଲା । ସେମାନେ ଗଛତଳେ ପଞ୍ଚତ୍ୱ ପ୍ରାପ୍ତ ହେଲେ ।

 

ପାରାଟି ଶାନ୍ତ ଭାବରେ ନିଜକୁ ନିର୍ମଳ ରଖିବାକୁ ସର୍ବଦା ଯତ୍ନ କରିଥିବାରୁ ନିରାପଦରେ ରହିଲା । ସେ ତ ଅନ୍ୟର ଦୋଷ ଦେଖାଇବାରେ ଶକ୍ତିକ୍ଷୟ କରି ନଥିଲା, ତେଣୁ ସେ ଥିଲା ସବୁବେଳେ ଶାନ୍ତ ଏବଂ ସୁଖରେ କାଳାତିପାତ କଲା ।

Image

 

ସେବାହିଁ ଧର୍ମ

 

ଗୋଟିଏ ଗାଁରେ ଜଣେ ଧନୀ ଲୋକ ଥାଏ । ସେ ଖୁବ୍ ଜପତପ କରେ ଓ ମାଳା ଗଡ଼ାଏ । ଠାକୁର ମନ୍ଦିରରେ ବସି ଉଚ୍ଚ କଣ୍ଠରେ ମନ୍ତ୍ର ଉଚ୍ଚାରଣ କରେ । କିନ୍ତୁ ଦୁଃଖୀ ଦରିଦ୍ରମାନଙ୍କୁ ଘୃଣା ଚକ୍ଷୁରେ ଦେଖେ ! ପରର ତୋଟି ନ କାଟିଲେ ତ କେହି ବଡ଼ ଲୋକ ହୋଇପାରେନା । ତେଣୁ ସେ ଗରିବ ଗୁରୁବାଙ୍କୁ ହୀନ ଆଖିରେ ଦେଖୁଥିଲା, ଏଣେ ଠାକୁରଙ୍କ ଆଗରେ ମାଳା ଗଡ଼ାଉ ଥିଲା । ସେଇ ଗାଁରେ ଗରିବ ଲୋକଟିଏ ଥିଲା । ସେ ସର୍ବଦା ପରୋପକାରରେ ରତ ରହିଥିଲା । ରାତିଅଧରେ କେହି ଡାକିଲେ ସାହାଯ୍ୟ କରିବାକୁ ଧାଇଁ ଯାଉଥିଲା । ଧନୀ ଓ ଗରିବ ଦୁହେଁ ଏକାବେଳରେ ମରିଗଲେ । ମରିଯିବା ପରେ ମାଳା ଗଡ଼ାଉଥିବା ଲୋକଟି ତେଲକୁଣ୍ତରେ ଉବୁଟୁବୁ ହୋଇ ଦେଖିଲା ଯେ ସେହି ଗରିବ ଲୋକଟି ସ୍ୱର୍ଗର ନନ୍ଦନକାନନରେ ଈଶ୍ୱରଙ୍କ ପାଖରେ ବୁଲୁଛି । ତହିଁରୁ ତା’ର ଆନନ୍ଦ ଝରିପଡ଼ୁଛି । ଧନୀଲୋକଟି ଫୁଟନ୍ତା ତେଲକୁଣ୍ତରୁ କହିଲା, ‘‘ମୁଁ ଏତେ ଜପ-ତପ କଲି, ପୂଜା-ଆରାଧନା କଲି, ଅଥଚ ପ୍ରଭୁ ! ତୁମେ ମୋତେ ତେଲକୁଣ୍ତରେ ଫୁଟାଇଲ; ଆଉ ଏଇ ଲୋକଟା.....’’ । ଈଶ୍ୱର କେବଳ ହସିଲେ ।

 

ସ୍ୱାମୀ ବିବେକାନନ୍ଦ କହିଛନ୍ତି—ମାନବଜାତିର ସେବାହିଁ ପରମ ଧର୍ମ । ସେବାରେ ସମସ୍ତଙ୍କର ଅଧିକାର ଅଛି । ଏଥିରେ ଉଚ୍ଚନୀଚ ଭେଦ ନାହିଁ । ସାମ୍ପ୍ରଦାୟିକତା ବା ସଂକୀର୍ଣ୍ଣତାର ସ୍ଥାନ ନାହିଁ । ଯେତେବେଳ ଯାଏ ଆମେ ଅନ୍ୟମାନଙ୍କର ସେବାବ୍ରତ ଗ୍ରହଣ କରୁଛୁଁ, ସେତେବେଳ ଯାଏ ସେମାନଙ୍କର ସେବା କରିବାକୁ ବାଧ୍ୟ ।

Image

 

ଅନୁକରଣ କରନାହିଁ ।

 

ଥରେ ଗୋଟିଏ ପିଲା ଗୋଟିଏ ଗୋରାସାହେବ ପାଖରେ ରହିଲା । ଗୋରାଲୋକଟି ଯିମିତି ପିନ୍ଧେ, ସେମିତି ପୋଷାକ ପିନ୍ଧିଲା । ସେ ଯିମିତି କଣ୍ଟା ଚାମଚରେ ଖାଏ, ସେମିତି ଖାଇଲା-। ସିମିତି ଇଂରାଜୀକଥା କହିଲା, ତାରି ଚାଲିଚଳନ ସବୁ ଶିଖିଲା । ସାହେବ ତା’ ଦେଶକୁ ଚାଲିଯିବା ପରେ ପିଲାଟି ଗାଁକୁ ଆସିଲା । ଗାଁରେ ସିମିତି ଚଳିବାକୁ ଲାଗିଲା । ଗାଁ ଲୋକେ ତାକୁ ଭଲ ପାଇଲେ ନାହିଁ । ସେ ଗାଁ ଲୋକଙ୍କୁ ଘୃଣା କରୁଥିଲା ବୋଲି ଗାଁ ଲୋକେ ତାକୁ ଚାହିଁଲେ ନାହିଁ-। ଥରେ ସେ ଜ୍ୱରରେ ପଡ଼ିଲା । କେହି ତା’ ପାଖକୁ ଗଲେନାହିଁ । ଗାଁରେ ଜଣେ ଭଲ ବୁଢ଼ାଲୋକ ଥାଏ । ସେ ଯାଇ ତାକୁ ଦେଖାଶୁଣା କଲା, ଔଷଧ ଆଣି ଦେଲା । ଦିନେ ସେ ପିଲାଟି ତାକୁ କହିଲା, ‘‘ହଇ ହେ ମଉସା, ଗାଁ ଲୋକେ ମୋତେ ଭଲପାଉ ନାହାନ୍ତି କାହିଁକି ?’’ ମଉସା କହିଲେ, ‘‘ବାବୁରେ, ତୁ ତ ସାହେବ ସାଙ୍ଗରେ ମିଶି ସାହେବ ପାଲଟିଲୁ, କିନ୍ତୁ ସାହେବର ଭଲଗୁଣ କିଛି ତ ଶିଖିପାରିଲୁ ନାହିଁ । ନିଜ ଦେଶମାଟି ଗାଁକୁ ଭଲପାଇଲୁ ନାହିଁ । ଅନ୍ଧଭାବରେ ଅନୁକରଣ କରିବା ଉଚିତ ହୋଇନାହିଁ । ସାହେବର ଭଲଗୁଣତକ ଶିଖି ଯଦି ଗାଁ ଲୋକପାଇଁ କାମ କରିଥାନ୍ତୁ, ତେବେ କ’ଣ ତୋତେ ଗାଁଲୋକ ପଚାରନ୍ତେ ନାହିଁ ? ମୁଣ୍ତରେ ପରା ତୋତେ ବସାଇଥାନ୍ତେ । କୋଟ-ପେଣ୍ଟ ପିନ୍ଧି କଣ୍ଟାଚାମୁଚରେ ଖାଇଲେ ସାହେବ ହେବୁ ନାହିଁ ।’’

 

ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ମନେ ରଖିବ—ଅନ୍ୟ କାହାକୁ ଅନ୍ଧଭାବରେ ଅନୁକରଣ କରନାହିଁ । ଅପରର ଅନୁକରଣ ଉନ୍ନତିର ପରିଚାୟକ ନୁହେଁ । ସିଂହଚର୍ମାବୃତ ଗର୍ଦ୍ଦଭ କେବେ ସିଂହ ହୋଇପାରେ ନାହିଁ । ଯେତେବେଳେ ମଣିଷ ନିଜକୁ ଘୃଣା କରିବାକୁ ଆରମ୍ଭ କରେ, ଯେତେବେଳେ ପୂର୍ବପୁରୁଷମାନଙ୍କୁ ସ୍ୱୀକାର କରିବାକୁ ଲଜ୍ଜିତ ହୁଏ, ସେତେବେଳେ ଜାଣିବ ତାହାର ବିନାଶ ଆସନ୍ନ ।

Image

 

ବିପଦ ଆସିଲେ କ’ଣ କରିବ ?

 

ବିପଦ ଆସିଲେ ଦେଖାଯାଏ, ଘରକୋଣରେ ବସି ଅନେକ କାନ୍ଦନ୍ତି, ଭାଗ୍ୟକୁ ନିନ୍ଦା କରନ୍ତି । ଦୁଃଖରୁ ରାଗ, ବିରକ୍ତି ଓ ହିଂସା ଆସିଲେ ଲୋକଙ୍କର ମନ ନିମ୍ନଗାମୀ ହୁଏ । କଳିଗୋଳ, ମାରଧର ଇତ୍ୟାଦି କେତେ କଣ ଚାଲେ । ଏଥିରେ ଫଳ ତ ଭଲ ହୁଏ ନାହିଁ, ଓଲଟି ଆହୁରି ବିପଦ ଘନେଇ ଆସେ । ଗୋଟିଏ ଭୁଲ୍‍ ପରେ ଆଉ ଗୋଟିଏ ଭୁଲ ହୁଏ; ଯେମିତି ଗୋଟିଏ ମିଛ କଥାକୁ ଢାଙ୍କିବାକୁ ଶହେଟା ମିଛର ଆଶ୍ରୟ ନେଇ ମନୁଷ୍ୟ ଶେଷରେ ଧରା ପଡ଼ିଯାଏ । ଇମିତି ଗୋଟିଏ ଘଟଣା କହୁଛି ।

 

ଜଣେ ଲୋକ ବାଟରେ ଯାଉଁ ଯାଉଁ ଆଉ ଜଣେ ଲୋକକୁ ମିଛରେ କହିଲା, ‘‘ଡକାଏତ ଆସିଛନ୍ତି, ପଳାଅ ।’’ ଚାରିଆଡ଼େ ତା’ କଥା ରାଷ୍ଟ୍ର ହୋଇଗଲା । ସମସ୍ତେ ଠେଙ୍ଗା, ବାଡ଼ି, ଶାବଳ ଧରି ବାହାରିପଡ଼ିଲେ । ସେ ଲୋକପାଖକୁ ଆସି ଡକାଏତ କଥା ପଚାରିଲେ । ଲୋକଟି ମିଛରେ ଆଉ ଏକ ରାସ୍ତା ଦେଖାଇ କହିଲା, ‘‘ଡକାଏତକୁ ଏଇବାଟେ ଦଉଡ଼ି ଯିବାର ଦେଖିଲି ।’’ ଚାରିଆଡ଼େ ଲୋକ ଖେଦିଗଲା ପରେ ମିଛୁଆଟି ଭୟରେ ଦଉଡ଼ିବାକୁ ଲାଗିଲା । ଲୋକେ ତାକୁ ଡକାଏତ ବୋଲି ଭାବି ପିଟି ପିଟି ମାରିଦେଲେ । ମିଛୁଆର ପ୍ରାଣ ଗଲା ।

 

ବିପଦ ଯେତେବେଳେ ଆସେ, ସେତେବେଳେ କିପରି ଅବିଚଳିତ ରହିବାକୁ ହୁଏ ଏବଂ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡ଼େ, ତାହା ସ୍ୱାମୀ ବିବେକାନନ୍ଦ ବୁଝାଇଛନ୍ତି । ସେ କହିଛନ୍ତି–ହୃଦୟକୁ ସମୁଦ୍ର ପରି ମହାନ୍ କରିଦିଅ । ଜଗତର କ୍ଷୁଦ୍ର କ୍ଷୁଦ୍ର ଭାବସମୂହର ଊର୍ଦ୍ଧ୍ୱକୁ ଚାଲିଯାଅ; ଏପରିକି ଅଶୁଭ ହେଲେ ମଧ୍ୟ ଆନନ୍ଦରେ ଉନ୍ମତ୍ତ ହୋଇଯାଅ; ଜଗତକୁ ଗୋଟିଏ ଛବିପରି ଦେଖ; ଏହି କଥା ଯେପରି ମନେ ରହେ ଯେ ଜଗତର କୌଣସି କଥା ତମକୁ ବିଚଳିତ କରିପାରିବ ନାହିଁ ଏବଂ ଏହା ଜାଣି ଜଗତର ସୌନ୍ଦର୍ଯ୍ୟ ଉପଭୋଗ କର ।’’

Image

 

ସ୍ୱରୂପକୁ ଜାଣିରଖ

 

ପାହାଡ଼ କଡ଼ରେ ଗୋଟିଏ ମେଷପାଳକ ଥାଏ । ସେ ମେଣ୍ଢାଗୁଡ଼ିକୁ ଚରାଇ ସଞ୍ଜ ପୂର୍ବରୁ ଘରକୁ ବାହୁଡ଼ି ଆସେ, କାରଣ ବାଘ-ସିଂହର ବଡ଼ ଭୟ ଥିଲା ସେ ସ୍ଥାନରେ । ଦିନେ ଗୋଟିଏ ନଦୀକୂଳରେ ମେଣ୍ଢାସବୁ ଚରୁଥାନ୍ତି । ନଦୀକୂଳକୁ ଲାଗିଛି ବଣଟିଏ । ସେହି ବଣ ଭିତରୁ ସିଂହଟିଏ ବାହାରି ଡିଆଁମାରି ନଦୀ ପାରି ହୋଇ ମେଣ୍ଢାମାନଙ୍କୁ ଧରିବାକୁ ଗଲା । ଠିକ୍ ସେତିକିବେଳେ ଶିଶୁଟିଏ ପ୍ରସବ କରି ସିଂହୀଟି ମରିଗଲା । ଏଣେ ସିଂହଶିଶୁଟି ମେଣ୍ଢାପଲରେ ରହି ମେଣ୍ଢା ଭଳି ଭେ ଭେ କଲା ଏବଂ ଘାସ ଖାଇବାକୁ ଲାଗିଲା । ଦିନେ ଗୋଟିଏ ସିଂହ ଆସି ମେଣ୍ଢାପଲ ଉପରେ ଆକ୍ରମଣ କଲା ଏବଂ ଦେଖିଲା ଯେ ଗୋଟିଏ ସିଂହ ମେଣ୍ଢାପଲ ସଙ୍ଗରେ ଥାଇ ଡରି ପଳାଉଛି । ସିଂହଟି ଏହା ଦେଖି ଜୋରରେ ଯାଇ ମେଣ୍ଢାପଲରେ ଥିବା ସିଂହଟିକୁ ଧରି ଗୋଟିଏ ନଦୀକୂଳକୁ ଆସି କହିଲା— ‘‘ଦେଖ, ତୁ ଯାହା, ମୁଁ ମଧ୍ୟ ସେଇଆ । ତୁ ମୋ ଭଳି ସିଂହ, ମେଣ୍ଢାଭଳି ଭେ ଭେ କରୁଛୁ କାହିଁକି ? ଗର୍ଜନ କର ।’’ କିନ୍ତୁ ମେଣ୍ଢା ସାଙ୍ଗରେ ମିଶି ସିଂହଟା ନିଜ ପ୍ରକୃତି ଭୁଲି ଯାଇଥାଏ । ତା ଦେଖି ବଡ଼ ସିଂହ ତା’ ପାଟିରେ ଖଣ୍ଡେ ମାଂସ ଗୁଞ୍ଜିଦେଇ କହିଲା, ‘‘ଖା’’ । ଏଥର ସେ ଛୋଟ ସିଂହ ନିର୍ମଳ ଜଳର ଛାଇକୁ ଅନାଇ କହିଲା—‘‘ସତକଥା ତ ! ସେ ଯାହା, ମୁଁ ବି ତ ସେଇଆ ।’’ ତାର ଭ୍ରମ ଭାଙ୍ଗିଯିବରୁ ସେ ନିଜକୁ ମନେ କଲା ସିଂହ । ମନରେ ତାର ଆସିଲା ଆତ୍ମବିଶ୍ୱାସ । ସେ ବଣକୁ ଫେରିଗଲା ।

 

ପ୍ରତ୍ୟେକ ଲୋକ ଭିତରେ ସେଇ ଆତ୍ମବିଶ୍ୱାସ ବିଦ୍ୟମାନ ଅଛି । ତା’ର ବିକାଶ କରିବାକୁ ହେବ । ସ୍ୱାମୀ ବିବେକାନନ୍ଦ କହିଛନ୍ତି—ମୁଁ ଚାହେଁ ଏପରି ଲୋକ ଯାହାର ଶରୀରର ପେଶୀ-ସମୂହ ଲୌହପରି ଦୃଢ଼ ଓ ସ୍ନାୟୁ ଇସ୍ପାତ ନିର୍ମିତ ହେବ ଏବଂ ସେମାନଙ୍କର ଶରୀର ଭିତରେ ଏପରି ଏକ ମନ ଥିବ ଯାହା ବଜ୍ରର ଉପାଦାନରେ ଗଠିତ ।

Image

 

Unknown

‘ଭିକାରିଠାରୁ ଦାନ ନେବି !’

 

ଜଣେ ରାଜା ଏକ ପ୍ରସିଦ୍ଧ ଋଷିଙ୍କ ପାଖକୁ ଗଲେ । ସେ ଋଷି ରାଜାଙ୍କୁ ନାନା ଉପଦେଶ ଦେଲେ । ଋଷି କହିଲେ—ଏ ଜଗତରେ କୌଣସି କୌଣସି ବସ୍ତୁରେ ବିଶେଷ ମହତ୍ତ୍ୱ ବା ଅସାଧାରଣ ସୌନ୍ଦର୍ଯ୍ୟ ଦେଖି ଆମେ ଖବ୍‌ ଆକୃଷ୍ଟ, ମୋହିତ ଏବଂ ଆନନ୍ଦିତ ହେଉଁ । ପର୍ବତ, ସାଗର, ବିସ୍ତୃତ ପ୍ରାନ୍ତର ଅଥବା ସୁନ୍ଦର ମଣିଷ ଇତ୍ୟାଦି ବସ୍ତୁରେ ଭଗବାନଙ୍କର କିଞ୍ଚିତ ଅଭିବ୍ୟକ୍ତି ରହିଛି ଜାଣି, ଏସବୁ ବସ୍ତୁରେ ତାହାଙ୍କର ଉପାସନା କଲେ ଧୀରେ ଧୀରେ ଏହି ଜଗତର ଅନ୍ତନିର୍ହିତ ଏକତ୍ୱ ସମ୍ବନ୍ଧରେ ଧାରଣା ହୋଇଥାଏ ।

 

ଋଷିଙ୍କ କଥାରେ ରାଜା ଖୁସି ହୋଇ ତାଙ୍କୁ କିଛି ଦାନ ନେବାକୁ ବାଧ୍ୟ କଲେ ଏବଂ ରାଜଧାନୀକୁ ନେଇ ଆସିଲେ । ସେ ଋଷିଙ୍କୁ ପାଖ ଘରେ ବସାଇ ଦେଇ ଠାକୁରସେବା କରିବାକୁ ଗଲେ । ମାତ୍ର ପୂଜା କରି ଆସି ଦେଖନ୍ତି ସେ ଋଷି ନଗର ଛାଡ଼ି ଚାଲି ଯାଉଛନ୍ତି । ରାଜା ତାଙ୍କ ପାଖକୁ ଯାଇ ଚାଲିଆସିବାର କାରଣ ପଚାରନ୍ତେ ସେ କହିଲେ—‘‘ମୁଁ ଗୋଟିଏ ଭିକାରୀଠାରୁ କ’ଣ ଦାନ ନେବି ? ତମେ ପୂଜାବେଳେ ଠାକୁରଙ୍କୁ ଧନ, ଜନ, ଗୋପଲକ୍ଷ୍ମୀ ମାଗିଲ । ଯେଉଁ ବ୍ୟକ୍ତି ଈଶ୍ୱରଙ୍କଠାରେ ଏହା ମାଗନ୍ତି ସେମାନେ ଦୁର୍ବଳ ଓ ହୀନ ବ୍ୟକ୍ତି । ସେପରି ବ୍ୟକ୍ତିଙ୍କଠାରୁ ମୁଁ ଦାନ ଚାହେଁନା ।’’ ଋଷି ଏହା କହି ଚାଲିଗଲେ । ଈଶ୍ୱରଙ୍କଠାରେ ବିଶ୍ୱାସ, ଭକ୍ତି ମାଗିବାକୁ ହୁଏ । ତାଙ୍କଠାରେ ଧନ, ଜନ ମାଗିବା ଦୁର୍ବଳତା ।

Image

 

ଜ୍ଞାନର ପ୍ରତିବନ୍ଧକ ଅଜ୍ଞାନ

 

ସତ୍ୟ ବସ୍ତୁକୁ ଆମେ ସତ୍ୟ ବସ୍ତୁରୂପେ ନ ଦେଖି ଭ୍ରମରେ ଅନ୍ୟ ଭଳି ଦେଖୁଥାଇଁ । ଅଜ୍ଞାନତାବଶତଃ ଆମେ ଏପରି ଭ୍ରମ ବିଚାର କରୁ । ଯୁକ୍ତି କରୁ, ମିଛରେ ବାଜେ ତର୍କ କରୁ । ଶତ୍ରୁ ସୃଷ୍ଟି କରୁ । ‘ଯାହାର ଯେମନ୍ତ ସ୍ୱଭାବ’, ସେ ଜିନିଷଟାକୁ ସେହିଭଳି ଦେଖେ; କିନ୍ତୁ ବସ୍ତୁର ଅସଲ ରୂପଟିକୁ ଭୁଲିଯାଏ । ଏହାହିଁ ବର୍ତ୍ତମାନ ଯୁଗର ସମସ୍ୟା । ତମେ ଲାଲ ଚଷମାଟିଏ ପିନ୍ଧିଲେ, ସବୁ ଜିନିଷ ନାଲି ଦେଖିବ ଏବଂ ସବୁଜ ଚଷମା ପିନ୍ଧିଲେ ଜଗତଟାକୁ ସିମିତି ଦେଖିବି ।

 

ଯେଉଁମାନଙ୍କର ମନ ଶୁଦ୍ଧ, ସେମାନେ କିନ୍ତୁ ସତ୍ୟ ବସ୍ତୁ ଭିତରେ ଯେଉଁ ଅସଲ କଥା ଅଛି ତାହା ଦେଖିବାକୁ ଚାହାନ୍ତି।

 

ଗୋଟିଏ ଗପ ଶୁଣ । ସଞ୍ଜ ହୋଇଥାଏ । ଦଳେ ପିଲା ଗୋଟିଏ ଆମ୍ବବଗିଚା ବାଟ ଦେଇ ଯାଉଁ ଯାଉଁ ଦେଖିଲେ ଯେ ମଣିଷ ଭଳି ଗୋଟିଏ ପ୍ରକାଣ୍ଡ ଜିନିଷ ଅନ୍ଧାରରେ ହାତ ହଲାଉଛି-। ସେମାନେ ଭୂତ ବୋଲି ପାଟି କଲେ । ତାଙ୍କୁ ଦେଖି ସେ ବଗିଚାର ମାଳୀ ଭାବିଲା—ନା, ଏଇଟା ଚୋରଟାଏ, ଚୋରି କରିବାକୁ ଆସିଛି । ଗୋଟିଏ ଚୋର ସେଠାରେ ଆସି ପହଞ୍ଚିଲା-। ସେ ଭାବିଲା ଯେ ତା’ର ଯେଉଁ ସାଙ୍ଗକୁ ଆସିବାକୁ ସେ କହିଥିଲା, ସେ ବୋଧହୁଏ ଆସିଛି ।

 

ସମସ୍ତେ ଏମିତି ବିଚାରିଲାବେଳେ ଜଣେ ସ୍ଥିତପ୍ରଜ୍ଞ ବ୍ୟକ୍ତି ସେଠାରେ ପହୁଞ୍ଚିଲେ । ହାତରେ ତାଙ୍କର ଟର୍ଚ୍ଚ ଲାଇଟ । ସେ ଏକାକୀ ଟର୍ଚ୍ଚ ଧରି ଆଗେଇ ଯାଇ ଦେଖିଲେ ଯେ ଗୋଟିଏ ଶୁଖିଲା ଡାଳ ପବନରେ ହଲୁଛି ।

 

ଏ ଦୁନିଆରେ ଘରେ ବାହାରେ, ଖବରକାଗଜରେ କେତେକ କଥା ସବୁ ବାହାରୁଛି, ତମେ ଶୁଣୁଛ । ତମେ ଏ ସବୁକୁ ସ୍ଥିର ଚିତ୍ତରେ ବିଚାର କରିବା ଦରକାର । ସ୍ଥିର ହୋଇ ବିଚାର କଲେ ଅସଲ ଜିନିଷଟା ତମ ଆଗକୁ ଆସିଯିବ । ତମେ ବୁଝି ପାରିବ ବ୍ୟାପାରଟି କଣ ? ତମର କର୍ତ୍ତବ୍ୟ ତମେ ବିଚାରକରି ଠିକ୍‌ କରିବ । ଅଜ୍ଞାନକୁ ନଷ୍ଟ ନ କଲେ ଜ୍ଞାନ ଆସି ପାରିବ ନାହିଁ ।

Image

 

ଜ୍ଞାନୀର ସ୍ୱଭାବ

 

ଗୋଟିଏ ଗାଁରେ ଜଣେ ଚାଷୀ ଥାଏ । ସେ ଜ୍ଞାନୀ । ତାର ଯାହା ଜମି ଜାଗା ଥିଲା, ସେଥିରେ ସେ ବେଶ୍‌ ଚଳି ଯାଉଥାଏ । ତା’ର ଗୋଟିଏ ବୋଲି ପୁଅ ଥାଏ । ତା’ ନାଁ ଗୋପାଳ । ଥରେ କଲେରାରେ ତା’ର ଏକୋଇରବଳା ବିଶିକେଶନର ମୃତ୍ୟୁ ଘଟିଲା । ତା’ ମା କାନ୍ଦିଲା, ପ୍ରତିବେଶୀ କାନ୍ଦିଲେ, ସମସ୍ତେ କାନ୍ଦିଲେ କିନ୍ତୁ କାନ୍ଦିଲା ନାହିଁ ଚାଷୀଟି । ସେ ଅନ୍ୟମାନଙ୍କୁ ସାନ୍ତ୍ୱନା ଦେଇ କହିଲା—‘କାନ୍ଦି ଲାଭ କ’ଣ ? ଆମର ଯେତିକି ଚେଷ୍ଟା, ସେତିକି କଲୁଁ ।’ ଶେଷକୃତ୍ୟ କରି ସମସ୍ତଙ୍କୁ ବୁଝାଇ ସେ ପୁଣି ଚାଷ କାମ କରିବାକୁ ଗଲା । ପଡ଼ୋଶୀମାନେ ତାକୁ ଦେଖି ଅବାକ୍‌ ହେଲେ । ଗୋଟିଏ ବୋଲି ପୁଅ, ଅଥଚ ତା’ ଆଖିରେ ଟୋପିଏ ବୋଲି ଲୁହ ନାହିଁ । ଧନ୍ୟ ସେ ବାପର ଛାତି !

 

ନିତି ସଞ୍ଜବେଳକୁ ଚାଷୀ ଆସି ଦେଖେ ଯେ ତା’ ସ୍ତ୍ରୀ କାନ୍ଦୁଛି । ଯେତେହେଲେ ମା’ତ । ସେ କାନ୍ଦି କାନ୍ଦି କହିଲା—‘‘ତମେ ଏଡ଼େ ନିଷ୍ଠୁର । ପିଲାଟା ପାଇଁ ଥରେ ହେଲେ କାନ୍ଦିଲ ନାହିଁ ?’’

 

ଚାଷୀ କହିଲା, ‘‘କାନ୍ଦୁନି କାହିଁକି ଜାଣିଛ ? ମୁଁ କାଲି ସ୍ୱପ୍ନ ଦେଖିଲି ଯେ ମୁଁ ରାଜା ହୋଇଛି ଏବଂ ମୋର ଆଠ ପୁଅ । ଖୁବ୍‌ ସୁଖରେ ଅଛି । ତା’ପରେ ନିଦ ଭାଙ୍ଗିଗଲା । ଦେଖିଲି ସେ ଆଠଟି ପିଲା କେହି ହେଲେ ନାହାନ୍ତି । ଏବେ ଭାବନାରେ ପଡ଼ିଛି ଯେ ସେ ଆଠ ପିଲା ପାଇଁ ଦୁଃଖ କରିବି ନା ଗୋଟିଏ ପୁଅ ଗୋପାଳ ପାଇଁ ଦୁଃଖ କରିବି ।’’

 

ଚାଷୀ ଜ୍ଞାନୀ—ତା’ ମତରେ ସ୍ୱପ୍ନ ଯେପରି ମିଥ୍ୟା, ଜାଗ୍ରତ ଅବସ୍ଥା ମଧ୍ୟ ସେହିଭଳି ମିଥ୍ୟା-। ଯେ ପ୍ରକୃତ ଜ୍ଞାନୀ, ସେ ସ୍ୱପ୍ନ, ଜାଗ୍ରତ ଓ ସୁଷୁପ୍ତି ଅବସ୍ଥାକୁ ଏକାଭଳି ଦେଖେ ।

Image

 

ମଣିଷର ପ୍ରୟୋଜନ

 

ତମେ ପିଲାଏ ପଚାରିବ, ମଣିଷର ପ୍ରୟୋଜନ କଣ ? ଇମିତି ଜଣେ ପିଲା ପ୍ରଶ୍ନ ପଚାରିଥିଲା । ଗୁରୁ କ’ଣ କହିଥିଲେ ଜାଣ ! ତୁମେ ହୁଏତ ଭାବୁଥିବ, ଯେ କୌଣସି ଉପାୟରେ ହେଉ, ମନଇଚ୍ଛା ଖାଇପିଇ, ଖେଳିକୁଦି, ମଉଜମଜଲିସ କଲେ କାମ ସରିଲା । କିନ୍ତୁ ଶିକ୍ଷକ କହିଥିଲେ—‘‘ନାଇଁରେ ବାବୁ, ତାକୁ ମଣିଷପଣିଆ କୁହାଯାଏ ନାହିଁ । ତମେ ଯାହା କହିଲ ସେ ତ ଦେହର କଥା ଏବଂ ସାଧାରଣ କଥା; କିନ୍ତୁ ତମ ଭିତରେ ଆଉ ଏକ ମଣିଷ ରହିଛି; ସେଇଟି ଅସଲ ମଣିଷ । ସେଇ ଅସଲ ମଣିଷଟି ପାଉଁଶ ଭିତରେ ଢାଙ୍କି ହୋଇ ରହିଥିବାରୁ ମନଟା ଧାଉଁଛି ହିଂସା, ଦ୍ୱେଷ ରାଗ-କ୍ରୋଧରେ ସୁଖ ଆଡ଼କୁ । କିନ୍ତୁ ସେଠାରେ ସୁଖ ନାହିଁ । ସେ ସୁଖ କ୍ଷଣିକ । ରସଗୋଲାଟି ତଣ୍ଟିକୁ ଗଲେ ସିନା ମିଠା, ପିତା କି କଷା ଜଣାପଡ଼େ । ତମ ଭିତରେ ଅସଲ ମଣିଷ ଅଛି । ସେ ମଣିଷ ବାହାରିବ ସଦାଚାରରେ, ସଦ୍‌ବୁଦ୍ଧିର ବିକାଶରେ, ପରୋପକାରରେ । ଦେଶ ଚାହେଁ ସେଇଭଳି ମଣିଷ । ଏମିତି ମଣିଷ ହେଲେ ଦେଶ ସୁନା ପାଲଟିଯାଏ । ଏପରି ଗୋଟିଏ ମଣିଷ ଯଦି ତିଆରି ହୁଏ, ତେବେ ଲକ୍ଷ ଲକ୍ଷ ବକ୍ତୃତାର କାର୍ଯ୍ୟ ହେବ ।’’ ସ୍ୱାମୀ ବିବେକାନନ୍ଦ ଏ କଥା କହିଛନ୍ତି ।

 

ତେଣୁ ଦେଶରେ ଲୋଡ଼ା ଇମିତି ମଣିଷ । ସେ ମଣିଷ ତମେ, କାରଣ ତମରି ଭିତରେ ସେ ଚେତନା ଅମୃତ ଅଛି । ଅସଲ ମଣିଷକୁ ଧରିପାରିଲେ ଆଉ ଭୟ ନ ଥାଏ । ତମେ ସେ କଥା କରିପାରିବ । କେବଳ ସେତିକି ନୁହେଁ, ଦେଶ, ମାଟି, ମା ଚାହେଁ ଏହିପରି ବୀର ଶିଶୁ ।

Image

 

ଦୋଷ ଦେଖ ନାହିଁ, ଗୁଣ ଦେଖ

 

ଆମେ ସର୍ବଦା ପରର ଦୋଷ ଦେଖାଇବାରେ ବ୍ୟସ୍ତ । ନିଜର ଦୋଷ ଦେଖିବାକୁ ସବୁବେଳେ ପଛଘୁଞ୍ଚା ଦେଉ । ଗୁଣ ଦେଖିବାକୁ ମୋଟେ ତିଆରି ନୋହୁଁ । ସେ ଗୁଣକୁ ଆମ ଭିତରେ ପ୍ରତିଷ୍ଠିତ କରିବାର ଉଦ୍ୟମ କରିବା ତ ଦୂରର କଥା ।

 

ଗୋଟିଏ ଦେଶରେ ଜଣେ ରାଜା ଥାନ୍ତି । ଥରେ ତାଙ୍କ ଦରବାରରେ ଜଣେ ନିରୀହ ଲୋକର ବିଚାର ହେଲା । ସଭାସଦ୍‌ ତାକୁ ଚୋର ବୋଲି ସାବ୍ୟସ୍ତ କଲେ ରାଜ୍ୟବାସୀ କହିଲେ–‘‘ସେ ନିଶ୍ଚୟ ଚୋର, ତା’ ନ ହେଲେ ପ୍ରତିଦିନ ଏତେ ଭିକାରିଙ୍କୁ ଖୁଆଏ କିପରି-? କେଉଁଠୁ ସେ ଧନ ଆଣେ ? ବିଚାର ଶେଷରେ ତା’ର ଦଣ୍ଡର ଆଦେଶ ହେଲା । ରାଜା ସେ ଲୋକକୁ ପଚାରିଲେ, ‘‘ତୋର ପ୍ରମାଣ କ’ଣ ଅଛି ?’’ ଏତିକିବେଳେ ରାଜଦ୍ୱାରର ଫାଟକ ସେପଟୁ ଜଣେ ରୋଗୀ କହିଲା–‘ମୋ କଥା ଘେନାଯାଉ, ହଜୁର ।’ କୁଷ୍ଠରୋଗୀ ସଭାସଦ୍‌ମାନଙ୍କ ଆଗରେ ଠିଆ ହୋଇ କହିଲା–‘‘ଧର୍ମାବତାର ! ଏହି ନିରୀହ ଲୋକଟି ନିଜର ଚାଷ ଜମିରୁ ଯାହା ପାଏ, ଆମକୁ ଖୁଆଏ । ଏତେ ବଡ଼ ସହରରେ ଆମକୁ କେହି ମୁଠିଏ ହେଲେ ଭିକ ଦିଅନ୍ତି ନାହିଁ, ବରଂ ଛି-ଛାକର କରନ୍ତି । ତା’ର ମୁକ୍ତି ଭିକ୍ଷା କରିବାକୁ ଆସିଛି । ସେ ମଲେ ଆମେ ସମସ୍ତେ ମରିଯିବୁ ।’’ ସମସ୍ତଙ୍କର ଆଖି ଖୋଲିଗଲା । ନିରୀହ ଲୋକଟି ମୁକ୍ତି ପାଇଲା ।

 

ସ୍ୱାମୀ ବିବେକାନନ୍ଦ କହିଛନ୍ତି—ନିଜର ଦେବସ୍ୱରୂପ ଉପଲବ୍ଧି କର । ସର୍ବଭୂତରେ ନିଜକୁ ପ୍ରତ୍ୟକ୍ଷ କରିବାର ଗୋଟିଏ ପ୍ରଶସ୍ତ ପଥ ହେଲା ଈଶ୍ୱରାଧୀନରେ ସମସ୍ତଙ୍କର ସେବା କରିବା । କଠିନ ହେଲେ ମଧ୍ୟ ସଂସାରର ସବୁ କର୍ତ୍ତବ୍ୟ କରି ମନୁଷ୍ୟ ଆତ୍ମଲାଭ କରିପାରେ । କିଏ କି ଜାତି, କାହାର କି ଧର୍ମ ବା ସେ କ’ଣ କାମ କରୁଛି, ସେଥିରୁ ବୁଝାଯାଏନା ଯେ ସ୍ୱରୂପବୋଧ ଆଡ଼କୁ ସେ କେତେଟା ଆଗେଇଛି ? କେଉଁ ଭାବ ନେଇ ସେ କାର୍ଯ୍ୟ କରୁଛି, ତାହାହିଁ ଅସଲ କଥା-। କୌଣସି କାମ କରିବାକୁ ଗଲେ ସୁଖ-ଦୁଃଖ, ମାନ-ଅପମାନ; ଲାଭ-କ୍ଷତି ଆସେ । ତା’ ଭିତରେ ନିଜକୁ ସ୍ଥିର ରଖିବା ହିଁ ସାଧନା । ଏ ସାଧନା ଯାହାର ଯେତେ ଅଧିକ ସେ ସେତେ ଆଗକୁ ଆଗେଇ ଯାଏ । ତେଣୁ ଦୋଷ ଦେଖ ନାହିଁ, ଗୁଣ ଦେଖ ।

Image

 

ଭଗବାନହିଁ ଭରସା ସ୍ଥଳ

 

ଯୋଗତ୍ରୟାନନ୍ଦଜୀ ନାମରେ ଜଣେ ବଡ଼ ତପସ୍ୱୀ ଥିଲେ । ସେ କିନ୍ତୁ ଗୃହସ୍ଥ ଥିଲେ । ସ୍ତ୍ରୀ ପୁତ୍ର ନେଇ ରହୁଥିଲେ । ବେଶୀ ଦିନର କଥା ନୁହେଁ । ଥରେ ତାଙ୍କଘରେ ଖାଇବାକୁ କିଛି ନ ଥାଏ । ତାଙ୍କର ଅଗଣିତ ଶିଷ୍ୟ । ବାବାଜୀ ମହାଶୟ କାହାରିକୁ କିଛି ମାଗନ୍ତି ନାହିଁ । ସେ କହନ୍ତି, ଈଶ୍ୱରହିଁ ତ ଭରସା ସ୍ଥଳ, ତାଙ୍କ ଛଡ଼ା ଆଉ କାହାକୁ ମାଗିବ ? ଶିଷ୍ୟମାନେ ଖବର ପାଇଥିଲେ ସାହାଯ୍ୟ କରିଥାନ୍ତେ । ସେ ଘରେ କହିଲେ ଯେ ବେଲପତ୍ରକୁ ଛେଚି ତାର ରସ ପାନ କର । ଏହିପରି ତିନିଦିନ ବିତିଗଲା । ସେ ଦିନ ସେ ଶିଷ୍ୟମାନଙ୍କ ଗହଣରେ ବସିଛନ୍ତି, ପୋଷ୍ଟ ପିଅନ ପାଞ୍ଚଶହ ଟଙ୍କାର ଗୋଟିଏ ଇନିସିଓର୍ଡ଼ ଆଣି ଦେଲା । ଚିଠିରେ ଲେଖାଥିଲା—ମୁଁ ପୂର୍ବ ରାତିରେ ସ୍ୱପ୍ନ ଦେଖିଲି ଯେ ଇଷ୍ଟଦେବତା କାଶୀନାଥ ବିଶ୍ୱେଶ୍ୱର ପ୍ରକଟ ହୋଇ କ୍ଷୁଧାର୍ତ୍ତ ରୂପେ ଅନ୍ନ ଭିକ୍ଷା କଲେ ଏବଂ କହିଲେ, ‘ମୋର ଜଣେ ପରମ ଭକ୍ତ ଉପବାସ ଅଛି, ତେଣୁ ମୁଁ ମଧ୍ୟ ଉପବାସୀ । ତମେ ଯଦି ମୋତେ ଭକ୍ତି କର, ତେବେ ମୋର ଭକ୍ତର ଅବିଳମ୍ବେ ଅନ୍ନଜଳ ସଂସ୍ଥାନ କରିଦିଅ ।’ ଭକ୍ତର ନାମ ଏବଂ ଠିକଣା କହିଦେଲେ ଏବଂ ଜ୍ୟୋତିର୍ମୟ ଅକ୍ଷରରେ ଏହା ଲିଖିତ ଭାବରେ ଦେଖାଇ ଦେଲେ-। ମୁଁ ଉଠିପଡ଼ି ଠିକଣା ଲେଖି ରଖିଲି ଏବଂ ପାଞ୍ଚଶହ ଟଙ୍କା ଇନସିଓର୍ଡ କରି ପଠାଉଛି । ମୁଁ ଆପଣଙ୍କୁ ଜାଣେନା, ଚିହ୍ନେନା, ଠିକଣା ଜାଣେନା, ତଥାପି ଏ ସ୍ୱପ୍ନକୁ ବିଶ୍ୱାସ କରି ଏ ଟଙ୍କା ପଠାଉଛି ଏବଂ ମୋର ବିଶ୍ୱାସ ଏହା ଯଥାସ୍ଥାନରେ ପହଞ୍ଚିବ ।

 

ଶ୍ରୀରାମକୃଷ୍ଣ ଦେବଙ୍କ ନିକଟରେ ଏ ଭକ୍ତ ‘ଶଶୀ’ ବୋଲି ପରିଚିତ ଥିଲେ ।

 

ଥରେ ଭଗବାନଙ୍କ ନିକଟରେ ଆତ୍ମସମର୍ପଣ କରି ପ୍ରାଣଭରି ଡାକ; ଦେଖିବ ତମର ପ୍ରାର୍ଥନା କେବେ ବ୍ୟର୍ଥ ହେବ ନାହିଁ । ବ୍ୟର୍ଥ କେବେ ହୋଇନାହିଁ । ଅନ୍ତର ଶୁଦ୍ଧ ହେବା ଦରକାର ।

Image

 

ଭାରତର ପ୍ରାଣ—ତ୍ୟାଗ ଓ ସେବା

 

ବର୍ତ୍ତମାନ ଦୁନିଆଁରେ ଆମେ ଅନେକ କଥା ଦେଖୁଚୁ । ମଣିଷ ଚନ୍ଦ୍ରକୁ ଗତି କଲାଣି । ଚନ୍ଦ୍ରକଥା ଜାଣିଲାଣି । ଆମେ ଛବିରେ, ସମ୍ବାଦରେ, ସିନେମାରେ ଏସବୁ ଦେଖିଲୁଣି । ଆମର ମନେ ହେଉଛି, ପ୍ରକୃତରେ ମଣିଷ ଅଜେୟ । ଏଇ ମଣିଷ ସବୁ କରିପାରେ । ପ୍ରଶ୍ନ ହେଲା, ସମସ୍ତେ ପାରୁ ନାହାନ୍ତି କାହିଁକି ? ଏହା ମୂଳରେ ଏକ ଗୂଢ଼ ରହସ୍ୟ ଅଛି । ଭଗବାନଙ୍କୁ ମାନ ନ ମାନ, ସେଥିରେ ଯାଏ ଆସେନା; କିନ୍ତୁ ନିଜକୁ ବିଶ୍ୱାସ କରିବାକୁ ପଡ଼ିବ । ଏହି ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ତିନୋଟି ଜିନିଷ ପ୍ରୟୋଜନ । ତାହା ହେଲା ପବିତ୍ରତା, ନିଷ୍ଠା ଏବଂ ଏକାଗ୍ରତା । ଏହି ତିନୋଟି ଜିନିଷ ଯାହା ନିକଟରେ ଯେଉଁ ଦେଶରେ ଅଧିକ, ସେ ବ୍ୟକ୍ତି, ସେ ଦେଶ ସେତେ ଅଗ୍ରଣୀ-। ଧାର୍ମିକ ଲୋକମାନେ ବିଜ୍ଞାନ ଓ ଧର୍ମକୁ ଅଲଗା ଭାବନ୍ତି, କିନ୍ତୁ ତାହା ଧାର୍ମିକ ଲୋକର ଲକ୍ଷଣ ନୁହେଁ । ଧର୍ମ ଓ ବିଜ୍ଞାନ ଭିତରେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ନାହିଁ । ଦୁହେଁ ଏକ ଜିନିଷ, ଦୁହିଁଙ୍କର ଲକ୍ଷ୍ୟ—ସତ୍ୟସନ୍ଧାନ ।

 

ଭାରତର ପ୍ରାଣ-ଆତ୍ମା ହେଲା ତ୍ୟାଗ ଓ ସେବା । ସ୍ୱାମୀ ବିବେକାନନ୍ଦ କହିଛନ୍ତି, ଭାରତ ପୃଥିବୀବକ୍ଷରେ ତ୍ୟାଗ ଓ ସେବା ପାଇଁ ବଡ଼ । ନିଃସ୍ୱାର୍ଥପରତା ସହ ଅଗଣିତ ଦରିଦ୍ର ନିରନ୍ନ ଦୁଃଖୀମାନଙ୍କୁ ଦେବଜ୍ଞାନରେ ପୂଜା କରିବାକୁ ପଡ଼ିବ । ତେବେ ଯାଇଁ ଏ ଦେଶରେ ଜାଗୃତି ।

Image

 

ସାହସର ସହିତ ମୁକାବିଲା କର

 

ଦିନେ ସ୍ୱାମୀ ବିବେକାନନ୍ଦ ପ୍ରସିଦ୍ଧ ତୀର୍ଥ ବାରାଣସୀ ସହର ଭିତରେ ବୁଲୁଥିଲେ । ସେ ବୁଲୁ ବୁଲୁ ଗୋଟିଏ ରାସ୍ତାରେ ପହୁଞ୍ଚିଲେ । ରାସ୍ତାର ଗୋଟିଏ କଡ଼ରେ ଜଳଭରା ପ୍ରକାଣ୍ତ ଜଳାଶୟ ଏବଂ ଅନ୍ୟପଟେ ବିରାଟ ପ୍ରାଚୀର । ଏହିଭଳି ଏକ ରାସ୍ତାରେ ଯାଉଁ ଯାଉଁ ଦଳେ ହନୁମାଙ୍କଡ଼ଙ୍କୁ ଭେଟିଲେ । ବାରାଣସୀରେ ଏହି ହନୁମାଙ୍କଡ଼ମାନଙ୍କର ପ୍ରତିପତ୍ତି ବଡ଼ ବେଶୀ ଥିଲା । ଏବେ ଢେର କମିଯାଇଛି । ମାଙ୍କଡ଼ଗୁଡ଼ାକ ସ୍ୱାମୀଜୀଙ୍କ ଆଡ଼କୁ କୁଦି ପଡ଼ିଲେ । ସ୍ୱାମୀ ବିବେକାନନ୍ଦ ଦୌଡ଼ିବାକୁ ଲାଗିଲେ । କିନ୍ତୁ ମାଙ୍କଡ଼ଗୁଡ଼ାକ କ୍ଷିପ୍ରଗତିରେ ଆସି ତାଙ୍କର ବାଟ ଓଗାଳି ତାଙ୍କୁ କାମୁଡ଼ିବାକୁ ଉଦ୍ୟତ ହେଲେ । ନିରୁପାୟ ସ୍ୱାମୀଜୀ କ’ଣ କରିବେ ବୋଲି ଭାବୁଛନ୍ତି, ଏତିକିବେଳେ ଜଣେ ଅଜଣା ପଥିକ ଚିତ୍କାର କରି କହିଲେ—‘‘ସେଗୁଡ଼ାଙ୍କୁ ସାହସର ସହିତ ମୁକାବିଲା କର, ସେମାନେ ପଳାଇ ଯିବେ ।’’ ସ୍ୱାମୀଜୀ ବୁଲିପଡ଼ି ମାଙ୍କଡ଼ଙ୍କ ଆଡ଼କୁ ଦମ୍ଭ ଧରି ଅନାଇଲେ । ଆଶ୍ଚର୍ଯ୍ୟ, ମାଙ୍କଡ଼ଗୁଡ଼ାକ ଡରି ପଳାଇଲେ ।

 

ବିପଦର ଝଞ୍ଜା-ତୋଫାନ ଯେତେ ଭୀଷଣ ହେଉନା କାହିଁକି, ତାକୁ ସାହସର ସହିତ ମୁକାବିଲା କରିବାକୁ ହେବ । ସୁଖ ଦୁଃଖ ଗୋଟିଏ ଟଙ୍କା’ର ଏପାଖ ସେପାଖ । ସାହସର ସହିତ ମୁକାବିଲା କଲେ ଦୁଃଖ ଉଭେଇ ଯିବ ।

Image

 

ତିନୋଟି ପ୍ରଶ୍ନ

 

ଜଣେ ରାଜା ତାଙ୍କର ପଣ୍ତିତମାନଙ୍କୁ କହିଲେ, ‘ଯେ ମୋର ତିନୋଟି ପ୍ରଶ୍ନର ଉତ୍ତର ଦେବ, ତାକୁ ମୁଁ ଲକ୍ଷେ ସ୍ୱର୍ଣ୍ଣମୁଦ୍ରା ଦାନ କରିବି ଏବଂ ଗାଭୀ ଦାନ କରିବି ।’ ପ୍ରଶ୍ନ ହେଲା—ଭଗବାନ କେଉଁ ଦିଗକୁ ମୁହଁ କରି ରହିଛନ୍ତି ? ଭଗବାନ କେଉଁଠି ଅଛନ୍ତି ଏବଂ କିପରି ଭାବରେ ଅଛନ୍ତି ? ତୃତୀୟ ପ୍ରଶ୍ନ ହେଲା—ଭଗବାନ କ’ଣ କରିପାରନ୍ତି ?

 

ପଣ୍ତିତମାନେ ବହୁ ବିଚାର କରି ବହୁ ଶାସ୍ତ୍ରମତ ବ୍ୟାଖ୍ୟାନ କଲେ, କିନ୍ତୁ ରାଜାଙ୍କ ମନକୁ କେଉଁଟି ପାଇଲା ନାହିଁ । ରାଜା ନିରାଶ ହେବାକୁ ଲାଗିଲେ । ଦିନେ ଜଣେ ବୃଦ୍ଧ ବ୍ରାହ୍ମଣ ତାଙ୍କର ଶିଷ୍ୟଙ୍କୁ ନେଇ ରାଜାଙ୍କୁ କହିଲେ, ‘ମୁଁ ଉତ୍ତର ଦେବାକୁ ପ୍ରସ୍ତୁତ ଅଛି । ମୋର ଶିଷ୍ୟ ଆପଣଙ୍କ ପ୍ରଶ୍ନସବୁର ଉତ୍ତର ଦେବ । ଆପଣ ସଭାସଦ୍‍ମାନଙ୍କୁ ଡାକନ୍ତୁ ।’

 

ସଭା ବସିଲା । ଶିଷ୍ୟ କହିଲେ, ‘ଗୋଟିଏ ଜଳନ୍ତା ପ୍ରଦୀପ ଆଣନ୍ତୁ ।’ ପ୍ରଦୀପ ଅଣାଗଲା । ସମସ୍ତେ ଘେରି ରହିଲେ । ଶିଷ୍ୟ କହିଲେ, ‘ଏବେ ଆପଣ କୁହନ୍ତୁ, ଏହି ପ୍ରଦୀପର ଶିଖା କାହା ଆଡ଼କୁ ମୁହଁ କରିଛି ?’ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣରେ ବସିଥାଇ ସମସ୍ତେ କହିଲେ; ‘ଆମ ଆଡ଼କୁ ମୁହଁ କରିଛି ।’ ଶିଷ୍ୟ କହିଲେ, ‘ଭଗବାନ ମଧ୍ୟ ଏହିପରି ବିରାଜମମାନ କରିଛନ୍ତି । ତା’ ପରେ ଶିଷ୍ୟ ଦୁଧପାତ୍ରଟିଏ ଆଣିବାକୁ କହିଲେ । ସେ ଦୁଧକୁ ଦେଖି ପଚାରିଲେ, ‘ଏଥିରେ ରହିଥିବା ଲହୁଣୀ ତ କାହିଁ ଦିଶୁନାହିଁ ?’ ପଣ୍ତିତମାନେ କହିଲେ, ‘‘ଦୁଗ୍‌ଧ ମନ୍ଥନ ନ କଲେ ମିଳିବ କିପରି ?’’ ଶିଷ୍ୟ କହିଲେ, ଭଗବାନ ଏହିପରି ସର୍ବତ୍ର ପ୍ରଚ୍ଛନ୍ନ ଭାବରେ ଅଛନ୍ତି । ତାଙ୍କୁ ଜାଣିବାକୁ ମନ୍ଥନ ଦରକାର । ଭକ୍ତିରୂପକ ଦଣ୍ତରେ ମନ୍ଥିବାକୁ ପଡ଼ିବ । ତୃତୀୟ ପ୍ରଶ୍ନର ଉତ୍ତରରେ ଶିଷ୍ୟ ରାଜା ଓ ସଭାସଦ୍‌ମାନଙ୍କୁ ବାହାରେ ଠିଆ ହେବାକୁ କହିଲେ । ନିଜେ ମଝିରେ ରହିଲେ ଏବଂ ଗୁରୁଦେବଙ୍କୁ ସିଂହାସନରେ ବସାଇଲେ । କହିଲେ—‘ହେ ରାଜା, ଭଗବାନ ଏହା ବି କରିପାରନ୍ତି ।’ ରାଜା ତାଙ୍କ କଥାର ମର୍ମ ବୁଝି ଅତିଶୟ ପ୍ରୀତ ହେଲେ ଏବଂ ତାଙ୍କ ପ୍ରଶ୍ନ ତିନୋଟିର ଉତ୍ତର ଏତେଦିନେ ମିଳିଲା କହି ବ୍ରାହ୍ମଣଙ୍କୁ ଓ ତାଙ୍କ ଶିଷ୍ୟଙ୍କୁ କୃତଜ୍ଞତା ଜଣାଇଲେ ।

Image

 

ଭଲକୁ ଭଲ କହିବାକୁ ଶିକ୍ଷା କର

 

ଦେଖାଯାଏ ଯେ ବେଳେ ବେଳେ ଆମେ ବ୍ୟକ୍ତିଗତ କାରଣରୁ ଗୋଟିଏ ଭଲଲୋକକୁ ମନ୍ଦଲୋକ କହିବାରେ ଆମେ ପଛାଇ ଯାଉନା । ଅସଲ କଥା ହେଲା, ଆମ ଭିତରେ ଈର୍ଷା, ହିଂସା, ଦ୍ୱେଷ ଏତେ ବେଶୀ ଯେ କାହାରି ପ୍ରଶଂସା ଶୁଣିଲେ ଆମର ଦିହ ଜଳିଯାଏ ଏବଂ ଆମେ ନିନ୍ଦାମୁଖର ହୋଇଉଠୁ ।

 

ପ୍ରକୃତରେ ଏହା କହିବା ଉଚିତ ନୁହେଁ । ଆମେ ବହିରେ ପଢ଼ୁ, ଉପଦେଶ ଶୁଣୁ, ଅଥଚ ସେହିପରି କାମରେ ଆମ ବ୍ୟସ୍ତ ହୋଇପଡ଼ୁ । ଏହାକୁ କିପରି ଦମନ କରାଯାଇପାରିବ କେବେ ଚିନ୍ତା କରିଛ କି ?

 

ଗୋଟିଏ କଥା ଶୁଣ । ଦିନେ ସ୍ୱାମୀ ବିବେକାନନ୍ଦ ତାଙ୍କ ସଙ୍ଗୀମାନଙ୍କ ଆଗରେ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ପ୍ରଶଂସା ଗାଉଥିଲେ । ଏହି ସମୟରେ ତାଙ୍କ ବନ୍ଧୁମାନଙ୍କଭିତରୁ ଜଣେ କହିଲା, ‘ସ୍ୱାମୀଜୀ, ସେ ଯେ ଆପଣଙ୍କୁ ଆଦୌ ମାନେ ନାହିଁ ।’ ସ୍ୱାମୀଜୀ କହିଲେ, ‘ଲୋକ ଭଲ ହେଲେ ଯେ ମୋତେ ମାନିବ, ଏହାର କିଛି ଅର୍ଥ ଅଛି ?

 

ଆମେ ଯେଉଁ ଦୃଶ୍ୟମାନ ପୃଥିବୀରେ ଦେଖୁଛୁ, ଆମକୁ ଭାବି ସ୍ଥିର କରି ନେବାକୁ ହେବ ଯେ ବିଶ୍ୱର ପ୍ରତ୍ୟେକଟି ଜିନିଷ ଦରକାରୀ । ଅଦରକାରୀ ବୋଲି କିଛି ନାହିଁ । ଗୋଟିଏ ତମ ପାଖରେ ଅଦରକାରୀ ହୋଇପାରେ, କିନ୍ତୁ ଅନ୍ୟପକ୍ଷରେ ତାହା ହୁଏତ ଦରକାରୀ ହୋଇଥିବ । ତେଣୁ ତମ ସ୍ୱାର୍ଥରେ ଯେ ସହାୟକ ହେବ ତାକୁ ଭଲ ବୋଲି କହିବ ଏବଂ ଅନ୍ୟକୁ ନିନ୍ଦା କରିବ, ଏପରି କରିବା ଅନୁଚିତ । ଏହା ସ୍ୱାର୍ଥପର ବୁଦ୍ଧି । ଏଥିପାଇଁ ଭଗବାନ ମଣିଷକୁ ବିବେକ, ବୁଦ୍ଧି ଏବଂ ଉପାୟ ଦେଇଛନ୍ତି । ତମେ ତ ଗୋରୁ-ଗାଈ, ଛେଳି, କୀଟପତଙ୍ଗ ନୁହଁ ।

 

ତେଣୁ ସବୁ ଜିନିଷକୁ ଭଗବାନଙ୍କର ମଙ୍ଗଳମୟ ସୃଷ୍ଟି ବୋଲି ଭାବି ନିଜର ମନକୁ ପ୍ରସ୍ତୁତ କର । ଦେଖିବ ତମ ମନ ଆସ୍ତେ ଆସ୍ତେ ବଦଳିଯିବ ଏବଂ ତମେ ବିଶ୍ୱର ପ୍ରକୃତ ସୌନ୍ଦର୍ଯ୍ୟ ଉପଭୋଗ କରିବ ।

Image

 

ସତ୍ୟ କଥାହିଁ ତପସ୍ୟା

 

ଶ୍ରୀରାମକୃଷ୍ଣ ଦେବ ଉପଦେଶ ଦେଇଛନ୍ତି—ସତ୍ୟ କଥାହିଁ ତପସ୍ୟା । ଯାହାର ସତ୍ୟନିଷ୍ଠା ଥାଏ, ସେ ସତ୍ୟର ଭଗବାନଙ୍କୁ ଭଲପାଏ । ସତ୍ୟକୁ ଆଣ୍ଟ କରି ଧରିଲେ ଭଗବାନ ଲାଭ ହୁଅନ୍ତି ।

 

ଏ ପ୍ରସଙ୍ଗରେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନର ଏକ ଘଟଣା ଦିଆଯାଉଛି । ମହୀଶୂର ରାଜାଙ୍କ ଘରେ ସ୍ୱାମୀଜୀ ଅତିଥି ହୋଇଥାନ୍ତି । ସ୍ୱାମୀଜୀ ସାମାନ୍ୟତମ ତ୍ରୁଟି ଦେଖିଲେ ଭୟଙ୍କର ସମାଲୋଚନା କରୁଥିଲେ । ମହୀଶୂର ମହାରାଜା ଅତି ଉଦାର ଏବଂ ସରଳ ପ୍ରକୃତିର ଲୋକ ଥିଲେ ।

 

ସେ ଛଳନାରେ ସ୍ୱାମୀଜୀଙ୍କୁ କହିଲେ—‘‘ସ୍ୱାମୀଜୀ, ଜାଣନ୍ତି ମୁଁ ଜଣେ ବଡ଼ ମହାରାଜା-? ଆପଣ ମୋତେ ଭୟ ନ କରି ତୀବ୍ର ସମାଲୋଚନା କରୁଛନ୍ତି କିପରି ? ଆପଣ ମୋତେ ଖୋସାମତ କରିବା ଉଚିତ । ଆପଣଙ୍କର ଏ କଟୁ ସମାଲୋଚନାରେ ଆମେ ବ୍ୟଥିତ-। ଭବିଷ୍ୟତରେ ସାବଧାନ ନ ହେଲେ ଆପଣଙ୍କ ଜୀବନ ସଙ୍କଟାପନ୍ନ ହେବ ।’’

 

ସ୍ୱାମୀଜୀ ମହାରାଜାଙ୍କର କଥାକୁ ସାନପିଲାଟି ପରି ବିଶ୍ୱାସ କରି କହିଲେ, ‘‘ଦେଖନ୍ତୁ ମହାରାଜ, ଆପଣଙ୍କର ଅସଙ୍ଗତ କାର୍ଯ୍ୟକୁ ସମର୍ଥନ କରିବାପାଇଁ ଅନେକ ପାରିଷଦ ଅଛନ୍ତି । ମୁଁ ଜଣେ ସନ୍ନ୍ୟାସୀ, ନିର୍ଭୟ ଆତ୍ମା । ମୋର ଭୟ ନାହିଁ । ସତ୍ୟହିଁ ମୋର ତପସ୍ୟା । ସାମାନ୍ୟ ଅନିତ୍ୟ ଜଡ଼ ଦେହରେ ଅନିଷ୍ଟ ଆଶଙ୍କା କରି କଣ ସତ୍ୟକୁ ପରିତ୍ୟାଗ କରିବି ? ଏହା ହୋଇପାରିବ ନାହିଁ, ମହାରାଜ । ଆପଣ ହିନ୍ଦୁରାଜା ହୋଇ କ’ଣ ଜଣେ ହିନ୍ଦୁ ସନ୍ନ୍ୟାସୀଠାରୁ ହୀନୋଚିତ ବ୍ୟବହାରର ପ୍ରତ୍ୟାଶା କରନ୍ତି ।’’

 

ମହାରାଜା ସନ୍ନ୍ୟାସୀଙ୍କ ପାଦତଳେ ପଡ଼ି କ୍ଷମା ମାଗିଲେ । ସ୍ୱାମୀଜୀ କହୁଥିଲେ, ‘ପୃଥିବୀରେ ଯେତେ ଧର୍ମମତ ରହିଛି, ସବୁର ଖଣି ହେଲା ହିନ୍ଦୁଶାସ୍ତ୍ର, ସନାତନ ଧର୍ମ ।’ ତେଣୁ ସବୁ ଧର୍ମମତର ଲୋକେ ସ୍ୱାମୀଜୀଙ୍କୁ ପୃଥିବୀର ସର୍ବଶ୍ରେଷ୍ଠ ଧର୍ମନେତା ବୋଲି ଚିକାଗୋ ମହାଧର୍ମସଭାରେ ସ୍ୱୀକାର କରିଥିଲେ ।

Image

 

ଧର୍ମ କଅଣ ?

 

ଥରେ ଛଅବର୍ଷର ବାଳକ ନରେନ୍ଦ୍ରନାଥ ସାଙ୍ଗସାଥି ମେଳରେ ଚଡ଼କମେଳା ଦେଖିବାକୁ ଯାଇଥିଲେ । ମେଳାରୁ କିଏ କ’ଣ କିଣିଲା ।

 

ନରେନ୍ଦ୍ର କିଣିଲେ ଗୋଟିଏ ସୁନ୍ଦର ମାଟିର ମହାଦେବମୂର୍ତ୍ତି । ଏ ମୂର୍ତ୍ତିଟିକୁ ଯତ୍ନରେ କାନ୍ଧ ଉପରେ ରଖି ସେ ଭାବବିଭୋର ମନରେ ଘରକୁ ଫେରୁଥାନ୍ତି । ନରେନ୍ଦ୍ରନାଥ ଦେଖିଲେ କ୍ଷିପ୍ର ଗତିରେ ଗୋଟିଏ ଘୋଡ଼ାଗାଡ଼ି ଆଗରୁ ଆସୁଛି । ଘୋଡ଼ାଗାଡ଼ି ଆଗରେ ଛୋଟ ଶିଶୁଟିଏ, ଏଇ ଚାପା ପଡ଼ିଯିବ ଜାଣ । ମେଳାରୁ ଫେରୁଥିବା ହଜାର ହଜାର ଲୋକ କେବଳ ଆହା ଆହା ପାଟି କରୁଥାନ୍ତି ଅଥଚ କେହି ସେ ଶିଶୁଟିକୁ ରକ୍ଷା କରିବାକୁ ଯାଉନାହିଁ । ଘୋଡ଼ାଗାଡ଼ିର ଚାବୁକ-କୋରଡ଼ା ମାଡ଼କୁ ସମସ୍ତଙ୍କର ଡର ।

 

ନରେନ୍ଦ୍ର ଛଅବର୍ଷର ପିଲା । ସେ ଯେମିତି ଏ ଦୃଶ୍ୟ ଦେଖିଛନ୍ତି, ତାଙ୍କର ମୁଣ୍ତରୁ ମହାଦେବ ମୂର୍ତ୍ତିଟିକୁ ରାସ୍ତା ଧାରକୁ ଫିଙ୍ଗିଦେଇ ପ୍ରଚଣ୍ତ ବେଗରେ ଯାଇ ଶିଶୁଟିକୁ ଘୋଡ଼ାଗାଡ଼ି ଆଗରୁ ଟାଣି ଆଣିଲେ । ଶିଶୁଟି ରକ୍ଷା ପାଇଗଲା । ଏଣେ କିନ୍ତୁ ସୁନ୍ଦର ମୂର୍ତ୍ତିଟି ଭାଙ୍ଗି ଗୁଣ୍ତ ହୋଇଗଲା ।

 

ଏଇ ନରେନ୍ଦ୍ର ପରେ ହେଲେ ସ୍ୱାମୀ ବିବେକାନନ୍ଦ । ସେ କହିଛନ୍ତି, ଯଦି ଧର୍ମର ଉପଦେଶଗୁଡ଼ିକ କାର୍ଯ୍ୟରେ ପରିଣତ କରା ନଯାଏ, ସେ ଧର୍ମ ଧର୍ମ ନୁହେଁ । ଯେଉଁ ଧର୍ମ ବା ଯେଉଁ ଈଶ୍ୱର ବିଧବାର ଅଶ୍ରୁମୋଚନ କରି ନ ପାରେ ବା ପିତୃମାତୃହୀନ ଅନାଥ ମୁଖରେ ଖଣ୍ତିଏ ରୁଟି ଦେଇ ନପାରେ, ମୁଁ ସେ ଧର୍ମ ବା ଈଶ୍ୱରରେ ବିଶ୍ୱାସ କରେ ନାହିଁ । ଯେତେ ସୁନ୍ଦର ମତବାଦ ହେଉ ପଛକେ, ଯେତେ ଗଭୀର ଦାର୍ଶନିକ ତତ୍ତ୍ୱ ସେଥିରେ ଥାଉ ପଛକେ, ମୁଁ ତାକୁ ଧର୍ମ ନାମ ଦିଏ ନାହିଁ-

Image

 

ଜୀବନରେ କେବେ ରାଗିବି ନାହିଁ

 

ଶ୍ରୀରାମକୃଷ୍ଣ ଦେବ ତୋତାପୁରୀଙ୍କ ନିକଟରୁ ସନ୍ନ୍ୟାସ ବ୍ରତରେ ଦୀକ୍ଷିଜ୍ଞ ହୋଇଥିଲେ । ଦିନେ ଦକ୍ଷିଣେଶ୍ୱର ପଞ୍ଚବଟୀ ତଳରେ ଶ୍ରୀରାମକୃଷ୍ଣ ଦେବ ଗଙ୍ଗାନଦୀ କୂଳରେ ଧୁନ ପାଖରେ ବସିଛନ୍ତି । ଧୁନିର ଆର ପାଖରେ ବସିଛନ୍ତି ତୋତାପୁରୀ । ବେଦାନ୍ତର ଆଲୋଚନା ଚାଲିଥାଏ । ଏତିକିବେଳେ ହୁକା ଟାଣିବା ପାଇଁ ଗୋଟିଏ ଲୋକ ଆସି ଧୁନିରୁ ଜଳନ୍ତା ଅଙ୍ଗାର ଖଣ୍ତେ ନେବାକୁ କାଠ ଟାଣି ନେଲା । ସନ୍ନ୍ୟାସୀମାନେ ଧୁନିର ନିଆଁକୁ ବଡ଼ ପବିତ୍ର ବୋଲି ମନେ ଭାବନ୍ତି । ଲୋକଟିକୁ ଧୁନିରୁ ଏପରି ଭାବରେ ନିଆଁ ନେବାର ଦେଖି ତୋତାପୁରୀ ଖୁବ୍‌ ରାଗି ଉଠିଲେ । ସେ ଚିମୁଟା ଉଠାଇ ତାକୁ ମାରିବାକୁ ଦଉଡ଼ିଗଲେ ।

 

ଏହା ଦେଖି ଶ୍ରୀରାମକୃଷ୍ଣ ହସି ପକାଇଲେ । ହସ ଯେପରି ଅଟକୁ ନାହିଁ । ତାହା ଦେଖି ତୋତାପୁରୀ ଶ୍ରୀରାମକୃଷ୍ଣ ଦେବଙ୍କୁ ପଚାରିଲେ—‘‘ତମେ ହସୁଛ କାହିଁକି ?’’ ଶ୍ରୀରାମକୃଷ୍ଣ ଦେବ କହିଲେ—‘‘ତମେ ପରା କହିଛ ଯେ ସବୁ ସେହି ଏକ ଆତ୍ମା—ତେବେ ସ୍ପର୍ଶ ଦୋଷର ପ୍ରଶ୍ନ ଉଠୁଛି କିପରି ? ଏଇ କ’ଣ ତମର ବ୍ରହ୍ମଜ୍ଞାନ ?’’

 

ଏହା ଶୁଣି ପୁରୀଜୀଙ୍କର ଚମକ ଭାଙ୍ଗିଲା । ସେ ଭାବିଲେ—ସତେ ତ ! ସର୍ବଭୂତରେ ସେହି ବ୍ରହ୍ମ ଛଡ଼ା ଆଉ କେହି ନାହିଁ । ରାଗରେ ଭେଦବୁଦ୍ଧି ଆସିଥିଲା । ସେ କହିଲେ—‘‘ନା, ଜୀବନରେ ଆଉ କେବେ ରାଗିବି ନାହିଁ ।’’

 

କ୍ରୋଧ ମନୁଷ୍ୟର ଶତ୍ରୁ । ତାକୁ ଯେ ଜୟ କରିଛି, ସେ ପୃଥିବୀ ଜୟ କରିଛି । ତମେ ଯେତେବେଳେ ରାଗ, ସେତେବେଳେ ଭାବିବ କାହା ଉପରେ ରାଗୁଛ ? ଦେଖିବ ରାଗିବା କୁଆଡ଼େ ମିଳାଇଯିବ ।

Image

 

ଭକ୍ତପାଇଁ ଭଗବାନ ବ୍ୟାକୁଳ

 

ସ୍ୱାମୀ ବିବେକାନନ୍ଦ ପରିବ୍ରାଜକ ଅବସ୍ଥାରେ ସାରା ଭାରତବର୍ଷ ବୁଲୁଥାନ୍ତି । ଘୋର ଗ୍ରୀଷ୍ମକାଳ, ଯେପରି ନିଆଁ ବର୍ଷୁଛି । ଗୋଟିଏ ଅନାମଧେୟ ଷ୍ଟେସନରେ ସେ ହଠାତ୍‌ ଓହ୍ଲାଇ ପଡ଼ିଲେ । ଛୋଟ ଷ୍ଟେସନ ଘରର ଛୋଟ ବିଶ୍ରାମ କକ୍ଷଟିଏ । ସେ ସେଠାରେ ବିଶ୍ରାମ କଲେ । ସେ ଘରେ ଜଣେ ଧନୀ ଲୋକ ସତରଞ୍ଜି ପକାଇ ବସିଥିଲେ । ସେ ସ୍ୱାମୀଜୀଙ୍କୁ ତାଚ୍ଛଲ୍ୟଭରା ଦୃଷ୍ଟିରେ ଚାହିଁ ତାଙ୍କୁ ଦେଖାଇ ଦେଖାଇ ସୁଖାଦ୍ୟମାନ ପେଟିରୁ ବାହାର କରି ଖାଇବାକୁ ଲାଗିଲେ । ସ୍ୱାମୀଜୀ ପାଣି ପିଇ ସେଠାରେ ଭୋକରେ ଟିକିଏ ନିଦ୍ରା ଗଲେ । ଧନୀ ଲୋକଟି କହୁଥାଏ— ‘‘ଭଗବାନ ଭଗବାନ ବୋଲି କେବଳ ବେକାର ଲୋକହିଁ ପାଟି କରନ୍ତି । ଭଗବାନତ କିଛି ଦେଉ ନାହାନ୍ତି ?’’ ସ୍ୱାମୀଜୀ ନୀରବରେ ସେ କଥାକୁ ଶୁଣି ସହ୍ୟ କରୁଥାନ୍ତି । ପ୍ରାୟ ଦୁଇଘଣ୍ଟା ପରେ ଜଣେ ଲୋକ ଥାଳି-ଭର୍ତ୍ତି ଜିନିଷ ଧରି କାହାକୁ ଯେମିତି ଖୋଜିବାକୁ ଲାଗିଲା । ତା’ ପରେ ସ୍ୱାମୀଜୀଙ୍କୁ ଦେଖି ମୁଣ୍ତିଆ ମାରି ଜିଦ୍‌ଧରି ତାଙ୍କୁ ବସିଲା ଖୁଆଇବାକୁ । ସେ ଆଣିଥିଲା ନାନା ସୁସ୍ୱାଦୁ ଖାଦ୍ୟ । ଲୋକଟି କହିଲା—

 

‘‘ମୁଁ ରାମଙ୍କ ଭକ୍ତ । ମୋର ଜଳଖିଆ ଦୋକାନ ଅଛି । ମୁଁ ଆଜି ଖାଇପିଇ ଶୋଇଥିଲି । ମୋର ଇଷ୍ଟ ଆସି ମୋତେ ଧକ୍‌କା ଦେଇ ଉଠାଇ ସ୍ୱପ୍ନରେ କହିଲେ—‘ତୁ ଶୋଇଛୁ କ’ଣ? ଷ୍ଟେସନରେ ଯେ ମୁଁ ନ ଖାଇ ଉପାସରେ ରହିଛି ।’ ସ୍ୱପ୍ନ କଥାକୁ ମିଛ ଭାବି ମୁଁ ଶୋଇପଡ଼ିଲି । ତା’ ପରେ ମୁଁ ପୁଣି ସ୍ୱପ୍ନ ଦେଖିଲି ଯେ ଇଷ୍ଟ ମୋତେ କ୍ରୋଧରେ କହୁଛନ୍ତି ‘ତୁ ଶୋଇପଡ଼ିଲୁ, ମୋ କଥା ଶୁଣିଲୁ ନାହିଁ ।’ ମୁଁ କହିଲି, ‘ମୁଁ ତ କାହାକୁ ଚିହ୍ନେ ନାହିଁ ।’ ସେ ତା’ ପରେ ଆପଣଙ୍କୁ ଦେଖାଇ ଦେଲେ । ମୁଁ ତରବରରେ ଉଠି ଗରମ ଗରମ ଯାହା ପାରିଲି, ସଙ୍ଗରେ ନେଇ ଚାଲି ଆସିଲି । ଆପଣ ତାହା ଗ୍ରହଣ କରନ୍ତୁ । ମୋତେ କ୍ଷମା କରନ୍ତୁ ।’’ ସ୍ୱାମୀଜୀ ଖାଇଲେ । ଧନୀ ଲୋକଟିର ମୁହଁରେ କଥା ନ ଥିଲା । ସେ ସ୍ୱାମୀଜୀଙ୍କ ପାଦତଳେ ଲୋଟି ପଡ଼ିଲା ।

Image

 

ଈଶ୍ୱର ହିଁ ରକ୍ଷାକର୍ତ୍ତା

 

ଜଣେ ଡାକ୍ତରଙ୍କ ଘରେ ତାଙ୍କ ପୁଅ ଅସୁସ୍ଥ ଥାଏ । ତେଣୁ ସହରଯାକର ସମସ୍ତ ଡାକ୍ତର ରୋଗୀ ପାଖରେ ରୁଣ୍ତ ହୋଇଥାନ୍ତି । ପୁଅର ଅବସ୍ଥା କ୍ରମଶଃ ଖରାପ ଆଡ଼କୁ ଯାଉଥାଏ । ସମସ୍ତେ ଉଦ୍‌ଗ୍ରୀବ ହୋଇ ପଡ଼ିଥାନ୍ତି । ରୋଗୀର ମା କିନ୍ତୁ ଖୁବ୍‌ ଈଶ୍ୱରବିଶ୍ୱାସୀ । ସେ ତାଙ୍କ ଠାକୁରଘରେ ବସି ନିବିଷ୍ଟ ମନରେ ଜପ କରୁଛନ୍ତି । ରୋଗୀର ବାପ ବଡ଼ ଡାକ୍ତର । ସେ ଈଶ୍ୱର-ବିଶ୍ୱାସୀ ନୁହନ୍ତି, ସେ ଔଷଧ-ବିଶ୍ୱାସୀ । ଶେଷରେ ଡାକ୍ତରମାନେ ନିରାଶ ହେଲେ । ଡାକ୍ତରମାନେ ମତ ଦେଲେ ଯେ ଘଣ୍ଟାଏ ଭିତରେ ରୋଗୀର ମୃତ୍ୟୁ ହେବ । ଏତିକିବେଳେ ଠାକୁରଘରର କବାଟଟି ଧଡ଼ାସ୍‌ କରି ଫିଟିଗଲା । ଜଣେ ସନ୍ନ୍ୟାସୀ ଦାଣ୍ତରୁ ପଶି ଆସି ରୋଗୀର ବାପ ଡାକ୍ତରବାବୁଙ୍କୁ କହିଲେ—‘‘ତମେ ସବୁ ଔଷଧ ଦେଲ, ମୁଁ କମଣ୍ତଳୁ ପାଣି ଟିକିଏ ରୋଗୀକୁ ଦେବିକି ?’’ ଡାକ୍ତର ତ ସବୁ ଆଶା ଛାଡ଼ିଥିଲେ; କହିଲେ—‘‘ରୋଗୀ ମରିଯିବ ମୁଁ ନିଶ୍ଚିତ, ଆପଣ ଯାହା କରିବେ କରନ୍ତୁ ।’’ ସାଧୁ କମଣ୍ତଳୁରୁ ଚଳାଏ ପାଣି ରୋଗୀର ମୁହଁରେ ଦେଇ କ’ଣ ମନ୍ତ୍ର ଆଉଡ଼ାଇ ଚାଲିଗଲେ । ଆଶ୍ଚର୍ଯ୍ୟ ବ୍ୟାପାର, ରୋଗୀର ଅବସ୍ଥା ଭଲ ଆଡ଼କୁ ଫେରି ଆସିଲା, ସେ ଭଲ ହୋଇଗଲା । ରୋଗୀର ମା’ କହିଲେ, ‘‘ମୋ ଠାକୁର ମୋର ନିବେଦନ ଶୁଣିଲେ ।’’ ଡାକ୍ତର କହିଲେ, ‘‘ମୁଁ ଯେଉଁ ଔଷଧ ଦେଇଥିଲି ତାହାହିଁ ପରେ କାମ ଦେଲା ।’’

 

ତେବେ ଠିକ୍‌ କେଉଁଟି, ଏ ପ୍ରଶ୍ନ ଆଜି ସମସ୍ତଙ୍କ ମନରେ । ଏଠାରେ ଗୋଟିଏ କଥା ରହିଛି । ତା’ ହେଉଛି, ଆମେ ଯାହା ଯେଉଁଠି ଜଡ଼ ବସ୍ତୁ ଦେଖୁଚୁ, ସେଗୁଡ଼ିକ ସତ୍ୟ ବୋଲି ଭାବୁଛୁ; କିନ୍ତୁ ସମସ୍ତର ଅଗୋଚରରେ ଆଉ ଏକ ବିରାଟ ଶକ୍ତି ରହିଛି । ସେହି ଶକ୍ତି ଦ୍ୱାରାହିଁ ପୃଥିବୀର ସବୁକିଛି ନିୟନ୍ତ୍ରିତ ଓ ସୁପରିଚାଳିତ । ସେହି ଶକ୍ତିର ଅଧିକାରୀ ହେଲେ ଈଶ୍ୱର । ସେ ରକ୍ଷାକର୍ତ୍ତା; ତାଙ୍କ ନିକଟରେ ଆତ୍ମନିବେଦନ କଲେ ମନ ପ୍ରସନ୍ନତାରେ ପୂରିଯାଏ ।

Image

 

ଜନକ ଓ ଶୁକଦେବ

 

ବ୍ୟାସଦେବ ମହାଜ୍ଞାନୀ ଥିଲେ । ସେ ବ୍ରହ୍ମସୂତ୍ର ଗ୍ରନ୍ଥର ରଚୟିତା । ତାଙ୍କର ପୁତ୍ର ଶୁକଦେବ । ବ୍ୟାସଦେବ ପୁଅକୁ ବ୍ରହ୍ମ ସମ୍ପର୍କରେ ସବୁ ଉପଦେଶ ଦେଇ ମିଥିଳା ନରପତି ଜନକଙ୍କ ପାଖକୁ ପଠାଇ ଦେଲେ । ଜନକ ରାଜା ଗୁଣୀ ଥିଲେ । ଆମେ ସାଧାରଣ ଅବସ୍ଥାରେ ଦେହ ଛଡ଼ା ଆମର ଅସ୍ତିତ୍ୱର କଥା ଭାବି ପାରୁନା । କିନ୍ତୁ ଜନକ ସର୍ବଦା ନିଜକୁ ଦେହଠାରୁ ଅଲଗା ଆନନ୍ଦମୟ ସତ୍ତା ବୋଲି ଭାବୁଥିଲେ । ସେ ରାଜକାର୍ଯ୍ୟ କରି ମଧ୍ୟ ଅନାସକ୍ତ ହୋଇ ରହୁଥିଲେ ।

 

ଶୁକଦେବ ମିଥିଳାକୁ ଯାଇ ରାଜା ଜନକଙ୍କ ପ୍ରାସାଦଦ୍ୱାରରେ ପହୁଞ୍ଚିଲେ । ଦ୍ୱାରପାଳ ତାଙ୍କ ଆଡ଼କୁ ଅନାଇଲା ନାହିଁ, କେବଳ ବସିବା ପାଇଁ ଆସନଟିଏ ଦେଲା । ତିନିଦିନ ଧରି ଶୁକଦେବ ସେଠାରେ ବସି ରହିଲେ । ତାଙ୍କୁ କେହି ତାଙ୍କର ପରିଚୟ ସୁଦ୍ଧା ମାଗିଲା ନାହିଁ । ତା’ ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ବରଣ କରି ନେଇ ଏକ ମନୋରମ ସ୍ଥାନରେ ବସାଇଲେ ଏବଂ ସେଠାରେ ତାଙ୍କୁ ଆଠଦିନ ରଖିଲେ । ଆଠଦିନ ରାଜକୀୟ ମର୍ଯ୍ୟାଦାରେ ରଖି ଜନକଙ୍କ ପାଖକୁ ଶୁକଦେବଙ୍କୁ ନେଇଗଲେ । ତାଙ୍କ ମନରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଗଲା ନାହିଁ । ଶୁକଦେବ ପଶିଯାଇ ଦେଖିଲେ ଯେ ଜନକ ବସିଛନ୍ତି, ନାଚ-ଗୀତ ଚାଲିଛି । ଜନକ ଶୁକଦେବଙ୍କୁ ଉଛୁଳା ଦୁଧପାତ୍ରଟିଏ ଦେଇ କହିଲେ, ‘‘ତମେ ଏ ଘର ଚତୁର୍ଦ୍ଦିଗରେ ବୁଲି ଆସ, କିନ୍ତୁ ଦେଖ ବିନ୍ଦୁଏ ଦୁଧ ଯେପରି ତଳେ ନ ପଡ଼େ ।’’ ଘର ଭିତରେ ଚିତ୍ତ-ଚଞ୍ଚଳ ପଦାର୍ଥ ଅନେକ, କିନ୍ତୁ ଶୁକଦେବ ଅନ୍ୟ ଆଡ଼କୁ ନଜର ନ ଦେଇ ପାତ୍ରଟିକୁ କେବଳ ଲକ୍ଷ୍ୟ କରିଥିଲେ । ସେ ସାତଥର ବୁଲିଲେ କିନ୍ତୁ ଦୁଧ ଟୋପିଏ ପଡ଼ିଲା ନାହିଁ । ଜନକ ଖୁସି ହୋଇ କହିଲେ—‘‘ତମ ବାପା ବ୍ୟାସଦେବ ତମକୁ ଯାହା ଶିଖାଇଛନ୍ତି, ତମେ ସେସବୁ ବୁଝିଛ । ତମର ବ୍ରହ୍ମଜ୍ଞାନ ହୋଇଛି । ଏଥର ଘରକୁ ଫେରିଯାଅ-।’’

 

ଯେଉଁମାନେ ଆତ୍ମଜ୍ଞାନ ଲାଭ କରିଥାନ୍ତି, ସେମାନଙ୍କ ଭିତରେ ନିର୍ଲିପ୍ତତା ବିରାଜମାନ । ଯେଉଁମାନ ଆତ୍ମଜ୍ଞାନରେ ପ୍ରୟାସୀ ସେମାନେ ଏହି ନିର୍ଲିପ୍ତତାର ସାଧନା କରନ୍ତି ।

Image

 

ଧର୍ମ ମଧ୍ୟ ଏକ ବିଜ୍ଞାନ

 

ଥରେ ଜଣେ ରସାୟନ-ଅଧ୍ୟାପକ ସ୍ୱାମୀ ବିବେକାନନ୍ଦଙ୍କୁ କହିଲେ—‘‘ଦେଖନ୍ତୁ ମହାଶୟ, ଆପଣଙ୍କର ଧର୍ମ ଓ ଈଶ୍ୱର କଥାଗୁଡ଼ାକ କେବଳ ଭାବନାବିଳାସ ଛଡ଼ା କିଛି ନୁହେଁ । କେତେଗୁଡ଼ାଏ ଲୋକ ଧର୍ମ ଧର୍ମ କହି ମସ୍ତକ ମୁଣ୍ଡିତ କରି ଜପମାଳା ଧରି, ନଚେତ୍‌ ଗିର୍ଜା ବା ମସଜିଦରେ ବସି ପ୍ରହସନ କରନ୍ତି । ଏଗୁଡ଼ାକ ଲୋକଙ୍କର ଆଳସ୍ୟ ଛଡ଼ା କ’ଣ ହୋଇପାରେ ?’’

 

ସ୍ୱାମୀଜୀ କିଛି ନ କହି ନୀରବ ରହିଲେ । ତା’ ପରେ ଦିନେ ସେ ରସାୟନ ଅଧ୍ୟାପକଙ୍କୁ କହିଲେ—‘‘ବୁଝିଲେ ମହାଶୟ, ଆପଣଙ୍କର ରସାୟନ ଶାସ୍ତ୍ର ମଧ୍ୟ ନିର୍ବୋଧ, ନିଚ୍ଛକ ଭାବନାବିଳାସ-।’’ ଅଧ୍ୟାପକ ଭ୍ରୂକୁଞ୍ଚିତ କରି କହିଲେ—‘‘କିପରି ?’’ ସ୍ୱାମୀଜୀ କହିଲେ, ‘‘ମୁଁ ଶୋଇଲାବେଳେ ଡାକେ—ହେ ରସାୟନ ଶାସ୍ତ୍ର, ଆସ ଆସ । କାହିଁ ସେ ତ ଆସେ ନାହିଁ ।’’ ଅଧ୍ୟାପକ କହିଲେ—‘‘ରସାୟନ ଶାସ୍ତ୍ର ବୁଝିବାକୁ ହେଲେ ଲେବରେଟରୀକୁ ଯିବାକୁ ପଡ଼ିବ । ଏସିଡରେ ହାତ ପୋଡ଼ି ପରୀକ୍ଷା କରି ବୁଝିବାକୁ ହୁଏ ।’’ ସ୍ୱାମୀଜୀ ହସି କହିଲେ—‘‘ମହାଶୟ, ଧର୍ମ ମଧ୍ୟ ବିଜ୍ଞାନ । ତାକୁ ବୁଝିବାକୁ ହେଲେ ବହୁ ପରୀକ୍ଷା-ନିରୀକ୍ଷା କରି ଜାଣିବାକୁ ପଡ଼େ । ଏହା ପ୍ରହସନ ବା ଭାବନା-ବିଳାସ ନୁହେଁ । ଏଥିପାଇଁ ସତ୍‌ଉପାୟରେ ଅବିଚ୍ଛିନ୍ନ ସାଧନା କରିବାକୁ ପଡ଼େ-। ରସାୟନ ଶାସ୍ତ୍ର ଅପେକ୍ଷା ଏହା ମଣିଷର ଅଧିକ ପ୍ରୟୋଜନୀୟ ।’’

 

ଏ ଜଗତରେ ଦିଓଟି ବସ୍ତୁ—ଜଡ଼ ଓ ଚେତନ । ଯେ ଜାଣେ ସେ ଚେତନ, ଯାହାକୁ ଜାଣେ ସେ ଜଡ଼ । ଆମେ ଜଡ଼କୁ ଦେଖୁ ଏବଂ ଜାଣିବାକୁ ପ୍ରଭୂତ ଉଦ୍ୟମ କରୁ, କିନ୍ତୁ ଆମର ଅନ୍ତର ହୋଇପଡ଼ିଛି ଦୁର୍ବଳ । ଜଡ଼ ବିଜ୍ଞାନର ନିତ୍ୟ ନୂତନ ମନୋହର ଆବିଷ୍କାରରେ ଆମେ ପାଗଳ; ଆମେ ଅଧିକ ଜଡ଼ ପାଲଟୁଛୁ । ଭାରତୀୟ ମୁନିଗଣ ଆଧୁନିକ ବୈଜ୍ଞାନିକଙ୍କ ପରି ସତ୍ୟାନୁସନ୍ଧିତ୍ସା ନେଇ ଚେତନତତ୍ତ୍ୱ ବା ଆତ୍ମତତ୍ତ୍ୱର ଗବେଷଣା କରିଛନ୍ତି । ଦୀର୍ଘକାଳ ସାଧନା କରି ଜଗତ୍‌କାରଣ ଚୈତନ୍ୟକୁ ଉପଲବ୍‌ଧି କରିଛନ୍ତି । ଏହାର ଉପାୟସକଳ ଉପନିଷଦରେ ବର୍ଣ୍ଣିତ ହୋଇଛି ।

Image

 

ପରପାଇଁ ଏ ଜୀବନ

 

ସମସ୍ତେ ସ୍ୱାର୍ଥପର ଏ ଦୁନିଆରେ । ଯେ ଯାହାପାଇଁ ବ୍ୟସ୍ତ । ପରପାଇଁ କିଏ କାନ୍ଦୁଛି ? ଠିକ୍‌ କଥା । ସମସ୍ତେ ସମସ୍ତଙ୍କପାଇଁ ବ୍ୟସ୍ତ । ନିଜେ ଖାଇଲେ ନିଜ ପେଟ ପୂରିବ । ଗୋଟିଏ କଥା ତା’ ସାଙ୍ଗରେ ଯୋଡ଼ିଦିଅ—ତୁମର ପେଟ ପୂରୁ, ଆଉ ଯେଉଁମାନେ ବୃଦ୍ଧ, ରୋଗୀ, ଦୁଃଖୀ ଅଛନ୍ତି, ସେମାନଙ୍କ ପେଟ ମଧ୍ୟ ପୂରୁ । ଥରେ ପରୀକ୍ଷା କରି ଦେଖ ଯେ ତୁମେ ଯାହା ଖାଉଚ, ସେଇଥିରୁ କିଛି ଦୀନ-ଦୁଃଖୀଙ୍କୁ ଦେଲେ ତୁମ ମନରେ ଆନନ୍ଦ ଆସିବ ନିଶ୍ଚୟ । ସେଇଠି ଭାବ, ତୁମେ ଏକା ପେଟ ପୂରାଇ ଖାଇଲେ ଭଲ ହୁଅନ୍ତା ନା ସେଇଥିରୁ କିଛି ଦୁଃଖୀ ଭିକାରୀଙ୍କୁ ଦେଲେ ଭଲ ? ମନ ଭିତରେ କିଛି ଦ୍ୱନ୍ଦ୍ୱ ଆସିଲେ ତୁମେ ତାକୁ ତିନିପ୍ରକାର ପରୀକ୍ଷା କରିବ । ପ୍ରଥମେ ମହାପୁରୁଷଙ୍କ ବାଣୀ, ତା’ପରେ ଶାସ୍ତ୍ର-ବାଣୀ, ତା’ପରେ ତମର ଅନୁଭୂତି । ଏଇ ତିନୋଟି ଭିତରେ ଯଦି ପରୀକ୍ଷା କରିବ ତେବେ ଜଗତ ଜିଣିଯିବ ।

 

ଭାରତର ଜଣେ ବିଶିଷ୍ଟ ସାଧୁଙ୍କ କଥା କୁହାଯାଉଛି । ସେ ପବନ ଆହାର କରି ବର୍ଷ ବର୍ଷ ଧ୍ୟାନ କରୁଥିଲେ ବୋଲି ତାଙ୍କୁ ପଓହାରୀବାବା ଡାକନ୍ତି । ସେ ଜଣେ ସିଦ୍ଧପୁରୁଷ ଥିଲେ । ଦିନେ ତାଙ୍କ ଆଶ୍ରମରେ ଗୋଟିଏ ଚୋର ଚୋରି କରିବାକୁ ପଶିଲା । ପଓହାରୀବାବାଙ୍କୁ ଦେଖି ପଳାଇବାର ଚେଷ୍ଟା କରିବାରୁ ସେ ଚୋରକୁ ଡାକି ଜିନିଷପତ୍ର ନେବାକୁ ଅନୁରୋଧ କଲେ ଏବଂ କହିଲେ, ‘‘ଜିନିଷଗୁଡ଼ିକ ନିଅ । ଏ ସବୁ ତମର । ନ ନେଲେ ମୋ ପ୍ରତି ଅବିଚାର ହେବ ।’’ ଏହା ଶୁଣି ଚୋର ସାଧୁ ପାଲଟିଗଲା । ବିବେକାନନ୍ଦ ଏହି (ଚୋର) ସାଧୁଙ୍କୁ ହରଦ୍ୱାରରେ ଭେଟିଥିଲେ ।

 

ଦିନେ ପଓହାରୀବାବା ଧ୍ୟାନରେ ବସିଛନ୍ତି, ଗୋଟିଏ ବିଷଧର ସର୍ପ ଗୋଟିଏ ମୂଷାକୁ ଗୋଡ଼େଇ ଆସିଲା ଖାଇବାକୁ । ପଓହାରୀବାବା ମୂଷାଟିକୁ ଲୁଗାଭିତରେ ଆଶ୍ରୟ ଦେଲେ । ସାପଟି ଏହା ଦେଖି ତାଙ୍କୁ ଦଂଶନ କଲା । ଶିଷ୍ୟମାନେ ସାପକୁ ମାରିବାକୁ ଆସିଲେ । ପଓହାରୀବାବା ମନା କଲେ । ସାପର ବିଷରେ ସାଧୁ ଅଜ୍ଞାନ ହେଲେ । ପୁଣି କିଛିକ୍ଷଣ ପରେ ଜ୍ଞାନ ଫେରିପାଇ କହିଲେ—‘‘ଯାହାଦ୍ୱାରା ପ୍ରାଣୀ ଜୀବନ ଧାରଣ କରେ, ସେଥିରୁ ତାହାକୁ ବଞ୍ଚିତ କଲେ, ଯେ ରକ୍ଷାକର୍ତ୍ତା ତାକୁ ସେ ଫଳଭୋଗ କରିବାକୁ ପଡ଼େ ।’’

 

ଥରେ ଜଣେ ଅଭିଯୋଗ କଲା, ‘ମନ୍ଦିରରୁ ଚୋରି ଯାଉଛି କିପରି ? ସେଠାରେ ତ ଠାକୁର ଅଛନ୍ତି । ଠାକୁର କ’ଣ ତାଙ୍କର ଗହଣା, ଜିନିଷପତ୍ର ନିଜେ ରକ୍ଷା କରିବେ ନାହିଁ ? ସେ ତ ସର୍ବନିୟନ୍ତା’ ।

 

ସାଧୁ କହିଲା—‘‘ଆରେ ପାଗଳା, ତୁ ସିନା ‘ମୋର’ ‘ମୋର’ ବୋଲି ପାଗଳା ହେଉଛୁ । ମଲାବେଳକୁ କିଛି ନେଉଚୁ କି ? ମନ୍ଦିରରେ ଯେଉଁ ଠାକୁର, ସର୍ବଜୀବରେ ସେହି ଠାକୁର ଜୀବର ଈର୍ଷା, ଦ୍ୱେଷ, ହିଂସାଠାରୁ ସେ ବହୁ ଉପରେ । ସୁନା, ମାଣିକ୍ୟକୁ ସିନା ତୁ ମୂଲ୍ୟ ଦେଉଛୁ, ତାଙ୍କ ପାଖରେ ମଣିଷର ହୃଦୟର ଭକ୍ତି କେବଳ ମୂଲ୍ୟବାନ । ସେଇଠି ସେ ଭକ୍ତର ଭଗବାନ ।

 

ଶ୍ରୀରାମକୃଷ୍ଣ ଦେବ କହିଛନ୍ତି—‘ଭକ୍ତର ହୃଦୟ ଭଗବାନଙ୍କର ବୈଠକଖାନା ।

Image

 

ଡକାଏତରୁ ସାଧକ ମହାପୁରୁଷ–ନାମଦେବ

 

ଆମେ ଜାଣୁ, ଦସ୍ୟୁ ରତ୍ନାକର କିପରି ବାଲ୍ମୀକି ପାଲଟି ରାମାୟଣ ରଚନା କରିଥିଲେ । ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ହୁଏ ଯେ ଯେଉଁମାନେ ମଣିଷ ମାରି ସମ୍ପତ୍ତି ଲୁଟ କରିବାକୁ ଟିକିଏ ପଛାନ୍ତି ନାହିଁ ସେମାନେ କିପରି ମହାପୁରୁଷ ଓ ବିରାଟ ସାଧକ ପାଲଟନ୍ତି ଏବଂ ଜଗତର ଅଶେଷ କଲ୍ୟାଣ କରନ୍ତି । ଏଇଥିରୁ ବୁଝାଯାଏ ଯେ ସମସ୍ତଙ୍କ ଭିତରେ ଦିବ୍ୟଭାବ, ଉଚ୍ଚଭାବ ରହିଛି ତାହାର ଉନ୍ମୀଳନ କେବଳ ଦରକାର ।

 

ଏଠାରେ ଯେଉଁ ମହାପୁରୁଷ ନାମଦେବଙ୍କ କଥା କୁହାଯାଉଛି, ସେ ଜଣେ ନରହତ୍ୟାକାରୀ ଦସ୍ୟୁ ଥିଲେ । ସେ ନୀଚ ବଂଶରେ ଦେଓଗିରି ନିକଟସ୍ଥ ନରସିଂହପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦାମାସେଟ୍‌ ସାମାନ୍ୟ ଦରଜି ଥିଲେ ମଧ୍ୟ ପରିଶ୍ରମୀ ଓ ସତ୍ୟବାଦୀ ଥିଲେ । ଯୌବନରେ ନାମଦେବ ବହୁ ନରହତ୍ୟା ଓ ଲୁଟତରାଜ କରିଥିଲେ । କିପରି ତାଙ୍କର ମନ ପରିବର୍ତ୍ତିତ ହେଲା, ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଦିନେ ଗଭୀର ରାତିରେ ଦସ୍ୟୁ ନାମଦେବ ଘୋଡ଼ାରେ ଚଢ଼ି ଅମ୍ବୋଧିଆର ଦେବୀମନ୍ଦିର ଦର୍ଶନ କରିବାକୁ ଆସିଲେ । ବହୁ ଭିକାରୀ ଆସିଥାନ୍ତି । ସେ ଭିତରେ ଜଣେ ସ୍ତ୍ରୀ ତାର ଛୋଟ ପିଲାକୁ ନେଇ ପ୍ରସାଦ ପାଇବାକୁ ଆସିଥାଏ । ପୂଜା ସମୟରେ ଭୋକରେ ପିଲାଟି କାନ୍ଦିବାରୁ ଦସ୍ୟୁ ଭିକାରୁଣୀଟିକୁ କଠିନ ତିରସ୍କାର କଲା । ଏଥିରେ ମହିଳାଟି, ଯେ କି ସଦ୍‌ବଂଶଜାତ ଏବଂ ଭାଗ୍ୟର ବିପର୍ଯ୍ୟୟରେ ଭିକାରୁଣୀ, କହିଲେ, ‘‘ମୁଁ ମଧ୍ୟ ଏକଦା ଧନୀର ଗୃହିଣୀ ଥିଲି କିନ୍ତୁ ଆଜି ପଥର ଭିକାରୀ ।’’ ତା’ପରେ ସେ ତାଙ୍କ ସ୍ୱାମିହନ୍ତାଙ୍କୁ ଅଭିଶାପ ଦେବାକୁ ଲାଗିଲେ ଏବଂ ଅଶ୍ରୁରେ ଗଣ୍ଡଦେଶ ତିନ୍ତାଇ ଶୋକାକୁଳ ହେଲେ । ଡକାଏତ ସର୍ଦ୍ଦାର ନାମଦେବ ହିଁ ତାଙ୍କର ସ୍ୱାମିହନ୍ତା ଥିଲେ । ନାମଦେବଙ୍କ ମନରେ ଘୋର ପରିବର୍ତ୍ତନ ଘଟିଲା । ତାଙ୍କ ଆଖି ଆଗରେ ଭାସିଉଠିଲା ଅତୀତର ଏକ କରୁଣ ଚିତ୍ର । ତାଙ୍କ ଯୋଗୁ କେତେ ଲୋକ ସ୍ୱାମିହୀନ, ପିତୃହୀନ, ଗୃହହୀନ ଓ ଆଶ୍ରୟହୀନ ! ଶିଶୁର କ୍ରନ୍ଦନ, ବିଧବା ଭିକାରୁଣୀର ଅଶ୍ରୁବର୍ଷଣ ଓ ଅଭିଶାପ ତାଙ୍କ ଜୀବନକୁ ଅସହ୍ୟ କରିଦେଲା । ଘୋର ମନସ୍ତାପରେ ସେ ମନ୍ଦିରକୁ ଯାଇ ଦେବୀଙ୍କର ଖଡ୍‌ଗ ନିଜ ବେକରେ ବସାଇଦେଲେ । ରକ୍ତ ଛୁଟିଲା ଅବିରାମ ଗତିରେ । ଦେବୀଙ୍କ କୃପାରେ ତାଙ୍କର ମୃତ୍ୟୁ ହେଲା ନାହିଁ । ଅନୁଶୋଚନାରେ ଦଗ୍‌ଧ ହୋଇ ଦିନରାତି ସେ ଦିଓଟି ଆଖିରୁ ଲୁହ ଗଡ଼ାଇବାକୁ ଲାଗିଲେ । ପଣ୍ଢରପୁରକୁ ଯାଇ ବିଷ୍ଣୁଙ୍କ ପାଦପଦ୍ମରେ ଶରଣ ନେଲେ । ଜ୍ଞାନେଶ୍ୱରୀ-ପ୍ରଣେତା ଜ୍ଞାନଦେବ ତାଙ୍କୁ ଉଦବୋଧନ ଦେଲେ । ବିଶୋୟା ଖେଚରାଙ୍କ ନିକଟରୁ ଦୀକ୍ଷା ଗ୍ରହଣ କରି ସେ ନୂତନ ବୈଷ୍ଣବ ନାମ ନେଲେ ନାମଦେବ । ନାମଦେବ ବହୁ ଅଭଙ୍ଗ ରଚନା କରିଛନ୍ତି । ତାଙ୍କର ଅଲୌକିକ ସାଧନା ମହାରାଷ୍ଟ୍ରରେ ସୁବିଦିତ ।

Image

 

ଏଇ ମଣିଷ ଭିତରେ ଅମୃତ ଅଛି

 

ତମରି ଭିତରେ ଅମୃତ ଅଛି, ଶାନ୍ତି ଅଛି । ମନୋନିବେଶ ଦରକାର । ଗୋଟିଏ ସତ ଘଟଣା କଥା କହୁଛି ଗୁରୁ ନାନକଙ୍କ କଥା । ଗୁରୁ ନାନକଙ୍କର ଏକ ଅଦ୍ଭୁତ ଶକ୍ତି ଥିଲା । ସେ ମନସ୍ତତ୍ତ୍ୱବିଦ୍‌ ଏବଂ ଭୂତ-ଭବିଷ୍ୟତ ସମ୍ପର୍କରେ ଜାଣି ପାରୁଥିଲେ ।

 

ନାନକ ଜଗନ୍ନାଥ ଧାମକୁ ତାଙ୍କ ଶିଷ୍ୟ ବାଲାଭାଇ ଏବଂ ପ୍ରସିଦ୍ଧ ଗାୟକ ଓ ଯନ୍ତ୍ରବାଦକ ମର୍ଦ୍ଦାନାଙ୍କ ସହିତ ଥରେ ଆସିଥିଲେ । ମହାନଦୀ ନିକଟରେ ଗୋଟିଏ ବଗିଚାରେ ସେ ଶିଷ୍ୟମାନଙ୍କ ସହ ଆଶ୍ରୟ ନେଲେ । ମର୍ଦ୍ଦାନା ନାନକଙ୍କ ରଚିତ ଗୀତ ଗାଇଲାବେଳେ ସେଠାରେ ବହୁଲୋକ ଜମା ହେଉଥିଲେ । ନାନକଙ୍କୁ ଦେଖିବାକୁ ଦୂରଦୂରାନ୍ତରୁ ଲୋକ ଧାଇଁଲେ । ନାନକଙ୍କ ସୁଖ୍ୟାତି ବଢ଼ିବାର ଦେଖି ପାଖରେ ଥିବା ବୈଷ୍ଣବମଠର ଅଧ୍ୟକ୍ଷ ଚୈତନ୍ୟଭାରତୀଙ୍କ ମନରେ ଈର୍ଷା-ଉଦ୍ରେକ ହେଲା । ସେତେବେଳେ ବୈଷ୍ଣବ ଧର୍ମର ପ୍ରଭାବ ସେ ଅଞ୍ଚଳରେ ବ୍ୟାପି ରହିଥିଲା-। ଅଭିଚାର ପ୍ରୟୋଗ କରି ଶତ୍ରୁକୁ ଧ୍ୱଂସ କରିବାପାଇଁ ସେ ଜଣେ ଭୈରବକୁ ନିଯୁକ୍ତ କଲେ । ଭୈରବ ସାଧାରଣ ଲୋକର କ୍ଷତି ଘଟାଇପାରେ କିନ୍ତୁ ମହାପୁରୁଷଙ୍କର କ୍ଷତି ଘଟାଇବା ତା’ ଶକ୍ତିର ବାହାରେ । ମନ୍ଦ ଅଭିପ୍ରାୟରେ ଭୈରବ ନାନକଙ୍କ ପାଖକୁ ଗଲାବେଳେ ତା’ ଶରୀରରେ ଭୀଷଣ ଗାତ୍ରଦାହ ହେଲା ଏବଂ ଥରକୁ ଥର ସେ ନାନକଙ୍କୁ ହତ୍ୟା କରି ନପାରି ଫେରି ଆସିଲା । ନାନକ ବୁଝିପାରି ମର୍ଦ୍ଦାନାଙ୍କୁ ଭୈରବଙ୍କ ପାଖକୁ ପଠାଇ ପାଖକୁ ଡକାଇ ଆଣି ତାଙ୍କୁ ପବିତ୍ର ଜୀବନ ଯାପନ କରିବାକୁ ଉପଦେଶ ଦେଲେ । ଭୈରବଙ୍କ ମନରେ ଘୋର ପରିବର୍ତ୍ତନ ଆସିଲା । ନାନକଙ୍କୁ ମାରିବା ପାଇଁ ଭୈରବ ଯେଉଁ ଠେଙ୍ଗାଟି ଆଣିଥିଲା, ତାହା ଗଲାବେଳେ ପକାଇ ଦେଇଗଲା । ନାନକ ସେଇଟି ମାଟିରେ ପୋତି ଦେଲେ ଏବଂ ସେଥିରେ ପାଣି ଦେଲେ । ଏଇ ଠେଙ୍ଗାରୁ ଚେର, ଡାଳପତ୍ର ବାହାରି ଗୋଟିଏ ଗଛ ହୋଇଗଲା । ଭୈରବ ସାଧୁ ପାଲଟିଗଲା ।

 

ନାନକ କହୁଥିଲେ, ଈଶ୍ୱର ଏକ । ସବୁ ମଣିଷ ଭାଇ ଭାଇ । ହିନ୍ଦୁର ଈଶ୍ୱର, ମୁସଲମାନର ଆଲ୍ଲା ପୃଥକ୍‌ ନୁହନ୍ତି । ସେ ଏକ, ଅଖଣ୍ଡ, ଅଚିନ୍ତନୀୟ, ଅସୀମ, ଅନନ୍ତ, ସର୍ବବ୍ୟାପୀ-। ଭଗବାନଙ୍କ ନିକଟରେ ସମସ୍ତେ ସମାନ । ବଡ଼-ଛୋଟ, ଉଚ୍ଚ-ନୀଚ, ଆଲୋକ-ଅନ୍ଧକାର ଭେଦ ସେଠାରେ ନାହିଁ । ଜାତିଧର୍ମ ନାହିଁ; ସମାଜରେ, ଧର୍ମରେ ସମସ୍ତେ ସମାନ ଅଧିକାରୀ । ତାଙ୍କ ପ୍ରଚାରିତ ପନ୍ଥାରେ ହିନ୍ଦୁ, ବୌଦ୍ଧ ଏବଂ ମୁସଲମାନର ସମ୍ମିଶ୍ରଣ ଦେଖାଯାଏ । ତାଙ୍କର ଉପଦେଶସବୁ ପବିତ୍ର ଗ୍ରନ୍ଥସାହେବରେ ରହିଛି ।

 

ସେ ଆଶ୍ୱାସନା ଦେଇ ଗାଇଛନ୍ତି, ‘ସମସ୍ତ ମଣିଷଙ୍କ ଭିତରେ ଅମୃତ ଅଛି । ତା’ର ସନ୍ଧାନ କର ।’

Image

 

ସାଧୁପୁରୁଷ ଆଗରେ ସମସ୍ତେ ସମାନ

 

ସାଧୁପୁରୁଷ ଯୋଗୀ ଆଗରେ ରାଜା ଯେପରି, ସାମାନ୍ୟ ବ୍ୟକ୍ତିଟି ମଧ୍ୟ ସେହିପରି । ସାଧୁପୁରୁଷ ଆଧ୍ୟାତ୍ମିକ ଉନ୍ନତିର ସ୍ତରରୁ ଜଗତକୁ ଦେଖନ୍ତି । ସେ ମନେ କରନ୍ତି ସବୁହିଁ ତାଙ୍କର ଲୀଳା । ଭଲ-ମନ୍ଦ ତାଙ୍କ ଆଖିରେ ସମସ୍ତେ ସମାନ । ଯେଉଁମାନେ ମଣିଷ ତିଆରି ନିୟମର ବେଷ୍ଟନୀ ଅତିକ୍ରମ କରି, ନିଜକୁ ଭଗବାନଙ୍କର ପାଦପଦ୍ମରେ ସଂପୂର୍ଣ୍ଣରୂପେ ସମର୍ପଣ କରି ଭଗବତ୍‌ ନିୟମର ଅନ୍ତର୍ଭୁକ୍ତ, ସେମାନେ ଜୀବନର ମୂଳସୂତ୍ର ଜାଣନ୍ତି । ସେମାନେ ମହାପୁରୁଷ । ସମଦର୍ଶିତା ତାଙ୍କର ବୈଶିଷ୍ଟ୍ୟ । ଦୃଷ୍ଟିଭଙ୍ଗୀ ପୃଥକ୍‌—କିନ୍ତୁ ତାଙ୍କ ନିକଟରେ ଭେଦାଭେଦ ନାହିଁ ।

 

ଏଠାରେ ମହାଯୋଗୀ, ମହାସାଧକ, ମହାପୁରୁଷ ରାମଦାସ-କାଟିଆବାବାଙ୍କ କଥା କୁହାଯାଉଛି । ତାଙ୍କ ସମୟରେ ମୁସଲମାନ ରାଜାମାନଙ୍କର ପ୍ରବଳ ପ୍ରତାପ ଥିଲା ଏବଂ ଦେଶରେ ସିପାହୀ ବିଦ୍ରୋହ ମୁଣ୍ଡ ଟେକିଥିଲା ।

 

ସିପାହୀ-ବିଦ୍ରୋହ ବେଳେ ସମଗ୍ର ଦେଶରେ ବିଦ୍ରୋହର ନିଆଁ ଜଳି ଉଠୁଥିଲା । ଚତୁର୍ଦ୍ଦିଗରେ ବିଶୃଙ୍ଖଳା ଏବଂ ଅଶାନ୍ତି ଘୋଟି ରହିଥିଲା । ଏହି ସମୟରେ ଥରେ କାଟିଆବାବା ଯମୁନାତୀରବର୍ତ୍ତୀ କୌଣସି ସ୍ଥାନକୁ ଯାଉଥିଲେ । ଜଣେ ସିପାହୀ ଗୁପ୍ତଚର ବୋଲି ସନ୍ଦେହ କରି ତାଙ୍କୁ ଚାରିଥର ଗୁଳି ମାରିଲା । ପ୍ରତ୍ୟେକ ଥର ଗୁଳି ଲକ୍ଷ୍ୟଭ୍ରଷ୍ଟ ହେବାର ଦେଖି ସିପାହୀର ଚେତନା-ଉଦୟ ହେଲା । ସେ କାଟିଆବାବାଙ୍କର ଅଲୌକିକ ଯୋଗଶକ୍ତିର ପରିଚୟ ପାଇ ମୁଣ୍ଡର ପଗଡ଼ି ଖୋଲି ତାଙ୍କୁ ଅଭିବାଦନ କରି ଚାଲି ଯାଇଥିଲା ।

 

ଥରେ ଗୋସାଇଁଆ ନାମକ ଏକ ଦୁର୍ଦ୍ଦାନ୍ତ ଡକାଏତ ଚଉଦ ବର୍ଷ ଜେଲ ଖଟି ଅବସ୍ଥାଚକ୍ରରେ କାଟିଆବାବାଙ୍କର ସମ୍ପର୍କରେ ଆସି ଚୈତନ୍ୟ ଲାଭ କରିଥିଲା । ଦୁର୍ବ୍ୟବହାର ଏବଂ ଘୃଣା ଯାହା କରିପାରେ ନାହିଁ, ସ୍ନେହ-ପ୍ରୀତି ତାହା ଅନାୟାସରେ ସମ୍ପନ୍ନ କରିପାରେ । ସେ ଡକାଏତି ଛାଡ଼ିଦେଇ ନିର୍ମଳ ପବିତ୍ର ଜୀବନ ଯାପନ କରିଥିଲା ।

 

ଭାରତୀୟ ସାଧୁମାନଙ୍କ ମଧ୍ୟରେ ରାମଦାସ–କାଟିଆବାବାଙ୍କ ଜୀବନୀ ଧ୍ରୁବତାରା ସଦୃଶ-। ୧୯୦୯ ସାଲ ମାର୍ଚ୍ଚ ଆଠ ତାରିଖରେ ସେ ମହାସମାଧିରେ ଲୀନ ହେଲେ ।

Image

 

ଆତ୍ମବିଶ୍ୱାସ ହିଁ ମୂଳ

 

ମଣିଷ କାମ ନ କରି ରହିପାରେନା । ଏ କାମର ଫଳାଫଳ ମଧ୍ୟ ରହିଛି । ଯିମିତି ତମେ ରେଳ ଚଢ଼ିବ; ଏଥିପାଇଁ ଷ୍ଟେସନକୁ ଯିବାକୁ ପଡ଼େ । ଧାଡ଼ି ବାନ୍ଧି ଠିଆ ହେବାକୁ ପଡ଼େ । ଟିକଟ କିଣି ପ୍ଲାଟଫର୍ମରେ ଗାଡ଼ି ପାଇଁ ଅପେକ୍ଷା କରିବାକୁ ପଡ଼େ । ଗାଡ଼ି ଆସିଲେ ପରିଶ୍ରମକରି ଡବାରେ ଚଢ଼ିବାକୁ ହୁଏ ଡବାରେ ଚଢ଼ି ନିଜ ସ୍ଥାନ ବାଛି ନେବାକୁ ପଡ଼େ । ତା’ପରେ ଗାଡ଼ି ଚାଲେ । ଲକ୍ଷ୍ୟ ଥାଏ ଯେ ଗାଡ଼ିଟି ଯାଇ ଅନ୍ୟ ଏକ ଷ୍ଟେସନରେ ଠିଆ ହେବ, ତମେ ଓହ୍ଲାଇବ । ତମର ଲକ୍ଷ୍ୟ ହାସଲ ହେଲା । ସେତେବେଳକୁ ଅବଶ୍ୟ କେତେବାଟ କିମିତି ଆସିଲ ସେ କଥା ମନେ ନ ଥାଏ ।

 

ତମ ମନରେ ବିଶ୍ୱାସ ଜନ୍ମିଛି ଯେ ଗାଡ଼ିରେ ଇମିତି ଚଢ଼ିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ତ୍ରୁଟି ହେବନାହିଁ । ଏହି ବିଶ୍ୱାସଟି ହେଲା ଅସଲ ଜିନିଷ । ଏହା ମନ ଭିତରେ କିପରି କାମ କରେ, ଜାଣିଛ ? ଶୁଣ ତେବେ । ଯଦି ତମେ ଭାବିବ ଯେ ‘ହଁ ପାରିବି, ହଁ ପାରିବି, ହଁ ପାରିବି’, ଚିନ୍ତା କଲେ ତାହା ମନରେ ଦୃଢ଼ ହୁଏ ଏବଂ ସେଇଥିରେ ମଣିଷ ଜୟୀ ହୁଏ । ପୃଥିବୀରେ ଯେଉଁ ବଡ଼ କାମ ହେଉଛି ସବୁ ଏହି ବିଶ୍ୱାସ ଉପରେ । ବିଶ୍ୱାସ ବଳରେ ହନୁମାନ ସମୁଦ୍ର ପାରିହେଲା । ବିଶ୍ୱାସ ବଳରେ ମିହିର ସେନ୍‌ ଇଂଲିଶ୍‌ ପ୍ରଣାଳୀ ପାରିହେଲେ । ଏହି ବିଶ୍ୱାସ ବଳରେ ଅସାଧ୍ୟ ମଧ୍ୟ ସାଧିତ ହୁଏ । ଏହି ଆତ୍ମବିଶ୍ୱାସ ବଳରେ ତମେ ପରୀକ୍ଷାରେ ପାସ୍‌ କର । ଏହାରି ବଳରେ ପ୍ରତିଯୋଗିତାରେ ଜୟ କର

 

ଏହି ଆତ୍ମବିଶ୍ୱାସ କିପରି ଦୃଢ଼ କରାଯାଇପାରିବ ?

 

ଲକ୍ଷ୍ୟକୁ ସତ୍‌ମାର୍ଗରେ ରଖି କର୍ମ କରିଯିବାକୁ ହେବ । କାହାର ନିନ୍ଦା ବା ପ୍ରଶଂସାକୁ ଅପେକ୍ଷା କର ନାହିଁ । କର୍ମର ଫଳକୁ ଅପେକ୍ଷା କର ନାହିଁ । ଭଲ କାମ କଲେ ଭଲ ଫଳ ମିଳେ, ଏହା ଜାଣିଚ । ବିଶ୍ୱାସ ରଖ ଯେ ତମେ ଯେଉଁ କର୍ମ କରୁଛ, ତାହାହିଁ ତମର ନିଯୁକ୍ତି । ଆଉ ଗୋଟିଏ କଥା ମନେ ରଖିବ । ଏ ପୃଥିବୀରେ ଯାହ ଦେଖୁଛ, ଏସବୁ ମୂଳରେ କାର୍ଯ୍ୟ କାରଣ ଅଛି-। ଇଟାଟାଏ ଫିଙ୍ଗିଲେ ଗଛ, ମୁଣ୍ଡ ବା ଦେହଟା ଖଣ୍ଡିଆ-ଖାବରା ହୋଇଯାଉଛି । ସେହିପରି ଏ ଜୀବନରେ ଯେଉଁ କର୍ମ କରୁଛ, ତାହାର ଫଳାଫଳ ଅଛି । ତେଣୁ ଯେଉଁ ସୁକର୍ମରେ ନିଜକୁ ନିୟୋଜିତ କରୁଛ, ତାର ଫଳ ମଧ୍ୟ ଅଛି ।

Image

 

ନିଃସ୍ୱାର୍ଥ ସାଧନା

 

ମଣିଷ ଯେତେବେଳେ ଲୋଭ ଓ ସ୍ୱାର୍ଥପରତାକୁ ସଂଯମ ଦ୍ୱାରା ଅତିକ୍ରମ କରେ, ସେତେବେଳେ ସେ ନ୍ୟାୟ, ନିଷ୍ଠା, ଉଦାରତା, ପ୍ରେମ ଓ ମୈତ୍ରୀର ଆଧାର ହୋଇ ଦେବତ୍ୱ ପ୍ରାପ୍ତ ହୁଏ ।

 

ବାସନାହୀନ ସାଧନା ଯଦି ଆଜି ଆମର ବ୍ୟାବହାରିକ ଜୀବନର ସାଧନା ନ ହୁଏ, ତେବେ ଦେଶ ଧ୍ୱଂସ ପାଇଯିବ । ଆତ୍ମକୈନ୍ଦ୍ରିକତା, ସ୍ୱାର୍ଥପରତା ଓ ନୀଚବାସନାରୁ ମଣିଷକୁ ଊର୍ଦ୍ଧ୍ୱକୁ ଯିବାକୁ ପଡ଼ିବ । ଏହାହିଁ ଉପନିଷଦ୍‌ର ବଜ୍ର ନିର୍ଘୋଷ—ପ୍ରକୃତ ଅନୁଶାସନ । ଏହା ଆମକୁ ଗ୍ରହଣ କରିବାକୁ ପଡ଼ିବ । ତାହା ନ ହେଲେ ଆଉ ଉପାୟ ନାହିଁ ।

 

ତମେ ପ୍ରଶ୍ନ କରିବ ଏହା କ’ଣ ଜୀବନରେ ସମ୍ଭବ ?

 

ହଁ ସମ୍ଭବ । ତମ ଆଗରେ ସ୍ୱାମୀ ବିବେକାନନ୍ଦ ଅଛନ୍ତି । ତାଙ୍କର ଜୀବନୀ ଯଦି ପଢ଼ିବ, ଦେଖିପାରିବ ସେ ତମଠାରୁ ବହୁ ଦୁଃଖକଷ୍ଟରେ ପଡ଼ିଥିଲେ । ତାଙ୍କ ବାପା ମଲାପରେ ତାଙ୍କୁ ଖାଇବାକୁ ମୁଠାଏ ମିଳିବା କଷ୍ଟକର ହେଉଥିଲା । ସେ ଯୁଗରେ ବି:ଏ: ପାସ୍‌ କରି ଖଣ୍ଡିଏ ଚାକିରିପାଇଁ ବିରାଟ କଲିକତା ସହରଯାକ ବୁଲିବାକୁ ପଡ଼ୁଥିଲା । ବିବେକାନନ୍ଦଙ୍କ ଆଗରେ ତାଙ୍କର ପ୍ରିୟତମ ଗୁରୁଦେବ ଶ୍ରୀରାମକୃଷ୍ଣ ଦେବ ଥିଲେ । ସେ ଥିଲେ ତାଙ୍କ ପ୍ରେରଣାର ଉତ୍ସ । ସ୍ୱାମୀ ବିବେକାନନ୍ଦ ଗୁରୁଦେବ ଶ୍ରୀରାମକୃଷ୍ଣ ଦେବଙ୍କୁ ପଚାରିଲେ, ‘‘ଆପଣ କ’ଣ ଈଶ୍ୱରଙ୍କୁ ଦେଖିଛନ୍ତି ?’’ ଅବତାର ଶ୍ରୀରାମକୃଷ୍ଣ ଦେବ କହିଥିଲେ, ‘‘ହଁରେ, ମୁଁ ଦେଖିଛି । ତୋ ସାଙ୍ଗରେ ଯେମିତି କଥା ହେଉଛି, ତାଙ୍କ ସାଙ୍ଗରେ ସେମିତି କଥା ହୋଇଛି ।’’ ସ୍ୱାମୀଜୀଙ୍କ ମନ ଆନନ୍ଦରେ ପୂରି ଉଠିଲା । ତାଙ୍କର ଅଭାବ ମୋଚନ ପାଇଁ ସେ ତିନି ତିନିଥର ମା ଭବତାରିଣୀଙ୍କ ପାଖକୁ ଯାଇଥିଲେ । ପଦସ୍ପର୍ଶ କରି ଦେଖିଲେ ସେ ଜୀବନ୍ତ । ତାଙ୍କର ଅଭାବ ମୋଚନ ହେଲା ଅଲୌକିକ ଭାବରେ । ଗୁରୁଦେବ କହିଲେ, ‘‘ଜଗତରେ ସୁଖଶାନ୍ତି ବିତରଣ ପାଇଁ, ମୁମୂର୍ଷୁ ମଣିଷ-ଜୀବନରେ ଶାନ୍ତି, ଅମରତ୍ୱ ପ୍ରତିଷ୍ଠା ପାଇଁ ତୁ ଆସିଛୁ ।’’

 

ସ୍ୱାମୀଜୀ ସେହି ତ୍ୟାଗପୂତ ପବିତ୍ର ଆଦର୍ଶ । ଜୀବନ କାଳରେ ସେ ପ୍ରମାଣିତ କରି ଉଦବୋଧନ ଦେଇଛନ୍ତି—‘‘ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍‌ ନିବୋଧତ’’—ଉଠ, ଜାଗ, ଲକ୍ଷ୍ୟ ଲାଭ ପୂର୍ବରୁ କେଉଁଠାରେ ରହନା, ଆଗେଇ ଚାଲ ।

Image

 

ଆଗେଇଗଲେ ବାଟ ଫିଟିଯାଏ

 

ଘରୁ ବାହାରିଲେ ଦିଜଣ ପିଲା । ଜଣକର ନାମ ରାମ, ଆର ଜଣକ ଶ୍ୟାମ । । ଦ୍ୱିପହର ହେଇଛି; ସଞ୍ଜ ହେଉଁ ହେଉଁ ଦଶମାଇଲ ରାସ୍ତା ଟପି ଯିବାକୁ ପଡ଼ିବ ସ୍କୁଲକୁ । ନିଛାଟିଆ ରାସ୍ତା । ଥଳିରେ ଜିନିଷପତ୍ର ଧରି ସମସ୍ତଙ୍କୁ ମୁଣ୍ଡିଆ ମାରି ଦୁହେଁ ବାହାରି ପଡ଼ିଲେ ।

 

ସେମାନେ କିଛି ବାଟ ଆଗେଇ ଗଲା ପରେ ଦେଖିଲେ ଅନ୍ଧ ଛୋଟା ଲୋକଟିଏ ଗାଁକୁ ଯିବ ବୋଲି ବାଟ ପାଉନାହିଁ । ସେ ଦୁଇଦିନ ହେଲା ଖାଇନାହିଁ ବୋଲି କହିଲା । ଶ୍ୟାମ ତା ପାଖକୁ ଯାଇ ତା ଥଳିରୁ ଚୂଡ଼ା-ମୁଢ଼ି କାଢ଼ି ତାକୁ ଦେଲା । ଅନ୍ଧଟି ଖୁସି ମନରେ ଖାଇଲା । ରାମ କହିଲା—ଏଗୁଡ଼ାଙ୍କୁ ଦେଇ ଲାଭ କଣ ? ଏଗୁଡ଼ାକ ମରିଗଲେ ଭଲ । ଶ୍ୟାମ କହିଲା—ରାମ, ତୁ ଦେଲୁତ ନାହିଁ । ତାଙ୍କର ଅମଙ୍ଗଳ କାମନା କରୁଛୁ କାହିଁକି ? ତା’ କଥା ବୁଝୁନୁ, ତଥାପି ମନ୍ଦ ପାଞ୍ଚୁଛୁ । ତୁ କଣ ଏଇ ଲୋକଟିର ସୃଷ୍ଟିକର୍ତ୍ତା । ଯେ ସୃଷ୍ଟି କରିଛି ସେ ତାକୁ ଖାଇବାକୁ ଦେଉଛି । ତୁ କିଏ ?

 

ରାମ ତମ-ତମ ହୋଇ କହିଲା—ନୀତିକଥା ସବୁ ପୋଥି-କଥା । ତୁ ଥା ଏଇଠି, ମୁଁ ଏକା ଚାଲିଲି ।

 

ଶ୍ୟାମ ଅନ୍ଧଲୋକଟିର ହାତ ଧରି ସେ ଯେଉଁ ଗାଁକୁ ଯିବ ସେଇ ଗାଁ ମୁଣ୍ଡରେ ତାକୁ ଛାଡ଼ିଦେଇ କହିଲା–‘‘ଭାଇ, ମୁଁ ଯାଉଛି, ବେଳ ଗଡ଼ିଗଲାଣି ।’’ ଅନ୍ଧଲୋକଟି ଆଶୀର୍ବାଦ କରି କହିଲା–‘‘ଭଲ ପିଲା ତମେ । ଗୋଟିଏ କଥା ମନେ ରଖିଥିବ–ଆଗେଇ ଗଲେ ବାଟ ଫିଟିଯାଏ । ଭଲ କାମରେ ଲକ୍ଷ୍ୟ ଠିକ୍‌ ରଖି ଆଗେଇ ଯାଅ । ବାଟ ଆପଣାଛାଏଁ ଫିଟିଯିବ ।’’

 

ଶ୍ୟାମ କିଛିଦୂର ଯାଇଛି, ଝଡ଼ ବର୍ଷା ଘୋଟି ଆସିଲା । ସେ କିନ୍ତୁ ଅଟକିଲା ନାହିଁ ଏକାଭଳି ଚାଲିଥାଏ । ବାଟରେ ଦେଖିଲା ରାମକୁ । ଶ୍ୟାମ କହିଲା,—‘‘ତୁ ତ ଏତେ ଆଗରେ ଆସୁଥିଲୁ, ଏଇଠି କଣ ଅଛୁ ?’’ ରାମ କହିଲା—‘‘ବାଟରେ ଅଟକି ତାସଖେଳ ଦେଖୁଥିଲି । ମୁଁ ଆଉ ଯାଇ ପାରିବିନି । ଏଇ ଗାଁରେ କେଉଁଠି ରହିଯିବି ।’’ ଶ୍ୟାମ କହିଲା—‘‘କାଲି ପରା ପରୀକ୍ଷା ଆରମ୍ଭ ହେବ । ମାଷ୍ଟର ରାଗିବେ ।’’ ରାମ କହିଲା—‘‘ରାଗନ୍ତୁ ପଛକେ ପରୀକ୍ଷା ଦେବି ନାହିଁ, ତୁ ଯା, ମୁଁ ଏଇଠି ରହିଲି ।’’ ଶ୍ୟାମ ଏକାକୀ ଚାଲିଛି । କିଛି ଦୂର ଆଗେଇ ଗଲାପରେ ବର୍ଷା ଝଡ଼ ଥମିଗଲା । ସଫା ଜ୍ୟୋତ୍ସ୍ନା ଆଲୋକ ଝଲକି ଗଲା । ସେ ବାଟ ଦେଇ ବ୍ଲକ-ଅଫିସର ଜିପ୍‌ ଗାଡ଼ି ନେଇ ଆସୁଥିଲେ । ସେ ଶ୍ୟାମକୁ ନେଇ ସ୍କୁଲରେ ଛାଡ଼ିଦେଲେ । ଶ୍ୟାମ ସେଇ କଥାଟି ମନେ ରଖିଛି–‘ଆଗେଇ ଗଲେ ବାଟ ଫିଟିଯାଏ ।’

Image

 

ଅହଂକାରକୁ ଦମନ କର

 

ଜଣେ ଆତ୍ମାଭିମାନୀ ପଣ୍ଡିତ ଥିଲେ । ସେ ଶାସ୍ତ୍ରରେ ଧୁରନ୍ଧର ଥିଲେ ଏବଂ ଶାସ୍ତ୍ର ଉଦ୍ଧାର କରି ସମସ୍ତଙ୍କୁ ପାଣ୍ଡିତ୍ୟରେ ପରାସ୍ତ କରୁଥିଲେ । ସେ ଭାବୁଥିଲେ ଯେ ସେ ସବୁ ଜାଣନ୍ତି । ନିଜର ଗର୍ବ, ବଂଶର ଗର୍ବ, ସର୍ବୋପରି ନିଜର ପାଣ୍ଡିତ୍ୟ-ଗର୍ବରେ ସେ ଭରପୂର ଥିଲେ । ତାଙ୍କ ମନରେ ଈର୍ଷା, ଦଳାଦଳି ଏବଂ ନିଜକୁ ବଡ଼ ଦେଖାଇ ହେବା ପ୍ରବୃତ୍ତି ଅତି ଉଗ୍ର ଥିଲା ।

 

ଦିନେ ସେ ଯାଉଁ ଯାଉଁ ବାଟରେ ରାତି ହୋଇଗଲା । ପାଖରେ ଘରଦ୍ୱାର ନ ଥାଏ । ତାଙ୍କୁ ଡର ଲାଗିଲା । ସେ ଆଶ୍ରୟ ନେବାକୁ ଗୋଟିଏ ଗଛ ଉପରେ ଚଢ଼ିଲେ । ଗଭୀର ରାତିରେ ଦେଖିଲେ ଯେ ଜଣେ ବୃଦ୍ଧ ବ୍ୟକ୍ତି ବାଡ଼ି ଠୁକୁ ଠୁକୁ କରି ଯାଉଛି । ସେ ଗଛରୁ ଓହ୍ଲାଇ ଆସି ତାକୁ କହିଲେ—‘‘ଏତେ ଅନ୍ଧାରରେ ଯାଉଛ, ତୁମକୁ ଡର ଲାଗୁ ନାହିଁ ?’’ ବୁଢ଼ାଟି ହସି କହିଲା—‘‘ଡର କଣ-? ମୁଁ ତ ଦେଖୁଛି ଯେପରି ମୋତେ କେହି ବାଟ କଢ଼ାଇ ନେଉଛି । ତା’ଛଡ଼ା ମୁଁ କାହାରି ପ୍ରତି ହିଂସା ଆଚରଣ କରିନାହିଁ, ମୋତେ ହିଂସା କିଏ କାହିଁକି କରିବ ? ମୋର ଏତକ ମନର ବଳ । ତୁମେ ଏତେ ଶାସ୍ତ୍ର କଥା କୁହ, ଭାଷଣ ଦିଅ, ତମକୁ କଣ କେହି ଏ ବିଦ୍ୟା ଶିଖାଇ ନାହାନ୍ତି ? ତୁମେ ସିନା ପଣ୍ଡିତ କିନ୍ତୁ ଯାହା କୁହ ତୁମେ ତାହା ନୁହଁ ।’’

 

ସ୍ୱାମୀ ବିବେକାନନ୍ଦ କହିଛନ୍ତି—ନିଜର ବଡ଼ିମା, ଦଳାଦଳି ବା ଈର୍ଷା—ଏସବୁ ଦୁଷ୍ପ୍ରବୃତ୍ତିକୁ ଏକାବେଳକେ ମନରୁ ବିଦାୟ ଦେବାକୁ ହେବ । ପୃଥିବୀ ପରି ସର୍ବଂସହା ହେବାକୁ ହେବ । ଏହା ଯଦି ପାରିବ ତେବେ ଦୁନିଆ ତମର ପାଦତଳକୁ ଆସିବ ।

Image

 

ଅହଂଭାବକୁ ଦୂର କର

 

ଗୋଟିଏ ଦେଶରେ ଦୁଇଜଣ ଲୋକ ଥିଲେ । ଜଣକର ନାମ କଞ୍ଚା ଅହଂ, ଅନ୍ୟଟିର ନାମ ପକ୍‌କା ବା ପାଚିଲା ଅହଂ । କଞ୍ଚା ଅହଂ କହେ, ‘‘ମୁଁ ଅମୁକର ପୁଅ । ମୁଁ କଣ କରି ନ ପାରେ-? ଯାହା ଇଚ୍ଛା ସବୁ କରିପାରେ । ମୋ’ଠାରୁ ବଳି ଆଉ କେହି ନାହିଁ । ଇଚ୍ଛା କଲେ ସବୁ କରିପାରେ ।’’

ପକ୍‌କା ଅହଂ କହେ, ‘‘ଭାଇ, ମୁଁ କିଛି କରିପାରେନା । ମୁଁ ପ୍ରଭୁଙ୍କ ଦାସ । ମୋର ଉଦ୍ୟମ, ଈଶ୍ୱରଙ୍କ ଆଶୀର୍ବାଦ । ମୁଁ ଯନ୍ତ୍ର ସ୍ୱରୂପ, ସେ ଯନ୍ତ୍ରୀ । ତାଙ୍କର ଯାହା ଇଚ୍ଛା କରାନ୍ତି । ସେ ଉଦ୍ୟମ ଦିଅନ୍ତି । ମୁଁ ବୋଇଲେ ସେ ।’’

ଦେଖାଗଲା ଯେ ବଡ଼ିମା ଦେଖାଉଥିବା ଅହଂଟି ଦିନାକେତେ ବଢ଼ିଗଲା । ଅତ୍ୟାଚାର ଅବିଚାର କରି ପଇସାପତ୍ର ନେଇ ଶେଷରେ ଧ୍ୱଂସ ପାଇଲା, କିନ୍ତୁ ଈଶ୍ୱରଙ୍କ ଦାସ ବୋଲି ଭାବୁଥିବା ଅହଂଟି ଚିରଦିନ ରହିଲା । ଆମ ଭିତରେ ଦି ପ୍ରକାର ଅହଂ କଥାରେ ଅଛନ୍ତି । ତମେ ଯଦି ସେଇ କଞ୍ଚା ଅହଂ କଥାରେ ନ ପଡ଼ିବ ତମର ଗର୍ବ ନିଶ୍ଚୟ ଭାଙ୍ଗିଯିବ ।

ସ୍ୱାମୀଜୀ କହିଛନ୍ତି—ଅହଂକୁ ଦୂର କର, ଭୁଲିଯାଅ । ତମ ଭିତରେ ଈଶ୍ୱର କାର୍ଯ୍ୟ କରନ୍ତୁ-। ଏହା ତ ତାଙ୍କରି କାର୍ଯ୍ୟ, ସେ ବୁଝନ୍ତୁ । ଆମକୁ କିଛି କରିବାକୁ ହେବ ନାହିଁ । କେବଳ ଦୂରକୁ ଘୁଞ୍ଚି ତାଙ୍କୁ କାର୍ଯ୍ୟ କରିବାକୁ ଦେବା । ଆମେ ଯେତେ ଘୁଞ୍ଚିଯିବା ସେତେ ଈଶ୍ୱର ଆମ ଭିତରକୁ ଆସିବେ-। କଞ୍ଚା ‘ମୁଁ’ଟିକୁ ନଷ୍ଟ କରିଦିଅ । କେବଳ ପକ୍‌କା ‘ମୁଁ’ଟି ରହିଯାଉ ।

Image

 

ସାଧୁ ଲୋକର ଆଦର୍ଶ

 

ତମ ମନରେ ବହୁ ସମୟରେ ଦ୍ୱନ୍ଦ୍ୱ ଆସୁଥିବ । ସେଇଟି ହେଲା ଆଦର୍ଶଗତ ଦ୍ୱନ୍ଦ୍ୱ । ଯେଉଁମାନେ କହୁଛନ୍ତି ଚୋରି କରନା, ମିଛ କହନା, ଭଲ କାମ କର, ସେମାନଙ୍କୁ ପୁଣି ଚୋରି କରିବା, ମିଛ କହିବା ଏବଂ ମନ୍ଦ କାମ କରିବା ଦେଖି ତମ ମନ ଦୁର୍ବଳ ହୋଇଯାଉଥିବ । ତମେ ମନକୁ ମନ ଭାବୁଥିବ—କ’ଣ ଦୁନିଆଟା ମିଛ । ତେବେ ସତକଥାଟା କଣ ? ଉପର ଚକ ଚକିଆ, ଭଲ ଭଲ କଥାରେ ନ ଭୁଲି ଠିକ୍ କଥା ବୁଝିବାକୁ ହେଲେ ତ୍ୟାଗୀ ପୁରୁଷମାନଙ୍କ ପାଖକୁ ଯିବାକୁ ପଡ଼େ । ସେମାନେ ଯାହା କହନ୍ତି ତମେ ସତ ମଣ । ତମେ ମନରେ ଭାବୁଥିବ ଧର୍ମ ଧର୍ମ ବୋଲି ଥୋକାଏ କପାଳରେ ଚିତା କାଟି ଏଣେ ପକେଟ କାଟୁଛନ୍ତି । ଏମାନଙ୍କ ନିକଟରୁ ତମକୁ ଦୂରରେ ରହିବାକୁ ପଡ଼ିବ । ନିଜକୁ ସାଧୁ କରିବାକୁ ପଡ଼ିବ । କିଏ କଣ କଲା ଯାଏ ଆସେ କଣ ତମର ?

 

ତମେ ମହାପୁରୁଷ ରମଣ ମହର୍ଷିଙ୍କ ନାମ ଶୁଣିଥିବ । ତାଙ୍କ ଜୀବନର ଗୋଟିଏ ସତ ଘଟଣା ଶୁଣ । ଦିନେ ତାଙ୍କ ଆଶ୍ରମର ଝରକାର ଜାଲି ଭାଙ୍ଗି ଚୋର ଘରକୁ ପଶିଲେ । ଚୋର ପ୍ରତି ସ୍ୱାମୀଜୀଙ୍କର ବିଦ୍ୱେଷ ହେଲା ନାହିଁ । ସେ ଆଶ୍ରମବାସୀମାନଙ୍କୁ ଜଣାଇଲେ ଯେପରି ଚୋରକୁ ବାଧା ନ ଦିଅନ୍ତି । ଏହାର ଅର୍ଥ ନ ବୁଝି ଜଣେ ଚୋର ରମଣ ମହର୍ଷିଙ୍କ ପାଦରେ ଭୀଷଣ ଆଘାତ କଲା । ପ୍ରଚୁର ରକ୍ତପାତ ସତ୍ତ୍ୱେ ମହର୍ଷି ଅବିଚଳିତ ରହିଥାନ୍ତି । ଆଶ୍ରମର କୁକୁରଗୁଡ଼ାକ କାଳେ ଚୋରମାନଙ୍କୁ ଆଘାତ କରିବେ ତେଣୁ ସେଗୁଡ଼ିକୁ ଛାଡ଼ିବାକୁ ସେ ମନା କଲେ । ଚୋରମାନଙ୍କର ସାହସ ବଢ଼ିଗଲା । ସେମାନେ ଆଲୁଅ ଧରି ଖୋଜି ଖୋଜି ଚୋରି କଲେ ଏବଂ ଧନରତ୍ନ ନେଇ ପଳାଇଗଲେ ।

 

ଚୋର ଗଲାପରେ ଆଶ୍ରମବାସୀମାନଙ୍କୁ ଡାକି ରମଣ ମହର୍ଷି ବୁଝାଇ କହିଲେ, ‘‘ଚୋରର କାମ ଚୋରି କରିବା, କିନ୍ତୁ ଯେଉଁମାନେ ସତ୍‌ଜୀବନ ଯାପନ କରିବା ପାଇଁ ଜୀବନ ଉତ୍ସର୍ଗ କରିଛନ୍ତି, ସେମାନେ ତାଙ୍କ କର୍ତ୍ତବ୍ୟରେ ଅବିଚଳିତ ରହିବା ଆବଶ୍ୟକ । ସାଧୁଲୋକ ଚୋରର ପଥ ଅନୁସରଣ କରେ ନାହିଁ । ଧୈର୍ଯ୍ୟ ଓ କ୍ଷମାହିଁ ତାହାର ପଥ । ଚୋର ସାଧୁର ଆଦର୍ଶ ଗ୍ରହଣ କରିପାରିନି ବୋଲି ସାଧୁ ନିଜର ନୀତି କ’ଣ ପରିତ୍ୟାଗ କରିବ ? ଧର୍ମପଥରେ କୁଟିଳତାର ଆଶ୍ରୟ ନାହିଁ । ଦାନ୍ତ ଯଦି ଅକସ୍ମାତ୍‌ ଜିଭଟି କାମୁଡ଼ି ପକାଇଲା, ତେବେ କଣ ଦାନ୍ତସବୁ ଓପାଡ଼ି ଦେବ ? ଉପାୟ ହେଲା ଭଗବାନଙ୍କ ଉପରେ ନିର୍ଭର କରି ଧୈର୍ଯ୍ୟ ଧରି ରହିବା । ସେଥିରେ ହିଁ ଶାନ୍ତି ମିଳିବ ।’’

Image

 

ମୁକ୍ତି ନା ଭକ୍ତି

 

ଦିନେ ଦୁଇବନ୍ଧୁ ଗୁରୁଙ୍କ ଉପଦେଶ ଅନୁସାରେ ବିଚାର କରିବାକୁ ବସିଲେ । ଜଣେ କହିଲା—ମୁକ୍ତି ଲୋଡ଼ା, ଆଉ ଜଣେ କହିଲା—ଭକ୍ତି ଲୋଡ଼ା । ଏହା ବିଷୟରେ ତୁମୁଳ ଆଲୋଚନା ଚାଲିଲା । ଜଣେ ଶାସ୍ତ୍ର ଆଉଡ଼ାଇ କହିଲା ଯେ ମୁକ୍ତି ପାଇଁ ଶାସ୍ତ୍ର ଅଧ୍ୟୟନ ଦରକାର । ଗୀତା, ଚଣ୍ଡୀ, ପୁରାଣ ପଢ଼ । ମୁକ୍ତି ଆସିବ । ଆଉ ଜଣେ କହିଲା, ନା ଭୋଗରାଗ ଚଢ଼େଇ ସବୁଦିନ ଠାକୁର ସେବା କର, ସେଥିରେ ସବୁ ମିଳିବ ।

 

ଦୁହେଁ ସେଇଆ କଲେ । ଜଣେ ବଡ଼ ପାଟିକରି ଶାସ୍ତ୍ର ପଢ଼ିଲା । ତାକୁ ଅନେକେ ଶୁଣିଲେ । ଗଞ୍ଜେଇ-ଭାଙ୍ଗ ବଟା ଚାଲିଲା । ଭକ୍ତମାନେ ବଡ଼ ବଡ଼ ଚିତା ମାରିଲେ ନାକ ଆଗରେ । ଭକ୍ତିବାଲା ଭୋଗରାଗ କରି ବେଶ୍‌ ଚର୍ବ୍ୟ ଚୋଷ୍ୟ ପେୟରେ ପେଟ ବଢ଼ାଇଲେ । ବହୁ ଭକ୍ତ ମଧ୍ୟ ଜୁଟିଲେ । ହାଟ ବଜାର ଲାଗିଗଲା ।

 

ଦୁଇଜଣଙ୍କର କିନ୍ତୁ ଜଣେ ଗୁରୁ । ସେ ବହୁଦିନ ପରେ ଫେରିଆସି ଦେଖିଲେ, ଦୁଇଶିଷ୍ୟ ବେଶ୍‌ ହାଟ ଜମାଇଛନ୍ତି । ସେ ଦିଜଣଙ୍କୁ ଡାକି କହିଲେ, ତମେ ସବୁ କ’ଣ କରୁଛ ? ଜଣେ କହିଲା, ‘‘ମୁଁ ଶାସ୍ତ୍ର ବିଧିବିଧାନ ଭିତରେ ଭଗବାନଙ୍କୁ ଲୋଡ଼ୁଛି ମୁକ୍ତି ପାଇଁ ।’’ ଅନ୍ୟ ଜଣକ କହିଲା, ‘‘ଭୋଗରାଗ ଲଗେଇ ଠାକୁର ସେବା କରି ଭଗବାନଙ୍କଠାରୁ ଭକ୍ତି ଯୋଗାଡ଼ କରୁଛି ।’’ ଗୁରୁ କହିଲେ, ‘‘ଆରେ ବାବୁ, ଏମିତିରେ ଭଗବାନ ମିଳନ୍ତି ନାହିଁ । ତମକୁ ମୁକ୍ତି କି ଭକ୍ତି କିଛି ମିଳିବ ନାହିଁ । ଭଗବାନ ଏ ସବୁର ଉପରେ ।’’

 

ସ୍ୱାମୀ ବିବେକାନନ୍ଦ କହିଛନ୍ତି—ମୁକ୍ତି ଭକ୍ତିର ଭାବ ଦୂର କରିଦିଅ । ଏହି ଏକମାତ୍ର ରାସ୍ତା ଅଛି ଦୁନିଆରେ—ପରୋପକାରାୟ ସତାଂ ବିଭୂତିଃ । ପରୋପକାର ପାଇଁ ସାଧୁମାନଙ୍କର ଜୀବନ । ତମର ଭଲ କଲେ ମୋର ଭଲ ହେବ । ଅନ୍ୟ ଦ୍ୱିତୀୟ ପନ୍ଥା ନାହିଁ ।

Image

 

କଥା ଓ କାମ ନ ଦେଖିଲେ ବିଶ୍ୱାସ କର ନାହିଁ

 

ଗୋଟିଏ ଗପ ଶୁଣ । ଥରେ ଗୋଟିଏ ପୋଖରୀରେ ଗୋଟିଏ ବଗ ଦେଖିଲା ଯେ ମାଛମାନେ ଚାଲାକ ହୋଇଗଲେଣି । ସେ ଆଉ କେତେ ଦିନ ବା ଭୋକରେ ରହିବ ? ତେଣୁ ସେ ବେକରେ ଗୋଛାଏ ମାଳି, ହାତରେ ଗୋଟାଏ ମାଳି, ମୁଣ୍ଡରେ ଚିତା ଚଇତନ କାଟି ମାଛମାନଙ୍କୁ ଶୁଣାଇ କହିଲା—‘‘ଭାଇମାନେ ମୁଁ ଏକ ଧର୍ମ ଦୀକ୍ଷା ନେଇଛି । ସେ ଧର୍ମରେ ଅହିଂସା ହିଁ ପରମ ବ୍ରତ-। ଏଣୁ ମାଛ ମାରିବା ମନା । ତମକୁ ମୁଁ ଏଥର ଧର୍ମ ଉପଦେଶ ଶୁଣାଇବି ।’’ ମାଛମାନେ ପ୍ରଥମେ ବିଶ୍ୱାସ କଲେ ନାହିଁ । ପରେ ଦେଖିଲେ ଯେ ବାସ୍ତବିକ ସେ ମାଛ ଖାଉନାହିଁ । ତେଣୁ ପ୍ରତିଦିନ ତା’ ପାଖକୁ ଧର୍ମ ଉପଦେଶ ଶୁଣିବାକୁ ଆସିଲେ । ବଗ ଏହି ସୁଯୋଗରେ ସମସ୍ତଙ୍କୁ ବୈକୁଣ୍ଠପୁରକୁ ନେବ ବୋଲି କହି ଗୋଟି ଗୋଟି ନେଇ କିଆବୁଦା ପଛରେ ଖାଇବାକୁ ଲାଗିଲା । ବିଚରା ମାଛବଂଶ ଶେଷ ପାଇଲେ ।

 

ଏ ଗପଟି କହିବାର କଥା ହେଉଛି—ବର୍ତ୍ତମାନ ଦୁନିଆଁରେ ତମେ ଇମିତି ଅନେକ ଲୋକ ଦେଖିବ, ଯେଉଁମାନେ ଯାହା ଉପଦେଶ ଦିଅନ୍ତି ତାହା ପାଳନ କରନ୍ତି ନାହିଁ । ତେଣୁ ତମକୁ ସତର୍କ ଦୃଷ୍ଟି ରଖିବାକୁ ହେବ । କଥା ଓ କାମ ଭିତରେ ଯାହାର ମେଳ ନାହିଁ, ସେପରି ଲୋକଙ୍କୁ ତମେ ତମର ଆଦର୍ଶ ବୋଲି ଧରି ନିଅ ନାହିଁ । ତମର ବିଚାର ବୁଦ୍ଧି ଖଟାଅ ।

 

ସ୍ୱାମୀ ବିବେକାନନ୍ଦ ତାଙ୍କ ଗୁରୁଦେବ ଶ୍ରୀରାମକୃଷ୍ଣ ଦେବଙ୍କୁ ବହୁବାର ପରୀକ୍ଷା କରିଥିଲେ; ଏପରିକି ଛଅବର୍ଷ ପର୍ଯ୍ୟନ୍ତ ସେ ତାଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ । ତମ ଆଗରେ ଯାହାକୁ ଆଦର୍ଶ ବୋଲି ଭାବୁଛ ତାକୁ ପରୀକ୍ଷା କର ଏବଂ ପରେ ଗ୍ରହଣ କର । ତମର ଧୈର୍ଯ୍ୟ ଓ ନିଷ୍ଠା ବଢ଼ିବ ।

Image

 

ଏକ ନା ଅନେକ ?

 

ତମ ମନରେ ଏତେ ଦିଅଁ ଦେବତା ଦେଖି ସନ୍ଦେହ ହେଉଥିବ ଈଶ୍ୱର ଏକ ନା ଅନେକ-। ଏଣେ ଗୋବିନ୍ଦଙ୍କ ମନ୍ଦିର ତେଣେ ଶିବମନ୍ଦିର, ଏଣେ କାଳୀମନ୍ଦିର ତ ତେଣେ ଶ୍ରୀ ଦୁର୍ଗାମନ୍ଦିର-। ଆଲ୍ଲା, ଯୀଶୁ ଆଦି ପୁଣି ଅଛନ୍ତି । ଏ ପ୍ରଶ୍ନର ଉତ୍ତରଟି ଶୁଣ । ଶ୍ରୀରାମକୃଷ୍ଣ ପରମହଂସ ବିଭିନ୍ନ ତୀର୍ଥ ଭ୍ରମଣ କରିଥିଲେ । ସେତେବେଳେ ବାରାଣସୀରେ ପ୍ରସିଦ୍ଧ ସାଧୁ ତ୍ରୈଲଙ୍ଗ ସ୍ୱାମୀ ଥିଲେ । ତ୍ରୈଲଙ୍ଗ ସ୍ୱାମୀଙ୍କ କଥା ନିଶ୍ଚୟ ଶୁଣିଥିବ । ସେ ତେଲଙ୍ଗା ଦେଶର ଲୋକ ବୋଲି ତାଙ୍କୁ ତ୍ରୈଲଙ୍ଗ ବା ତେଲଙ୍ଗା ସ୍ୱାମୀ ବୋଲି ସମସ୍ତେ ଡାକୁଥିଲେ ।

 

କାଶୀରେ ଅବସ୍ଥାନ କାଳରେ ଶ୍ରୀରାମକୃଷ୍ଣ ଦେବ ଏ ବିଖ୍ୟାତ ସାଧୁଙ୍କୁ ଭେଟିଥିଲେ । ଶ୍ରୀରାମକୃଷ୍ଣ ଦେବ କହୁଥିଲେ—ଦେଖିଲି, ସାକ୍ଷାତ ବିଶ୍ୱନାଥ ତାଙ୍କର ଶରୀରଟି ଆଶ୍ରୟ କରି ପ୍ରକାଶିତ ହୋଇ ରହିଛନ୍ତି । ଉଚ୍ଚ ଜ୍ଞାନର ଅବସ୍ଥା । ଶରୀର ପ୍ରତି ନଜର ନାହିଁ । ଖରାରେ ବାଲି ଏତେ ତାତିଛି ଯେ ପାଦ ଦେବାର ସାଧ୍ୟ ନାହିଁ, ଅଥଚ ସେହି ବାଲି ଉପରେ ସେ ସୁଖରେ ଶୋଇଛନ୍ତି । କ୍ଷିରି ନେଇ ତାଙ୍କୁ ଖୋଇଲି । ସେତେବେଳେ ସେ କଥା କହୁ ନ ଥିଲେ । ମୌନୀ । ଇଶାରା କରି ପଚାରିଲି, ‘‘ଈଶ୍ୱର ଏକ ନା ଅନେକ ?’’ ସେ ଖୁବ୍‌ ପ୍ରୀତ ହୋଇ ଇଶାରାରେ ବୁଝାଇ ଦେଲେ, ‘ସମାଧିସ୍ଥ ହୋଇ ଦେଖ ତ ଏକ, ନ ହେଲେ ଯେତେ ସମୟ ମୁଁ, ତମେ, ଜୀବଜଗତ ଇତ୍ୟାଦି ନାନା ଜ୍ଞାନ ରହିଛି, ସେତେବେଳେ ଅନେକ ।’

Image

 

ରାମାୟଣର ଉପଦେଶ

 

ତମେତ ଜାଣିଛ ପିଲାଏ ରାମାୟଣ କଥା । ପିତୃଆଜ୍ଞା ପାଳନ କରି ମହାପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସ ଗମନ କରିଥିଲେ । ତମେ ଏଇଠି ପଚାରିବ କାହିଁକି ଗଲେ ? ନ ଯାଇଥିଲେ କ’ଣ ହୋଇ ନ ଥିନ୍ତା ? ଜଙ୍ଗଲରେ ଏତେ କଷ୍ଟ ହେଲା ଏପରିକି ତାଙ୍କର ପ୍ରିୟତମା ଘରଣୀ ସୀତାଙ୍କୁ ରାବଣ ଚୋରାଇ ନେଇଗଲା । ଅନେକେ ହୁଏତ ମନେ କରିବ ଏସବୁ ମିଛ କଥା-। ରାମଚନ୍ଦ୍ର ଭଗବାନ ହେବେ କିପରି ? ତାଙ୍କୁ ଯଦି ଏତେ ଦୁଃଖ-କଷ୍ଟ ସହିବାକୁ ପଡ଼ିଲା । ଶ୍ରୀଭଗବାନ ଯେତେବେଳେ ସବୁ କରିପାରନ୍ତି, ତେବେ ସେ ଇଚ୍ଛା କରିବା ମାତ୍ରକେ ରାବଣର ମୁଣ୍ତ ଦିଗଡ଼ ହୋଇଯାନ୍ତା । ସେମିତି କୃଷ୍ଣଙ୍କୁ ଜାରାଶବର କାଣ୍ତ ବିନ୍ଧି ମାରିଦେଲା କିପରି ? ସେମିତି ପଚାରିବ ଯେ ଶ୍ରୀରାମକୃଷ୍ଣ ଦେବଙ୍କ କଣ୍ଠରେ କ୍ୟାନ୍‌ସର କାହିଁକି ହେଲା ।

 

ଏହା ଭିତରେ ଗୋଟିଏ ମଜାର କଥା ଅଛି । ଆମ ଭିତରେ ଯେଉଁ ଭଗବାନ ଅଛନ୍ତି ସେ ସବୁ ତମ ଭିତରେ, ମୋ ଭିତରେ ରହି ଖେଳ କରୁଛନ୍ତି । ଜଣେ ଚୋରୀ କରିବାକୁ ଭଲ ପାଉଛି ତ କେହି ଭଲ କାମରେ ମନ ଦେଉଛି । ତେଣୁ ଦିନରାତି ପାପ-ପୁଣ୍ୟର କର୍ତ୍ତା ସିଏ । ଏହି ଲୀଳା ପ୍ରକାଶ କରିବାକୁ ସେ ଅବତୀର୍ଣ୍ଣ ହୋଇଥାନ୍ତି । ମହାପ୍ରଭୁ ଶ୍ରୀ ଚୈତନ୍ୟ ଆଉ ଯେତେ ସିଦ୍ଧ ସାଧକଙ୍କ କଥା ତମେ ସବୁ ଏହିପରି ଦେଖିବ । ମାତା କୌଶଲ୍ୟା ପୁତ୍ର ରାମଚନ୍ଦ୍ରଙ୍କୁ କହିଲେ, ତମକୁ ତ ଭଗବାନ ପୂର୍ଣ୍ଣବ୍ରହ୍ମ ବୋଲି ସାଧକଗଣ ଭାବୁଛନ୍ତି, ମୁଁ ତ ଭାବି ପାରୁନାହିଁ । ଶ୍ରୀରାମଚନ୍ଦ୍ର କହିଲେ–ମା’ ଗୋ ସେମାନେ ବହୁ ଯୁଗ ଧରି ତପସ୍ୟା କରିଛନ୍ତି ତମେ କେବଳ ଗର୍ଭରେ ଧରି ଜନ୍ମ ଦେଇଛ ।

 

ଶ୍ରୀରାମକୃଷ୍ଣ ଦେବ ଉପଦେଶ ଦେଇଛନ୍ତି—ମୁଁ ଭଗବାନଙ୍କୁ ଦେଖିଛି । କଥାବାର୍ତ୍ତା କରିଛି-। ତମେ ବିଶ୍ୱାସ ଓ ଭକ୍ତିରେ ଲାଗିପଡ଼ ତାଙ୍କୁ ନିଶ୍ଚୟ ପାଇବ । ସେ ଯେ ତମର ଆତ୍ମାଜୀବନ ସ୍ୱରୂପ । ଧର୍ମର ଅନ୍ୟନାମ ଅନୁଭବ ।

Image

 

କର୍ତ୍ତବ୍ୟ କଣ

 

ତମେ ଭଲ ଓ ମନ୍ଦ ଲୋକମାନଙ୍କ ମୁହଁରୁ ସବୁବେଳେ ସବୁକଥାରେ ଗୋଟିଏ କଥା ଶୁଣିବ । ‘କର୍ତ୍ତବ୍ୟ କର ।’ ଏହି କର୍ତ୍ତବ୍ୟ କଣ ଶରୀର-ରକ୍ଷାର ସାଧନା—ଖାଇବା-ପିଇବା, ଖେଳିବା-? ଏହାକୁ କ’ଣ ଆମେ ଭଲଭାବରେ ପାଳନ କରୁଁ ? ତମେ ଜାଣିଥିବ ଗୋଟିଏ କଥା, ଖାଇବା ପିଇବା ପଢ଼ିବା ଆନନ୍ଦଠାରୁ ଆଉ ଗୋଟିଏ ବଡ଼ ଆନନ୍ଦ ଅଛି । ଏଥିରେ ପଇସା ଲାଗେ ନାହିଁ । ସ୍ୱାମୀ ବିବେକାନନ୍ଦ ଉଚ୍ଚକଣ୍ଠରେ ମଣିଷଜାତିକୁ ଲକ୍ଷ୍ୟ କରି ଏହା କହିଛନ୍ତି–‘ପରୋପକାର ପୂଣ୍ୟାୟ ପାପାୟ ପରପୀଡ଼ନମ୍‌ ।’ କାୟ-ମନୋବାକ୍ୟରେ କାହାରିକୁ ପୀଡ଼ା ଦେବାକୁ କେବେ ହେଲେ ଆଗଭର ହୁଅ ନାହିଁ । ତମେ ଜାଣିଛ, ତମେ କାହାରିକୁ ଅଶ୍ରାବ୍ୟ ବାକ୍ୟରେ ଗାଳି ଦେଲେ ସେ ତମକୁ ମାଡ଼ ମାରୁଛି ତେଣୁ ତମେ ଭାବୁଥିବ ‘କଥା’ର ମଧ୍ୟ ଏତେ ଗୁଣ ଅଛି । ପୁଣି କାହାକୁ ବିନୀତଭାବେ କଥା କହିଲେ ସେ ପାଖକୁ ଡାକି ବସାଇ ଖୁଆଉଛି-। ତମେ ଏ ଯେଉଁ ଜଗତ ଦେଖୁଛ ତା’ ଭିତରେ ଦୁଇଟି ଶକ୍ତି ରହିଛି । ନେଗେଟିଭ ଓ ପଜେଟିଭ ନ ହେଲେ ବିଜୁଳିବତୀ ଜଳିବ କି ଏହି ଦିଓଟିକୁ ମେଟାର ଓ ଏନାର୍ଜି କୁହାଯାଏ । ପୁଣି ପ୍ରତ୍ୟେକ ପଦାର୍ଥରେ ପୃଥିବୀର ଶକ୍ତି ଜାଗ୍ରତ । ଥରେ ଭାବି ଦେଖତ ଆମେ କେତେ ଶକ୍ତିର ଅପଚୟ କରୁଛୁଁ-। ଆମେ ଜାଣିଛୁ, ଯେଉଁ ଲୋକ ଯେତେ ଧୀର ସେ ସେତିକି ଭଲକାର୍ଯ୍ୟ କରିପାରେ ।

 

ସ୍ୱାମୀଜୀ କହନ୍ତି, କର୍ତ୍ତବ୍ୟ ଆମର ପାରିପାର୍ଶ୍ୱିକ ଅବସ୍ଥାଚକ୍ର ଦ୍ୱାରା ନିର୍ଦ୍ଧାରିତ । କର୍ତ୍ତବ୍ୟ ଭିତରେ ବଡ଼ କିଛି ନାହିଁ । ତେବେ ଅନାସକ୍ତ ଭାବରେ କାର୍ଯ୍ୟ କଲେ ତା’ର ଫଳାଫଳା ଯେ ଶୁଭଙ୍କର ଓ ଶାନ୍ତିପ୍ରଦ, ଏଥିରେ ସନ୍ଦେହ ନାହିଁ ।

Image

 

ମହାଭାରତର ଉପଦେଶ

 

ତମେ ମହାଭାରତ ନିଶ୍ଚୟ ପଢ଼ିଥିବ । ଏକ ପକ୍ଷରେ କୌରବ ଏବଂ ଲକ୍ଷ ଲକ୍ଷ ସୈନ୍ୟସାମନ୍ତ, ଅନ୍ୟପକ୍ଷରେ ପଞ୍ଚପାଣ୍ତବ, ଏବଂ ଶ୍ରୀକୃଷ୍ଣ । ଭୀଷ୍ମଦେବ ଯେତେବେଳେ ଶରଶଯ୍ୟାରେ, ଶ୍ରୀକୃଷ୍ଣ ତାଙ୍କ ପାଖକୁ ଗଲେ । ଭୀଷ୍ମଦେବଙ୍କ ନୟନରୁ ଲୋତକ ଝରିବା ଦେଖି ଅନେକେ କାରଣ ପଚାରିଲେ । ଭୀଷ୍ମଦେବ କହିଲେ—ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଯାହାଙ୍କ ପକ୍ଷରେ, ସେଇ ପାଣ୍ତବମାନଙ୍କର ଏତେ ଦୁଃଖ କାହିଁକି ହେଲା ?

 

ମନେ ରଖିବାକୁ ହେବ ଏ ଯେଉଁ ଦୃଶ୍ୟମାନ ଜଗତ ତାର ସୃଷ୍ଟି-ସ୍ଥିତି-ଲୟ ଚାଲିଛି । ତମେ ଜନ୍ମ ହେଲ, ଯୁବକ ହେଲ ତା’ପରେ ବୁଢ଼ା ହୋଇ ମରିବ । ଏହାହିଁ ଧାରା । ଶ୍ରୀକୃଷ୍ଣ କାରାଗାରରେ ଜନ୍ମ ହେଲେ । ଦେବକୀଙ୍କ ଗୋଡ଼ରେ ବେଢ଼ି ଏବଂ ସେହି ଅବସ୍ଥାରେ ଜନ୍ମକଲେ । ଆଚ୍ଛା ଦେଖତ ଦେବକୀ କିମ୍ୱା ତାଙ୍କ ସ୍ୱାମୀଦେବତା କଂସର କାରାଗାରରୁ ମୁକ୍ତି ପାଇଲେ କି ?

 

ପାଣ୍ତବମାନଙ୍କୁ ଏତେ ଦୁଃଖ ପଡ଼ିଲା । କୁଚକ୍ରୀ କୌରବମାନେ ସେମାନଙ୍କୁ ମାରିବାକୁ କେତେ କୌଶଳ କଲେ କିନ୍ତୁ ମାରି ପାରିଲେ ନାହିଁ କାହିଁକି ? ସେମାନେ ଦୁଃଖରେ ଚୈତନ୍ୟ ହରାଇ ନ ଥିଲେ । ସ୍ୱଧର୍ମ ପାଳନ କରୁଥିଲେ ଏବଂ ଭଗବାନଙ୍କ ଆଡ଼କୁ ଏକମୁଖୀ ଥିଲେ ବୋଲି ସ୍ୱୟଂ ଭଗବାନଙ୍କୁ ସେମାନେ ସଖା ରୂପେ ପାଇଥିଲେ ।

 

ମହାଭାରତର ଏତେବଡ଼ ଶିକ୍ଷା କ’ଣ କେବେ ତମେ ଭାବିଛ ? ହାତ-ଗୋଡ଼ ଚଳିଲେ ମଣିଷଭାବେ ଯେ ସେ କାହାରିକୁ ଖାତିର କରେନା । ଭଲକାମ ପରିବର୍ତ୍ତେ ଅକର୍ମ କରି ବସେ । ପଥ ମଝିରେ ରାସ୍ତା ହରାଇ କାନ୍ଦେ । ସେତେବେଳେ ମଧ୍ୟ ସେହି ସର୍ବଶକ୍ତିମାନ ଯାହାଙ୍କ କଥାରେ ଜଗତ ଚଳୁଛି ସେ ହାତ ଧରି ଉପରକୁ ଟେକି ଧରନ୍ତି । ବାଟ କଢ଼େଇ ନିଅନ୍ତି । ତେବେ ଡାକିବାରେ ଆନ୍ତରିକତା ଥିବା ଦରକାର ।

Image

 

କିପରି କାମ କରିବ ?

 

ତମ ଘରର ଚାକରାଣୀ ବୁଢ଼ୀଟିକୁ ଦେଖ । ସେ ସକାଳ ସଞ୍ଜ କାମ କରିଯାଉଛି । ତମକୁ ପିଲାଟି କାଳରୁ ଅନ୍ତୁଡ଼ିଶାଳରୁ କେତେ ଆଦର ଯତନ କରିଛି । କେତେ ଆପଣାର କରିଛି । ତମ ଦେହ ଖରାପ ହେଲେ ତମ ପାଖରେ ବସିଛି । ତମ ପାଇଁ ବିଭୁଙ୍କଠାରେ ପ୍ରାର୍ଥନା କରିଛି । ମାସକୁ ମାସ ଅବଶ୍ୟ ଦରମା ନେଉଛି । ବେଳାଏ ବେଳାଏ ଖାଉଛି । ଦରମାରେ ଯେତେ ଟଙ୍କା ଦେଉଛ, ତା’ଠାରୁ ଅଧିକ ତା’ ଉପରେ ଜିଗର କରୁଛ । ଗାଳି ଦେଉଛ । ମା’ଙ୍କର ଗଞ୍ଜଣା ମଧ୍ୟ ସେ ସହିଛି ।

 

ସେ କିନ୍ତୁ ଜାଣିଛି ଯେ ତମେ ସବୁ ତାର ଲୋକ ନୁହଁ । ତମେ ବଡ଼ ହେଲେବି ତାକୁ ପଚାର ନାହିଁ ।

 

ଏ ସଂସାରରେ ଚଳିବାକୁ ହେଲେ ତମେ ସେଇ ଚାକରାଣୀ ପରି ଚଳିବାକୁ ହେବ ।

 

ଶ୍ରୀରାମକୃଷ୍ଣ ଦେବ ଉପଦେଶ ଦେଇଛନ୍ତି, ଈଶ୍ୱରଙ୍କଠାରେ ମନ ରଖି ସବୁକାମ କରିବ-। ବଡ଼ଘରମାନଙ୍କରେ ଦାସ-ଦାସୀ ଥାଏ । ସେ ପିଲାଙ୍କୁ ଯତ୍ନକରି ଖୁଆଏ, ପିଆଏ ଏବଂ ନିଜ ପିଲାପରି ସ୍ନେହ କରେ କିନ୍ତୁ ତା’ ମନରେ ଅଛି ଯେ ଏମାନେ କେହି ନୁହନ୍ତି ।

 

ଏ ସବୁ କଥା ଲେଖିବା, ପଢ଼ିବା ବା ଶୁଣିବା ସହଜ କିନ୍ତୁ ଅଭ୍ୟାସ କରିବା ଦରକାର । ଅଭ୍ୟାସ କଲେ ସବୁ ସମ୍ଭବ ହେବ । ତମେ ଯଦି ନିଜକୁ ଉନ୍ନତ ବୋଲି ଚିନ୍ତା କରିବ, ତମେ ଉନ୍ନତ ହେବ । ବହୁ ଜିନିଷ ତମ ପାଖକୁ ଆସିଯିବ । ଅବଶ୍ୟ ଏଥିପାଇଁ ସାଧନା ଦରକାର—ଈଶ୍ୱରାଭିମୁଖୀ ହେବାକୁ ହେବ । ଈଶ୍ୱରଙ୍କଠାରେ ସବୁ ଶକ୍ତି ଅଛି । ତାଙ୍କଠାରୁ ବିଶ୍ୱାସ ଓ ଭକ୍ତି କେବଳ ପ୍ରାର୍ଥନା କରାଯାଏ । କଥାଟା ଅଭ୍ୟାସରେ ପକାଅ ଦେଖିବ !

Image

 

ଈଶ୍ୱରଙ୍କୁ ଜାଣିବ କିପରି ?

 

ତମେ ଏ ପ୍ରଶ୍ନଟିକୁ ନିଶ୍ଚୟ ପସନ୍ଦ କରୁଥିବ । ଏ ପୃଥିବୀରେ ବାସ୍ତବିକ ଭଗବାନଙ୍କୁ ଜାଣିବ କିପରି ? ଏଡ଼େ ବିରାଟ ପୃଥିବୀ । କେତେ କଣ ଗଛ-ବୃଚ୍ଛ, ପଶୁ-ପକ୍ଷୀ, କୀଟ-ପତଙ୍ଗ ଅଣୁ ଓ ପରମାଣୁ ପର୍ଯ୍ୟନ୍ତ । ପୁଣି ପଚାରିବ କ’ଣ ଭଗବାନ ମନ୍ଦିର, ମସଜିଦ୍, ଚର୍ଚ୍ଚରେ ଅଛନ୍ତି ? କବୀର ଦାସ କହିଛନ୍ତି—‘ବାବୁରେ ଯଦି ଭଗବାନ ମନ୍ଦିର, ମସଜିଦ୍‌, ଗୀର୍ଜାରେ ଅଛନ୍ତି, ତେବେ ବାହାର ଦୁନିଆଟି କାହାର ?’

 

ମନ୍ଦିର, ମସଜିଦ୍‍, ଗୀର୍ଜାରେ କେବଳ ଭଗବାନ ଅଛନ୍ତି ବୋଲି ଜଣାଇଦିଏ ସିନା ।

 

ତମ କଥା ଏବେ ପଡ଼ୁ । ତମେ ବାରବର୍ଷର ପିଲାଟିଏ । ନାମ ତମର ଧର ବିଶ୍ୱ । ଆଚ୍ଛା ମୁଁ ଯେତେବେଳେ ଡାକିବି ‘ବିଶ୍ୱ ଅଛକି ?’ ତମେ କହିବ ହଁ । ବିଶ୍ୱଟି କାହିଁ ? ଏତ ବିଶ୍ୱର ମୁହଁ ହାତ-ଗୋଡ଼, ନାକ-କାନ, ପାଟି-ଜିଭ, ବହି-ସିଲଟ, ଖାତା-ପେନସିଲ–ବିଶ୍ୱ କାହିଁ ? ଅଥଚ ଡାକିଲେ ଜବାବ ମିଳୁଛି । ଧର, ଜଣକର ପ୍ରାଣ ଗଲା । ତା’ର ତ ସବୁ ଅଛି କେଉଁ ଜିନିଷଟି ଗଲା । ଯେଉଁ ଜିନିଷଟି ଗଲା ସେଇଟିକୁ ତମେ ‘ଜୀବନ’ କୁହ, ନୁହେଁ କି ?

 

ସେଇଟି ଭଗବାନ । ସେଇ ଆତ୍ମା ଯିବା ପରେ ସବୁ ଜିନିଷ ତମର ପଡ଼ିରହିଲା । ଭାବି ଦେଖତ ବଞ୍ଚିଥିବା ବେଳେ ସେ କେତେ ସଉକ କରି ମୁଣ୍ଡ କୁଣ୍ଡାଇଛି, ସିନେମା ଦେଖିଛି, ସାର୍ଟ ପିନ୍ଧିଛି, ବହି ପଢ଼ିଛି, ସବୁ ରହିଗଲା । ଯେଉଁ ଜିନିଷଟି ଚାଲିଗଲା ବୋଲି କହୁଛ, ସେହି ଜୀବନ ବା ଆତ୍ମା ସବୁଥିରେ ଏବଂ ସର୍ବତ୍ର ବିରାଜମାନ । ଏବେ ତ ଈଶ୍ୱରଙ୍କୁ ଜାଣିଲ ତମ ଭିତରେ କିପରି ଅଛନ୍ତି । ଏଥର ତାଙ୍କୁ ଜାଣିବାକୁ ଅନୁଧ୍ୟାନ କର । ଶ୍ରୀରାମକୃଷ୍ଣ ଦେବ କହିଛନ୍ତି, ଶିବଜ୍ଞାନରେ ଜୀବସେବା କର । ଲେକଙ୍କୁ ଶୁଣାଇବା ଅର୍ଥ ସେବା କରିବା । ଜୀବ ଭିତରେ ଭଗବାନ ଅଗ୍ନି ରୂପରେ ଅଛନ୍ତି, ତାଙ୍କୁ ଆହୁତି ଦେବା । ତା’ ବୋଲି ଅସତ୍‌ଲୋକଙ୍କୁ ଦେବା ଉଚିତ ନୁହେଁ ।

Image

 

ଚରିତ୍ର ଲୋଡ଼ା

 

କଥା କଥାକୁ ତମେ ଦୋଷ ଦିଅ ଯେ ଟଙ୍କା ନାହିଁ, ଯଶ ନାହିଁ, ନାମ ନାହିଁ; ତେଣୁ କିଛି କରିପାରୁନାହିଁ । କଥାଟା କିନ୍ତୁ ପୂରାପୂରି ଠିକ୍ ନୁହେଁ ।

 

ଏ ଯେଉଁ ଜଗତ ଦେଖୁଛ, ଏ ଯେଉଁ ଭଳିକି ଭଳି ଆବିଷ୍କାର ଚାଲିଛି, ବିଜ୍ଞାନର ଜୟଯାତ୍ରା ଚାଲିଛି, ଏସବୁ କଣ ଚଲାକିଦ୍ୱାରା ହୋଇଛି ? ନା ପ୍ରତ୍ୟେକଟି ପଛରେ ସାଧନା ରହିଛି-। ତମେ ଯେ ଏତେବଡ଼ ହେଲଣି, ପୁଣି ବଡ଼ ହେବ, ସେଥିପାଇଁ ତମକୁ ପ୍ରତିଦିନ ଖାଇବାକୁ ପଡ଼ିଛି, ଗାଧୋଇବାକୁ ପଡ଼ିଛି, ଦାନ୍ତ ଘଷିବାକୁ ପଡ଼ିଛି, ପାଠପଢ଼ିବାକୁ ପଡ଼ିଛି ଆଉରି କେତେ କଣ-?

 

ଏସବୁ ଆବିଷ୍କାର, ଏ ସବୁ ଯେଉଁ ବଡ଼ କାମ ହୋଇଛି ତା’ ପଛରେ ବିରାଟ ସାଧନା ରହିଛି । ସାଧନା ନ ଥିଲେ ସିଦ୍ଧି ନାହିଁ । ଚୋରୀ କରିବା ଜିନିଷ ତ ସଡ଼କାଏ ।

 

ଏଥିପାଇଁ ଚରିତ୍ର ଲୋଡ଼ା । ଆମ ଆଖି ଆଗରେ ଯାହାଙ୍କୁ ଆମେ ମହାପୁରୁଷ ବୋଲି ପୂଜା କରୁଛେ, ଆଦର୍ଶ ବୋଲି ଗ୍ରହଣ କରୁଛେ, ସେମାନେ ଟଙ୍କା, ପଇସା, ମାନ, ଯଶ ପ୍ରତି କେବେହେଲେ ଦୌଡ଼ି ନ ଥିଲେ । ବହୁ ପରୀକ୍ଷା ନିରୀକ୍ଷା ତାଙ୍କ ଉପରେ ହୋଇ ଯିବାପରେ ତାଙ୍କୁ ସମାଜ ଗ୍ରହଣ କରିଛି । ଯେଉଁ ଗଛ ଯେତେ ଉଚ୍ଚ ତା’ଉପରେ ସେତେ ଖରା, ବର୍ଷା, ଝଡ଼ ବର୍ଷଣ କରିଯାଇଛି ।

 

ସ୍ୱାମୀ ବିବେକାନନ୍ଦ କହିଛନ୍ତି—ଟଙ୍କାରେ କିଛି ହୁଏନା, ନାମରେ ମଧ୍ୟ ହୁଏନା, ଯଶରେ ମଧ୍ୟ ହୁଏନା, ବିଦ୍ୟାରେ ମଧ୍ୟ ହୁଏନା ।

 

ପ୍ରେମରେ ସବୁ ହୁଏ—ଚରିତ୍ର ହିଁ ବାଧାବିଘ୍ନ ରୂପକ ବଜ୍ରଦୃଢ଼ ପ୍ରାଚୀର ମଧ୍ୟ ଦେଇ ପଥ କରି ନେଇପାରେ ।

Image

 

ତମ ମନର ପ୍ରଶ୍ନ

 

ତମେ ପଚାରିବ—ଈଶ୍ୱର ତ ସର୍ବଶକ୍ତିମାନ, ମଣିଷରୂପ ଧାରଣ ନକରି ସେ ଦୁଷ୍ଟର ବିନାଶ ଓ ଭଲଲୋକଙ୍କୁ ସାହାଯ୍ୟ କରି ପାରନ୍ତେ ?

 

ଅବତାର ପୁରୁଷମାନଙ୍କୁ ଧର୍ମସ୍ଥାପନ କରିବା ନିମିତ୍ତ ମଣିଷରୂପରେ ଆସିବାକୁ ହୁଏ, ଆମକୁ ଧର୍ମପଥରେ ନେବାପାଇଁ । ପଥ ଦେଖାଇବା ପାଇଁ ଆମ ଆଗରେ ଲୀଳା କରିଯାନ୍ତି । ସେମାନଙ୍କ ଜୀବନର ଆଦର୍ଶ ଦେଖାନ୍ତି, ଉପଦେଶ ଦିଅନ୍ତି ଏବଂ ଆମେ ସହଜରେ ବୁଝିପାରୁ । ଭଗବାନ କରୁଣାମୟ, ଆମର ପରମ ହିତୈଷୀ । ମଣିଷ ଯେପରି ଠିକ୍‍ପଥରେ ଯାଇ ତାଙ୍କର ଦର୍ଶନ ଲାଭ କରିପାରିବ, ତାଙ୍କ ସାଙ୍ଗରେ ଯୁକ୍ତ ହୋଇପାରିବ, ସେଥିପାଇଁ ଅବତାର ରୂପରେ, ମଣିଷ ରୂପରେ ଆସି ଲୀଳା କରି ଆଦର୍ଶ ଜୀବନଟିକୁ ଦେଖାଇଯାନ୍ତି ଆମ ଆଖି ଆଗରେ ।

 

ବର୍ତ୍ତମାନ ବୈଜ୍ଞାନିକମାନେ କହନ୍ତି ଯେ ଭଗବାନ ଅଛନ୍ତି କି ନାହିଁ ? ଦୁଃଖ-କଷ୍ଟ ସହିତ ତାଙ୍କର ସମ୍ବନ୍ଧ ଅବା କଅଣ ? ଏ ଧର୍ମରେ ଲାଭ କ’ଣ ଯେଉଁଠି ଦଳକନ୍ଦଳ ଲାଗିଛି ?

 

ଏହାହିଁ ଆଧୁନିକ ଯୁଗର ମନୋଭାବ—ସାଧାରଣ ବ୍ୟକ୍ତିର ପ୍ରଶ୍ନ । ସାଧନା ନ କରି ପାଇବାର କଳ୍ପନା ମଣିଷ ବୈଜ୍ଞାନିକ ଧାରାରେ ବିଚାର କରିବା ଫଳରେ ସେ ବିଚାର କରି ଭଗବାନଙ୍କଠାରେ ବିଶ୍ୱାସ ସ୍ଥାପନ କରି ପାରୁନାହିଁ । ପୁରାତନ ଶାସ୍ତ୍ରର ଆଦର ନ ହେବା ଫଳରେ ମଣିଷର ମନ ଦୁଃଖରେ ହାହାକାର କରୁଛି । ଜୀବନର ଆଦର୍ଶ କ’ଣ ଏବଂ ଉଦ୍ଦେଶ୍ୟ କ’ଣ ? ସେ ବୁଝି ପାରୁନାହିଁ ।

 

ଆଧୁନିକ ଯୁଗରେ ସମସ୍ତେ ଦାବୀ ପାଇଁ ବ୍ୟସ୍ତ; କିନ୍ତୁ ନିଜର କର୍ତ୍ତବ୍ୟ କରିବାକୁ ପ୍ରସ୍ତୁତ ନୁହନ୍ତି । ଭାରତର ପ୍ରାଚୀନ ଆଦର୍ଶରେ କିନ୍ତୁ ଦାବୀର ପ୍ରଶ୍ନ ନାହିଁ, ସେଠାରେ କର୍ତ୍ତବ୍ୟର ପ୍ରଶ୍ନ । ରାଜାଙ୍କର କର୍ତ୍ତବ୍ୟ କ’ଣ ? ପ୍ରଜାର କର୍ତ୍ତବ୍ୟ କ’ଣ ? ରାଜକର୍ମଚାରୀର କର୍ତ୍ତବ୍ୟ କ’ଣ ? ବ୍ରାହ୍ମଣ କ୍ଷତ୍ରିୟର କର୍ତ୍ତବ୍ୟ କଥାର ମଧ୍ୟ ଉଲ୍ଲେଖ ଅଛି । ନିଜ ନିଜର କର୍ତ୍ତବ୍ୟରେ ଯୋଗ୍ୟ ହେବାକୁ ଉଦ୍ୟମ କରିବା ଫଳରେ ସମସ୍ତଙ୍କର ଜାଗୃତି ଘଟିଥିଲା । ସମାଜରେ ରହିବାକୁ ହେଲେ ସମାଜର କିଛି ସେବା କରିବାକୁ ହେବ କିନ୍ତୁ ଆଜି ସେବା ପରିବର୍ତ୍ତରେ ଦାବୀ ।

 

ଏହାର ପରିବର୍ତ୍ତନ ନ ହେଲେ କୌଣସି ଜାତି ଉଠିପାରିବ ନାହିଁ । ସ୍ୱାମୀ ବିବେକାନନ୍ଦ କହିଛନ୍ତି—ଜୀବନ ଅର୍ଥ ସାଧନା, ପରର ହିତ ପାଇଁ ସାଧନା । ଜଗତର ଯେତେ ପ୍ରପଞ୍ଚ—ପାଞ୍ଚ ପ୍ରକୃତିର ପ୍ରଭାବ—ପଞ୍ଚଇନ୍ଦ୍ରିୟର ପ୍ରଭାବରୁ ମୁକ୍ତ କରିବାର ସାଧନାକୁ ‘ଜୀବନ’ କୁହାଯାଏ ।

Image